STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ନିବେଦନ ଏକ କନ୍ୟା ଭୃଣର

ନିବେଦନ ଏକ କନ୍ୟା ଭୃଣର

2 mins
14.3K


ନିବେଦନ ଏକ କନ୍ୟା ଭୃଣର

================


ମା ! ତୋ ମନର

ଅବ୍ୟକ୍ତ ବେଦନାରେ

ଆନ୍ଦୋଳିତ ହୁଏ ମୋ ସର୍ବାଙ୍ଗ ।

ଖେଳିଯାଏ ଭୟର ଶିହରଣ ।

ମ୍ରିୟମାଣ ମୁଁ ତୁ ବି ମ୍ରିୟମାଣ ।।


ଜାଣୁଛି ମୁଁ ତୁ ବିବଶ ଆଉ ନାଚାର

ସଭିଙ୍କ ଚାପରେ ଆଜି ତୁ କ୍ରୀୟାହୀନ ।

ଜୁଟାଇ ପାରୁନୁ ସାହାସ

ସମ୍ମୁଖୀନ ହେବାକୁ ସେ ପ୍ରତିବନ୍ଧ ସବୁ

ନଥିବାରୁ ତୋ ସହିତ କାହାର ସହାନୁଭୁତି

ତୁ ଆଜି ଉପାୟଶୁନ୍ୟ ।।


ଜନ୍ମହେଲେ ମୃତ୍ୟୁ ସୁନିଶ୍ଚିତ -

ଗୀତାର ଏ ବାଣୀ ଜାଣନ୍ତି ଜଗତେ ।

ହେଲେ ଜନ୍ମ ପୂର୍ବରୁ ମୃତ୍ୟୁ ସମ୍ଭବ ହେଉଛି

କନ୍ୟାଭୃଣ ହତ୍ୟା ରୂପେ

ଆଜି ଏ ମଣିଷର ହାତେ ।।


ହଁ ମା ! ଜାଣେନା ମୁଁ କେତେବେଳେ

ଆସିବ ସେ ଅଜଣା ମୁହୂର୍ତ୍ତ ।

ତୋ ଗର୍ଭସ୍ଥ ମୋର ଏ ଜୀବନ ଦୀପଟି

ହେବ ନିର୍ବାପିତ ।।


ମତେ କଣ ଆସିବାକୁ ଦେବୁନି ତୁ ମା ।

ସଭିଙ୍କ ଚାପରେ କଣ ତୁ ଚପିଯିବୁ ମା ?

ମୋ କରୁଣ ନିବେଦନ

ତୋ କଣ୍ଠରୁ କଣ ଶୁଣିବନି ଆହା ।।


ଅଧୀର ଏ ମନ ମୋର

କରିବାକୁ ତୋ କୋଳ ମଣ୍ଡନ ।

ତୁ କଣ ଅଧୀର ନୁହଁ

ସ୍ନେହବୋଳା ତୋ ଅଧରୁ

ମୋର ସେ କଅଁଳ ଗାଲରେ

ଦେବାକୁ ଚୁମ୍ବନ ।।


ବ୍ୟାକୁଳ ମୁଁ ଆସିବାକୁ ମା

ରଙ୍ଗିନ ସେ ପୃଥିବୀ ପୃଷ୍ଠକୁ ।

ଦେଖିବାକୁ ତା ଆକାଶେ

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଓ ତାରାଙ୍କୁ ।।


ପ୍ରଜାପତି ପରି ଘୁରିବୁଲିବାକୁ ଚାହେଁ

ସବୁଜ ସୁଷମାଭରା ତା ପ୍ରକୃତି କୋଳରେ ।

ଉଡିବାକୁ ଚାହେଁ ମୁହିଁ

ତା ଅନନ୍ତ ନୀଳ ଆକାଶରେ ।।


ଗାଇବାକୁ ଚାହେଁ ମୁହିଁ

କୋଇଲିର ସୁମଧୁର ସୁରେ।

ନାଚିବାକୁ ଚାହେଁ ମୁହିଁ

ଆନନ୍ଦରେ ଦୁନିଆର ଅଗଣାରେ ।।


ତୋପରି ଜାୟା ଜନନୀ ଭଗିନୀ ରୂପରେ

ନିଜକୁ ମୁଁ ଦେଖିବାକୁ ଚାହେଁ

ସୁନ୍ଦର ସେ ପୃଥିବୀ ବକ୍ଷରେ ।।


ପୁତ୍ରଠାରୁ କେଉଁ ଗୁଣେ ନୁହେଁ ମୁହିଁ ଊଣା ।

ଥରେ ମତେ ସୁଯୋଗ ତ ଦେ ଆସିବାକୁ

ଦେଖାଇଦେବାକୁ ଚାହେଁ

କନ୍ୟା ବି ଆଣିପାରେ ଶ୍ରେଷ୍ଠ ସଫଳତା

ହୋଇପାରେ ମଧ୍ୟ ଜଗଜ୍ଜିଣା ।।


ଜାଣେନା କି ଏ ସମାଜ -

ନାରୀ ଓ ପୁରୁଷ - ଏକ ବିନା ଆନ

ନୁହଁଇ ସମ୍ପୁର୍ଣ୍ଣ ।

ନାରୀର ଅବର୍ତ୍ତମାନରେ

ଅସମ୍ଭବ ଭବିଷ୍ୟତ ସୃଷ୍ଟି

ଲିଭିଯିବ ପୃଥିବୀ ବକ୍ଷରୁ ମଣିଷର ଚିହ୍ନ ।।


ଯେ ପର୍ଯ୍ୟନ୍ତ ଏ ନାରୀ ସମାଜ

ନ ବୁଝିଛି ନିଜ ଅଧିକାର ଆଉ

ନିଜର ସମ୍ମାନ,

କନ୍ୟାଭୃଣ ହତ୍ୟାର ସମାପ୍ତି

ରହିଥିବ ହୋଇ ପ୍ରଶ୍ନଚିହ୍ନ ।।


*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational