ନିର୍ବାଣର ମନ୍ତ୍ର
ନିର୍ବାଣର ମନ୍ତ୍ର
ନିରଞ୍ଜନା ନୀର ଅନୁତାପ କରେ
କାହିଁ ଗଲ ତୁମେ ବୁଦ୍ଧ ,
"କାମନା ବିନାଶ " କାମନା ଜ୍ୱାଳାରେ
ଅବନୀ ଆଜି ଅଶୁଦ୍ଧ ।
ହଜାର ବର୍ଷର ହଜାର ସ୍ଳୋଗାନ
ସତ୍ତ୍ଵ ହରା ବୋଧିସତ୍ତ୍ଵ ,
ବିଫଳ ହୋଇଛି ହେ ମହା ପୁରୁଷ
ବୋଧିସତ୍ତ୍ଵର ମହତ୍ତ୍ଵ ।
ଅନୁଢ଼ା ବୟସ ଲୁଟିଛି ଅୟାସେ
କାମରେ କାମୁକ ଆଖି ,
ଭରା ଯଉବନେ ମୃତ୍ୟୁର କାରଣେ
ନିର୍ବାଣ ଖୋଜୁଛି ସାକ୍ଷୀ ।
ରାଜନୀତିର ଏ ପଶାପାଲି ଗୋଟି
ଚଳାଇ ଆଜି ଶକୁନି ,
ନିଜ ସ୍ବାର୍ଥ ପାଇଁ ନାରୀର ରକ୍ତରେ
ଭିଜୁଛି ଆଜି ଅବନୀ ।
ଯୌବନ ଆଜି ଅଭିଶପ୍ତ ସୃଷ୍ଟି
ବଟତର୍ପଣ କରେ ,
କାହିଁ ଲୁଚିଗଲ ହେ! ଗୌତମ ବୁଦ୍ଧ
ନିରଞ୍ଜନା ଆଜି ଝୁରେ ।
ନିର୍ବାଣ ତ ନୁହେଁ କୋଳରେ ଖେଳୁଛି
କୁଆଁରୀ ମାଆର ପିଲା ,
ଆଖି ଛଳଛଳେ ଖୋଜଇ ବିକଳେ
ବାପା କେଉଁଆଡ଼େ ଗଲା ।
ଆଶୀର୍ବାଦ ଅବା ଅଭିଶାପ ଇଏ
ପରାଜିତ ବାରମ୍ବାର ,
ଶତ ନିରଞ୍ଜନା ଆଖିର ଲୁହରେ
ବୁଡ଼ିଛି ଆଜି ସଂସାର ।
ଶାନ୍ତି , ମମତ୍ତ୍ଵର ବାର୍ତ୍ତା ଲୁଚିଯାଏ
ଆଶାର ଆକାଶ ତଳେ ,
ଏ ଧରା ବକ୍ଷକୁ ଫେରିଦେଖ ଥରେ
ନିରଞ୍ଜନା ଆଖି ଜଳେ ।
ଗୌତମଙ୍କ ବାର୍ତ୍ତା ନିରଞ୍ଜନା ଖୋଜେ
କାହିଁ ଆଜି ଓମ୍ ଶାନ୍ତି ,
ବୁଦ୍ଧଙ୍କ ନିର୍ବାଣ ଯୁଗଜୟୀ ମନ୍ତ୍ର
ସଂସାରେ ଖୋଜୁଛି ମୁକ୍ତି ।
ସତ୍ୟମେବ ଜୟତେର ବିଶ୍ଵାସରେ
ନବମ ଈଶ୍ୱର ଥିଲ ,
ମୂର୍ତ୍ତି ଅଢ଼ୁଆଳେ ରୂପଶ୍ରୀ ଲୋତକେ
ହୃଦ ହୁଏ କଲବଲ ।
ଅଷ୍ଟ ମାର୍ଗ ଆଜି ନିର୍ବାଣର ମନ୍ତ୍ର
କଳିରେ ତୁମ ଆୟୁଧ ,
ଚୋରି, ନାରୀ, ହତ୍ୟା ହିଂସା ମୂଳମନ୍ତ୍ର
ଫେରି ଦେଖ ଥରେ ବୁଦ୍ଧ ।
