ନଆସୁ କଳୁଷ ଭାବନା
ନଆସୁ କଳୁଷ ଭାବନା
ଏଇ ଚିରନ୍ତନ ସତ୍ୟ ଅଳୀକ ଜୀବନରେ
ମଣିଷର ଲିପ୍ସା ପୁରି ଥାଏ ମନ ମଧ୍ୟରେ ।
ଲିପ୍ସା ପୂରଣ ହେବାକୁ ରହେ ଅତି ଆଶା
ତାହା ପୂରଣ ନହେଲେ ଆସଇ ହତାଶା ।
ହତାଶାରୁ ମୁକ୍ତି ପାଇଁ ଲୋଡା ଆଶ୍ୱାସନା,
ଆଶ୍ୱାସନା ସଦା ଢାଳିଥାଏ ଶାନ୍ତିର ଭାବନା ।
ଲଭିବାକୁ ଶାନ୍ତିର ଭାବନା ଦରକାର ଶିକ୍ଷା,
ସରବ ମଣିଷ କରିଥାଏ ଗୁରୁଙ୍କ କୃପା ଭିକ୍ଷା ।
ଧରାର ଅଙ୍ଗନେ ସେପରି ଗୁରୁଙ୍କ ଦର୍ଶନରେ
ଆଲୋକର ଅସୁମାରି ଆଶା ଭରେ ପ୍ରାଣରେ ।
ସେ ଆଲୋକର ଆକାଂକ୍ଷା ଆସିଲେ ମନରେ
ଜିଦ୍ ଆସେ ଅମାନିଆ ମନର ଅତଳ ଗହ୍ୱରେ ।
ଏହି ଭାବନା ଭରେ ମଣିଷର ଶିରା ପ୍ରଶିରାରେ
ପ୍ରଚେଷ୍ଟାରେ, ଜୀବନାଦର୍ଶ ଘଟେ ପୂର୍ଣ୍ଣରୂପାୟନରେ
ଜୀବନାଦର୍ଶ ଅନୁସାରେ ଭିନ୍ନଭିନ୍ନ ରୂପ ହୁଏ ଗୋଚର
ନିଜର ଭାବନା ସର୍ବଦା ହୁଏ କାରଣ ଦୁଃଖ ଓ ସୁଖର ।
ସୁଖୀ ହୁଏ ସୁନ୍ଦର ବିଚାର ଆସେ ଯାହାର ମନକୁ
ଯାତନା ଭୋଗଇ ଯିଏ ଭରିଥାଏ କଳୁଷ ଭାବନାକୁ
ହେ ଇଶ୍ୱର, ସବୁକିଛି ତୁମ ସୃଷ୍ଟି, ନୂହେଁ ଯଦି
ସ୍ୱୟଂ ସ୍ୱୀକୃତ
ମୋ ହୃଦୟ ପରାଣେ ଭରିଦିଅ ସୁନ୍ଦର ଧ୍ୱନିର
ସଂକେତ ।