STORYMIRROR

Sahadev Behera

Inspirational

2  

Sahadev Behera

Inspirational

ନାରୀ

ନାରୀ

1 min
139


ଅପୂର୍ବ ଏ ସୃଷ୍ଟି ରଚିଲ ହେ ସ୍ରଷ୍ଟା

        ନାହିଁ ତାର ପଟାନ୍ତର

ଜଳ ସ୍ଥଳ ବାୟୁ  ଖଞ୍ଜିଲ ତା ପାଇଁ

        ମାନବକୁ କରି ସାର ll 1

ପୁରୁଷକୁ ନାରୀ  ରମ୍ଭା ଅପସରୀ

        ସତ୍ୟଭାମା ସତୀ ସୀତା

ଏକକୁ ଆରେକ ଏ ନାରୀ ଚରିତ

       ଭଗିନୀ ରମଣୀ ସୂତା ll 2

କେ କହେ ଧରଣୀ ଜନନୀ ସମାନ

      ପାଳୁଛି ଆମକୁ କୋଳେ

ନାନା ଜାତି ଫୁଲ ଫଳ ଆମ ପାଇଁ

      ଭରିଛି ସେ ଗଛଡାଳେ ll 3

କିଏ କହେ ନାରୀ  ଅବଳା ଦୁର୍ବଳା

        କିଏ କହେ ସିଏ ବୀରା

ନାରୀର ଅସ୍ତିତ୍ବ ନ ଥିଲେ ସଂସାରେ

        ପୁରୁଷ ଯେ ଦିଗହରା ll 4

ସତ୍ଯ ଯୁଗେ ହରି ତୁମନାମ ସ୍ମରି

        ନ୍ୟାୟ ଧର୍ମେ ଉଡେ ଧ୍ବଜା

ମହିଷମର୍ଦ୍ଦିନୀ  ମୋହିନୀ ସୁନ୍ଦରୀ

        ମହାମାୟା ଦଶ ଭୁଜା ll 5

ତ୍ରେତୟାଯୁଗରେ ରାମ ଅବତାରେ

        ସତୀନାରୀ ସୀତା ପାଇଁ

ରାବଣ ବିନାଶୀ   ଯଶ ଉଡାଇଲ

       ନାରୀ ମାନ ରକ୍ଷା ପାଇଁ ll 6

ଦ୍ୱାପର ଯୁଗରେ କୃଷ୍ଣ ଅବତାରେ

         ଉଡାଇଲ ଧର୍ମ ଧ୍ବଜା

ଦ୍ରୌପଦୀ କଷଣ ନ ସହି ପାରିଣ

         ନିବାରିଲ ତାର ଲଜ୍ଜା ll 7

କଳିଯୁଗେ ନାରୀ   ନାନା ରୂପଧରି

         ବଢାଏ ଦେଶର ଯଶ

ସତୀ ଦାହ ପ୍ରଥା ବାଳୁତ ବିବାହ

        ହୋଇଯାଇଅଛି ଧ୍ବଂସ ll 8

ଆଜି ଏ ସମାଜେ  ନାରୀ ଯେ ଶିକ୍ଷିତା

          ସମ ଅଧିକାର ପାଏ

ଡାକ୍ତର , ଓକିଲ, କବି କେ ଶିକ୍ଷିକା

           କିଏ ନାଚେ ଗୀତ ଗାଏ ll 9

ସମାଜ ସେବିକା ଦେଶର ଶାସିକା

           କିଏ ପୁଣି ବୈଜ୍ଞାନିକ

କିଏ ଚିତ୍ରଶିଳ୍ପୀ କିଏ କଳାକାର

             ଇଞ୍ଜିନିୟର ସୈନିକ ll 10

ମହାକାଶେ ଯାଇ କେ ରଚଇ ଖ୍ୟାତି

            ହିମାଳୟ ଶୃଙ୍ଗ ଚଢେ

ଅଥଳ ସାଗର ପହଁରଇ କିଏ

        ସୀମାନ୍ତରେ ଶତୃ ଲଢେ ll 11

କରୁଣାର ବାରୀ ଅମୃତର ଧାର

           ସେବା ବ୍ରତୀ ପରହିତେ

ନାରୀ ପାଇଁ ନାରୀ ସୁରକ୍ଷା କବଚ

         ଚିନ୍ତଇ ସଂସାର ହିତେ ll 12

ନାରୀ ବିନା ଏଇ ସୃଷ୍ଟି ଅସମ୍ଭବ

       ସେ ପରା ଜନନୀ ଜାୟା

ମାତୃରୂପ ଧରି ପାଳଇ ସବୁରି

          ସେତ ଚିର ବନ୍ଦନୀୟା ll 13



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational