ନଇଁଗଲା ଆପେ ମଥା
ନଇଁଗଲା ଆପେ ମଥା
ଶ୍ରୀ ବାଟକୃଷ୍ଟ ଓଝା
ସାଇକେଲଟିଏ କିଣିବ ଅନନ୍ତ
ସାଇତିଛି କିଛି ଧନ
ଏ କଥା ଜାଣିଲେ ଗୋପବନ୍ଧୁ ବାବୁ
ଅଥିରେ ହୋଇଲା ମନ l
ମନକଥା ମାନେ ରଖି ଗୋପବନ୍ଧୁ ,
କହିଲେ, ‘’ ଅଭାବ ଭାରି,
ଟଙ୍କା ଥିଲେ ଦିଅ ଦେବି ମୁଁ ‘ ଅନନ୍ତ ’
ଗଲେ ଦିନ ଦୁଇ ଚାରି l ‘’
ଟଙ୍କା ଥଳି ଆଣି ଥୋଇଲେ ଅନନ୍ତ
ଦାସେ ଆପଣଙ୍କ ପାଶେ,
ହାତେ ଧରି ଥଳି ଚାହିଁଲେ ନିମିଷେ
ଦୁଃଖ ମିଶା ଦରହାସେ l
ଚାରି ଦିନ ଯାଇ ଚାରି ମାସ ଗଲା
ବରଷେ ବି ଗଲା ପୂରି ,
ଦୂର ଗାଆଁ କିପରି ଜିବିମୁ
ଦୁଃଖାରେ ବସିଲେ ଭାଳି,
ବହୁତ ଦିନରୁ ଥକି ପଡ଼ିଲିଣି
ପାଦରେ ମୁଁ ଚାଲିଚାଲି l
ସାଇକେଲ ହେଲେ ସହଜ ସହଳ
ବହୁତ ପାରନ୍ତି ବୁଲି,
ଟଙ୍କା ନେଇ ସେ ତ ଫେରାଇ ଦିଅନ୍ତି
ମୋ କଥା କି ଗଲେ ଭୁଲି l
ଭାବି ଭାବି ଦିନେ ବେଳ କାଳ ଉଣ୍ଡୀ
କହିଲେ ମନର କଥା,
ଗୋପବନ୍ଧୁବାବୁ ହସିଲେ ଅଳପ
ତଳକୁ ନୁଆଁଇ ମଥା l
‘’ତୁମ ଟଙ୍କା କଥା ଅଛି ମୋର ମନେ
ଦେଇ ନାହିଁ ଜାଣିଜାଣି,
କଥା ଯଦି ମୋର ରଖିବ ଅନନ୍ତ
ଏଇକ୍ଷଣି ଦେବି ଆଣି l ‘’
ବରଷା ବଢିରେ ଘରଘର ବୁଲି
ଅପନ୍ତରା ବାଟ ଦେଇ,
ପାଦେ ଚାଲିଚାଲି ଭୋକିଲା ଲୋକର
ଖବର ଫେରୁଛି ନେଇ l
ସାଇକେଲ ହେଲେ ସଡ଼କ ବାଟରେ
ସୁବିଧାରେ ଯିବ ଚାଲି ,
ଅଭାବ କେଉଁଠି କିପରି ଜାଣିବ
କହିଲ ମନରେ ଭାଳି ?
ପାଣି କାଦୁଅରେ ଆଉ କି ପଶିବ
ଦେଖିବ ଦୁଃଖିର ମୁହଁ ,
ବରଷା ବଢିରେ କିଏ ପୋଛି ଦେବ
ଆକୁଳ ଆଖିର ଲୁହ ?
ଟଙ୍କା ନେଇ ଯାଅ ସାଇକେଲ କିଣା
ମନୁ କରିଦିଅ ଦୂର,
ଦୁଃଖୀ ଜନ ସେବା ଯେଉଁଠି କରୁଛ
ସେଇ ତ ସରଗପୁର
ମଣି ମୁକୁତାର ଝଲକରୁ ବଳି
ଶୁଖିଲା ଅଧରୁ ହସ,
ସେ ହସରୁ ଝରେ ସରଗ ସୁଷମା
ଦେବତା ହୁଅନ୍ତି ବଶ l
ସରମରେ ସଢି ବୁଝିଲେ ଅନନ୍ତ
ତାଙ୍କ ମରମର କଥା,
ଦାସେ ଆପଣଙ୍କ ଚରଣ ଯୁଗଳେ
ନଇଁଗଲା ଆପେ ମଥା l
