ନିଃସଙ୍ଗତା
ନିଃସଙ୍ଗତା
ମୋ' ହୃଦୟର ଶୂନ୍ୟତାକୁ
ଆଜି ମୁଁ ପଚା଼ରୁଥିଲି ତମ କଥା
ଯେଣୁ ତମେ ବାଛି ନେଇଥିଲ
ମୋ' ପାଇଁ- ତମ ମନର ନିରବତା।
ଏତେ ନିରବତା କାହିଁ ପାଇଁ
କହିକି ପାରିବ ତମେ ଅନାମିକା
ବିବାହ ବଦଳରେ-
ବିରହର ବନ୍ଧନରେ ବାନ୍ଧି ହୋଇ
ମଥାରେ ପ୍ରେମର ସିନ୍ଦୂର ନାଇବା
କ'ଣ ତମ- ଭଲପାଇବା ନା ଭାବ ପ୍ରବଣତା?
ଭାବରୁ ଅଭାବ ଭରିଦିଏ ମନେ
ଦୁଃଖ ଯନ୍ତ୍ରଣା ଆଉ ବ୍ୟଥା
ନିଜେ ତମେ କାନ୍ଦି ମୋତେ ବି କନ୍ଦାଅ
ଏହିକି ଆମ
ଭଲପାଇବାର ସାର୍ଥକତା?
ମୋ' ଅଦୃଶ୍ୟରେ
ତମ ଦୁନିଆରେ
ତମେ ସିନା ପାଇଗଲ-
"ଯନ୍ତ୍ରଣା" ଓ "ପ୍ରତାରଣା" ନାମକ
ଦୁଇଟି ସନ୍ତାନର ନିବିଡ଼ତା
ତଥାପି ବି ଖୁସି ନୁହଁ ତମେ
ଦିବାନିଶି ଅଶ୍ରୁର ଅର୍ଚ୍ଚନାରେ
ଖୋଜି ହୁଅ- ମୋର ଆନ୍ତରିକତା !
ପର ଥିଲି ପର ବି ହୋଇଗଲି
ରହିଛି ମୁଁ ରହିଯିବି ଏକା ଏକା
ଦେଇ ଯାଉଛି ତୁମକୁ ମୁଁ
ମୋ' ସ୍ମୃତିର ଅବ୍ୟକ୍ତ କବିତା।
--ସମାପ୍ତ--