ନାଥଙ୍କ କଥା
ନାଥଙ୍କ କଥା


ତରୁ ଦେଲା ଦାରୁ ତହିଁରୁ ଦେବତା
ତୁମ ସନ୍ତାପ ହାରିବା ପାଇଁ ।
ସ୍ନାନ ବାହାନାରେ ବାହାରକୁ ଆସେ
କାନେ କାନେ କହିଯିବା ପାଇଁ ।।
ସବୁ ଉପଚାର ପୂଜା ଭୋଗଦ୍ରବ୍ୟ
ଯାହାସବୁ ମୋ ପାଇଁ ଆଣିଛ ।
ତାକୁ ବାରେ ଦେଖି କୁହ ମୋତେ ଆଗେ
ପରିବେଶରୁ କେଉଁଟା ଛାଡିଛ ?
ସେହିସବୁ ଦ୍ରବ୍ୟ ଯାହାଠୁ ଆଣିଛ
ନିତ୍ୟ ସେହିଠାରେ ରହେ ମୁହିଁ ।
ପରିବେଶ ଭକ୍ତି ଯା ପାଶେ ରହୁଛି
ସଦା ତାହାର ଅନ୍ତରେ ମୁହିଁ ।।
ଚୁଆ ଚନ୍ଦନକୁ କସ୍ତୁରୀର ଲେପ
ନୀଳସାଗର ପାଇଡ଼ପାଣି ।
ମୋର ପିନ୍ଧାଲୁଗା ଫୁଲପତ୍ର ଶୋଭା
ପରିବେଶରୁ ମିଳଇ ପୁଣି ।।
ବେଶ ସଜାଇଲ ଗଣପତି ପୁଣି
ଦେଶେ ଯେ ଅଟେ ବିଚିତ୍ର ଜୀବ ।
ଅଗ୍ରପୂଜ୍ୟ ଯେବେ ଅନାଦର ପାନ୍ତି
କୋଉ ସଂସାର ଭଲେ ବଞ୍ଚିବ ?
ଜଗତର ନାଥ ନାମ ଧରିଅଛି
ସାରା ଜଗତ ପାଳିବା ପାଇଁ ।
ବସ୍ତୁଟିଏ ସାଜି ଖାଲି ବସି ନାହିଁ
ବିଶ୍ୱବ୍ରହ୍ମାଣ୍ଡେ ରହିଛି ଛାଇ ।