ନିଜ ଘରେ ବଇଦ
ନିଜ ଘରେ ବଇଦ
(ଘୋଡା ନାଚ ତାନରେ ଗାୟନ)
ଘର ବାଡି ଠାରୁ ବନଲତା ଯାଏ
ଔଷଧୀୟ ଗୁଣ ଭରା
ତରୁଣ ତୃଣ ଗୁଳ୍ମ ଉପଚାର କଲେ
ରୋଗ ଦୂର ହେବ ପରା !
ଶିରରେ ଶିରପା ପାଦରେ ତଇଳ
ମରଦନ କରୁଥିଲେ
ଯୋଗ ପ୍ରାଣାୟମ ପ୍ରାତ ଭ୍ରମଣର
ଅଭ୍ୟାସଟି ରଖିଥିଲେ ।
ତେଲ ମସଲାକୁ ବରଜନ କରି
ସବୁଜ ପରିବା ଖାଇ
ହସି ହସାଇବା ଗୁଣ ରଖିଥିଲେ
ବଇଦ ଜୁହାର ହୋଇ ।
ବିଶ୍ୱେ ଭାରତର ଗୌରବ ସାଜିଛି
ନିମ୍ବ ପତ୍ର ଆମ ପାଇଁ
ତାହା ଠାରୁ ବଳି ମହୌଷଧି ଆଉ
ଆନ ଦେଶେ ମିଳେ ନାହିଁ ।
ଆଦିମ ମଣିଷ ପର୍ବତ ଜଙ୍ଗମ
ଗଛ ଲତା ପୂଜୁଥିଲା
ବିଜ୍ଞାନୀ ଓଡିଆ ବିଶ୍ୱେ ବ୍ୟତିକ୍ରମ
ଦାରୁ ଦିଅଁ ପୂଜା କଲା।
ଭାଇରାଲ୍ ଫିଭର ଯେତେ ପରକାର
ଅଣାୟତ୍ତ ହୋଇଯାଏ
ଅଦା ରସୁଣକୁ ଗରମ ପାଣିରେ
ପିଇଲେ ଦୂରରେ ରହେ ।
ଚଉଁରାରେ ଅଛି ତୁଳସୀ ପତର
ସକାଳୁ ଚାରିଟି ଖାଇ
କଫ ପିତ୍ତ ଜମା ପାଖ ନ ମାଡିବ
ଶର୍ଦ୍ଦି କାଶ ହେବ ନାହିଁ ।
କଟା ପୋଡା ଜଳା ବିଶଲ୍ୟକରଣୀ
ପତରକୁ ଲଗାଇଲେ
ଘୃତକୁମାରୀକୁ ଚର୍ମରେ ଲେପିଲେ
ନାନା ରୋଗ ନାଶ କରେ ।
ଅମୃତଭଣ୍ଡାର ପତର ସିଝାଇ
ସେବନ ଯଦି କରିବ
ଡେଙ୍ଗୁ ଜ୍ୱର ଶୀଘ୍ର ଭଲ ହୋଇଯିବ
ପ୍ଲେଟଲେଟ୍ ବଢି ଯିବ ।
ବେଲ ପତ୍ରଟିଏ ସକାଳୁ ଖାଇବ
ହଟିବ ପେଟର ବ୍ୟଥା
ଆମାଶୟ ଗ୍ୟାସ୍ ଦୂରୁହ ବିମାରୀ
ଲିଭିଯିବ ତାର ପତ୍ତା।
ପିଜୁଳି ପତ୍ରକୁ ସିଝାଇ ପିଇବ
ବାଡିରେ ଅଛି ଅମାପ
ଛୋଟପିଲା ଠାରୁ ପ୍ରୌଢ ପ୍ରାଜ୍ଞ ବୃଦ୍ଧ
ନ ଦେଖିବ ରକ୍ତଚାପ ।
ଅବସାଦ ରୋଗେ ନିଦ ହୁଏନାହିଁ
ରାତି ପାହେ ଲାଗେ ଥକା
ଛୋଟ କଥାଟିଏ ଯତନେ କରିଲେ
ନିଦର ନଥିବ ଦକା।
ପାଚିଲା କଦଳୀ ଚୋପାକୁ କାଟିଣ
ସିଝାଇ ରଖିବ ଛାଣି
ରାତ୍ର ଭୋଜ ପରେ ପିଇଲେ ସିଝାକୁ
ନିଦରେ ଘୁଙ୍ଗୁଡି ଟାଣି ।
କରଞ୍ଜ ପତର ସିଝା ଖାଲି ପେଟେ
ଯକୃତକୁ ମିଳେ ବଳ
କାମଳ ବିମାରି ଦୂରେ ପଳାଇବ
ଜୀଇଁ ବ ଟି ଦୀର୍ଘ କାଳ।
କଲେ ନିଶା ପାନ ସର୍ବ ସାଧାରଣ
କରନ୍ତି ଯେ ପରିହାସ
ବଦଭ୍ୟାସ ଟିକୁ ଛଡାଇବା ପାଇଁ
ପିଅ ଦୁବ ଘାସ ରସ ।
ସବୁଠାରୁ ଭଲ ଥାଲକୁଡ଼ି ପତ୍ର
ତାକୁ ନଭୁଲିବ କେବେ
ପ୍ରତହ୍ୟ ତାହାକୁ ସେବନ କରିଲେ
ସର୍ବ ବ୍ୟାଧି ଦୂରେ ଯିବେ l
ଥାଲକୁଡ଼ି ପତ୍ର ଅମୋଘ ଔଷଧି
ପେଟ ରୋଗ ନାଶ କରେ
ପେଟରୋଗ ଯଦି ଦୂର ହୋଇଗଲା
ଆଉ କେଉଁ ରୋଗ ଧରେ !
ଚରକଙ୍କ ବାଣୀ ଔଷଧୀୟ ଗୁଣ
ରହିଛି ପ୍ରତ୍ୟେକ ଗଛେ
ଘର ବଇଦକୁ ଅଣଦେଖା କରି
ଧାଇଁବା ଡାକ୍ତର ପଛେ !
