ନୀଡହଜା
ନୀଡହଜା
ନଇଁଗଲା ସଂଜ ହେଲେ ନୀଡହରା ଫେରିଲାନି ନୀଡେ
ବାହୁନୁଛି କଇଁ ବସି ମୁକୁଳିତ ମ୍ଳାନ ଅଭିସାରେ
ବାହୁନୁଛି କପୋତଟା ଉଠ୍ ପୁତା ପୁରିଲାଣି ମାଣ
ସେରକ ପୁରିଲା ହେଲେ ଉଠିଲାନି , ଶୁଣିଲାନି ରାଣ ।
ତାଳବଣେ ରହିରହି ଶୁଭୁଥିଲା ନୀରବ ବିଳାପ
ଥମିଥିଲା ଝଡ ,ସ୍ଥିରଥିଲା ଭୂଲୁଣ୍ଠିତ ତୁଳୀର ତଳପ
ଅଶନିର ଶବ୍ଦସବୁ ମିଶିଥିଲା ଶୂନ୍ୟେ ମହାଶୂନ୍ୟେ
କ୍ରନ୍ଦନ ଲହରୀ ହଜି ଲୀନଥିଲା ତମସା ଅରଣ୍ୟେ ।
ଚକ୍ରବାକ ଚାହିଁଥିଲା ରହି କରି ଶୂନ୍ୟକୁ ପ୍ରତୀକ୍ଷା
ଅନ୍ତରୀକ୍ଷୁ ଶୁଭିବକି କିଛି ଶୂନ୍ୟହସ୍ତେ ଭରି ଭିକ୍ଷା
ଉଠିଲାନି ଅଭିମନ୍ୟୁ ହସୁଥିଲା ନିୟତି ବିଜନେ
ଚକ୍ରବ୍ୟୁହ ଭାଜିଥିଲା ଜଳୁଥିବା ଚିତା ଲେଲିହାନେ ।
କିଏସେ ଦେବ ଉତ୍ତର ମହାରଥି ଫେରିବକି ନାହିଁ
ନୀଡହରା ନୀରବରେ ବିଶ୍ରମିଲା କାହିଁ ଯାଇ ରହି ।