ନାତି ନାତୁଣୀ ଶୁଣ ମୋ ବାଣୀ
ନାତି ନାତୁଣୀ ଶୁଣ ମୋ ବାଣୀ
ଶ୍ରୀୟା,ଶ୍ରୀଧର,କାଦମ୍ବିନୀ, ବାବୁ ପ୍ରିୟଦର୍ଶନ
ହରିଣୀ,ହଂସିନୀ,ଅନୁଶ୍ରୀ ଘେନ ମୋର ବଚନ।୧।
ଯେବେ ସୁନାପିଲା ବନିବ, ମାନ ବଚନ ମୋର
ଭଲ ପାଠପଢା ସାଙ୍ଗକୁ,ଖେଳକୁଦେ ଆଦର।୨।
ପରିଷ୍କାର ପରିଚ୍ଛନ୍ନରେ, ସଦା ବଳାଅ ମତି
ସୁସ୍ଥ ରଖ ଶରୀର ମନ, ବିଭୁଠାରେ ଭକତି।୩।
ସଦା ସତ୍ୟେ ଲୟ ରଖିବ, ସତ୍ୟଟି ଭଗଵାନ,
ସତ୍ୟ ଶାନ୍ତି ଦୟା କ୍ଷମାର ଗୁଣେ ହୋଇ ଭୂଷଣ।୪।
ପିତାମାତା ଗୁରୁ ଚରଣେ ସଦା କର ଭକତି
ଭାଇ ଭଉଣୀ ସଖା ସଙ୍ଗେ,ସ୍ନେହ ଶରଧା ଅତି।୫।
ଗୁରୁ ଗୁରୁଜନ ସଙ୍ଗତେ, ଯଥା କରିବ ମାନ୍ୟ
ବିନୟ ସହିତ ଭାଷିବ, ମୃଦୁ ମନ୍ଦ ବଚନ।୬।
ଦୁଃଖୀ ରଙ୍କି ସେବା କାରଣେ,ସଦା ବଳାଅ ମତି
ପଶୁ ପକ୍ଷୀ କୀଟ ପତଙ୍ଗେ କର ଆଦର ଅତି।୭।
ବୃକ୍ଷ ଲତା ଆମ ଜୀବନ,ତା'ରେ କର ଯତନ
ପରିବେଶ ପରିଚ୍ଛନ୍ନରେ, ସଦା ବଳାଅ ମନ।୮।
ପ୍ରକୃତି ହିତରେ କରିବ, ସର୍ବଦା ମନଯୋଗ
ତା'ର ମାଟି ପାଣି ପବନ, ସଦା ରଖେ ନିରୋଗ।୯।
ଖେଳ ବେଳେ ଖେଳ ଖେଳିବ,ଖେଳେ ବଳାଅ ମନ
ଖେଳକୁଦ ବଳେ ନିରୋଗ,ରହେ ଶରୀର ମନ।୧୦।
ସାଇତି ରଖିବ ସଜାଇ, କର ଅଭ୍ୟାସ ନିତି
ସେହି ଗୁଣ ବଳେ ଜୀବନ, ହେବ ସରଳ ଅତି।୧୧।
ପ୍ରିନ୍ସ,ପ୍ରାଚୀ,ଶ୍ରୀୟା,ଶ୍ରୀଧର,ପୀହୂ,ପଲକ,ପ୍ରାପ୍ତି
ସାର୍ଥକ ହୋଇବ ଜୀବନ, ଘେନ ମୋର ମିନତି।୧୨।
ଗୁରୁ ବ୍ରାହ୍ମଣ ପିତା ମାତା, ଏ ମର୍ତ୍ତ୍ୟର ଦେବତା
ତାଙ୍କଠାରେ ଲୟ ରଖିଲେ,ହେବ ଜଗତ ଜିତା।୧୩।
ନିଜ କାମ ନିଜେ କରିବ,ତା'ରେ କର ଅଭ୍ୟାସ
ହୋଇ ଆତ୍ମନିର୍ଭରଶୀଳ ଲଭ ଗୌରବ ଯଶ।୧୪।
