ନାରୀ ମହାନ୍
ନାରୀ ମହାନ୍
ନାରୀ କଣ ସତରେ ମହାନ !
ଆଜିର ଏକବିଂଶ ଶତାବ୍ଦୀରେ
ନା' ତାକୁ ମହାନ କରିଦିଆଯାଏ
କେଇଖଣ୍ଡ ଦସ୍ତାବିଜ ରେ
ଖଣ୍ଡେ କଲମ ମୁନରେ
ଆଉ କିଛି ଦମଦାର୍ ଭାଷଣରେ
ନିଜର ସ୍ୱାର୍ଥ ପାଇଁ ।
ନାରୀ କଣ ଚାହେଁ ?
ଏମିତି ମହାନ ହେବା ପାଇଁ ?
ଏହି କୃତ୍ରିମତାର ମାୟା ଜାଲରେ,
ବାନ୍ଧି ହୋଇ ଅଣନିଶ୍ୱାସୀ ହେବା ପାଇଁ
ତେବେ ନାରୀ ପାଦ ରେ ଶୃଙ୍ଖଳ କାହିଁକି ?
ଖବର କାଗଜ ରେ ନାରୀ ହିଁ ଖବର
ସିଏ ଦୁଷ୍କର୍ମର ଶିକାର ହେଉ
ଅବା ତା' ପ୍ରତି ବ୍ୟଭିଚାର
ସବୁଠି ସେହି ଶବ୍ଦର ଚିତ୍କାର
କାହିଁକି ? କାହିଁକି ?
ତଥାବି ନାରୀ ମହାନ ହେଇଯାଏ
ଯେମିତି ଆମ ଘର ଭିତରେ ଭଗବାନ
କେଇ ମିନିଟ ର୍ ପ୍ରାର୍ଥନା ପାଇଁ
ଯେମିତି ଜୀବନ୍ତ ହେଇ ଉଠନ୍ତି
ପୁଣି ତା' ପରେ ସେଇ ଅନ୍ଧାର ଘର ଭିତରେ
ନିର୍ଜୀବ ପାଲଟି ଯାଆନ୍ତି ।
