STORYMIRROR

Aishwarya Mishra

Tragedy

4  

Aishwarya Mishra

Tragedy

ନିଖୋଜ ମୃତ୍ୟୁ

ନିଖୋଜ ମୃତ୍ୟୁ

1 min
23

ତୁମ ବିକଟାଳ ବ୍ୟକ୍ତିତ୍ଵର 

ବିଷାକ୍ତ ଛାୟା ଆଗରେ

ମୃତ୍ୟୁ ମଧ୍ୟ ଭୟସିକ୍ତ

ଶୁଣି ତୁମ ଆଗମନର ବାର୍ତ୍ତା 

ମୃତ୍ୟୁ ହୋଇଉଠିଛି ବ୍ୟତିବ୍ୟସ୍ତ 


ମୃତ୍ୟୁ ବି ଅପ୍ରସ୍ତୁତ 

ତୁମକୁ କୋଳେଇ ନେବା ନିମିତ୍ତ 

କାହିଁକି ବା ତୁମକୁ

କୋଳାଗ୍ରତ କରିବ ସେ !

ତୁମେ କ'ଣ ସତରେ ମୃତ୍ୟୁର ଯୋଗ୍ୟ ?


ଅନେକ ଜୀବନକୁ 

ନିଜ ପାଦ ତଳେ ଚାପି ରଖି 

ନୀରବଚ୍ଛିନ୍ନ ଉନ୍ନତିର 

ସ୍ଵାଦ ବାରିବା ପରେ

ତୁମେ ଆଜି ନିଃସ୍ଵ 


ଥରେ ମନେ ପକାଇ ଦେଖ ତ 

ତୁମେ ସିଏ ଥିଲ

ଯିଏ ଅନେକ ସମ୍ଭାବନାର ସ୍ରୋତକୁ

ଅଚିରେ ଉଜାଡ଼ି ଦେଇଛ 

କେବଳ ନିଜ ଆତ୍ମଗର୍ବର ପୂର୍ତ୍ତି ନିମିତ୍ତ 


ନିଜ କୃତ କର୍ମକୁ

ଲୁଚାଇବା ପାଇଁ 

ଲଦି ଚାଲିଥିଲ

ଅନେକ ମିଥ୍ୟା ଆରୋପ ପ୍ରତ୍ୟାରୋପ


ତୁମ ପାଇଁ 

କେତେ ଯେ ନିଷ୍ପାପ ଆଖି

ସାରା ରାତି ଉଜାଗର ରହି

ଝରାଇଛି ଲୁହ


ଆଜି ଯେବେ ତୁମେ

ନିଜ କୃତ କର୍ମର ଜାଲ ମଧ୍ୟରେ

ନିଜେ କବଳିତ

କାହିଁକି ହଜିଯାଇଛି ତୁମ

ଆତ୍ମବଡ଼ିମାର ଅହଙ୍କାର


ଯେଉଁ ରସନା ଦିନେ

ଅଶ୍ରାବ୍ୟ କଟୁ ବଚନ କହିବାରେ 

ପ୍ରକାଶ କରୁ ନ ଥିଲା

ତିଳେ ମାତ୍ର ଦ୍ଵିଧା

ଆଜି ସେ ମୁଖରୁ ଶୁଣା ଯାଉଛି

ମୃତ୍ୟୁଂଦେହିର କରୁଣ ସ୍ବର !


ତୁମ ପାପ କର୍ମର 

ମାୟା ମରିଚୀକା ଆଗରେ

ଆଜି ହଜିଛି ମୃତ୍ୟୁ

ନିଖୋଜ ହୋଇଯାଇଛି ସେ

କେବଳ ତୁମ କୃତକର୍ମ ଭୟରେ


ମୃତ୍ୟୁ ମଧ୍ୟ ଦେଉଛି ଅଭିଶାପ

ହୋଇଯାଅ ତୁମେ 

ଅନ୍ୟ ଜଣେ ଅଶ୍ଵତ୍ଥାମା

ଦ୍ବାରେ ଦ୍ବାରେ ଖୋଜିବୁଲ କେବଳ 

ମୃତ୍ୟୁର ସ୍ପର୍ଶ

କିନ୍ତୁ ତୁମ ପାଇଁ ସର୍ବଦା 

ନିଖୋଜ ହୋଇଯାଉ ମୃତ୍ୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy