STORYMIRROR

Upendra prasad Mahala

Classics Inspirational Others

4  

Upendra prasad Mahala

Classics Inspirational Others

ନାଚ ଚୁଲବୁଲି ନାଚ

ନାଚ ଚୁଲବୁଲି ନାଚ

2 mins
297


ନାଁ ତାର ଚୁଲବୁଲି
ନିର୍ବୁଦ୍ଧିଆ, ପାଉଁଶ ରଙ୍ଗର
ବୋଲକରା ଝିଅଟେ
ଫୁଲ ଜରି ଡ୍ରେସ ପିନ୍ଧି
ସଜ ହୋଇ ପାଳକ 'ବୁଢା ବାପ'
ହାତ ବାଡିକୁ ଧରି ବାଟ ଚାଲୁଥାଏ
ଗାଁ ଦାଣ୍ଡରେ ଠିଆ ହେଲେ
ଦେଖଣାହାରୀଙ୍କ ଭିଡ ଜମେ
ମଝି ଖରାବେଳେ ।


ଦାଣ୍ଡ ଧୂଳିରେ ଗଡି, ଉଠି ନାଚ
ଦେଖାଏ, ଚକା ଭଉଁରି ଖେଳେ,
ବାଉଁଶ ରାଣୀ ସାଜି ଶୂନ୍ୟକୁ
ଶୂନ୍ୟ କୁଦା ମାରୁଥାଏ ।
ପାଦରେ ଘୁଙ୍ଗୁର ନାଚୁଥାଏ
କାନରେ ଝୁମୁକା, ବେକ ମାଳି
ହଲି ହଲି ଝୁଲୁଥାଏ ।
ନାଚ, ଅଭିନୟରେ ମାହିର
ଚୁଲବୁଲି ସଭିଙ୍କ ମନର
କିଶୋରୀ ପ୍ରେମିକା ସାଜେ।


ହୁଣ୍ଡି ହାଉଡି ଝିଅଟେ !!
ପାଟି ଫିଟାଇ କାହାକୁ କିଛି
କହି ପାରେନା ହାତ, ଗୋଡ
ହଲାଇ ମନକଥା କହେ
ଜାଡିଟେ ବୋଲି କେହି
ହତାଦର କରନ୍ତିନି
ଦାନ୍ତରେ ଲୁଗା କାନି କାମୁଡି
ଦେଖଣାହାରୀଙ୍କୁ ଆଖି
ମିଟିକା ମାରୁଥାଏ
ଚଗଲାମିରେ।


ଲୋକଙ୍କ ଭିଡ ଦେଖିଲେ
ଖୁସିରେ ବାଡି ଖଣ୍ଡେ ଧରି ନାଚେ
ପାଳକ ବାପର ଢୋଲକି ବାଜା
ଦର୍ଶକଙ୍କ ତାଳି ମାଡ
ଆନମନା କରେ।
ସଭିଙ୍କ ଆଖିକୁ ଯାଦୁ କରି
ଗାଁର ବୁଢି ମାଇପି ଭଳି
ଚାଲିକି ଦେଖାଏ।


ତାକୁ ଦେଖାଶୁଣା କରୁଥିବା
ବୁଢାବାପାର ଠାରକୁ ବୁଝେ।
'ନାଚ ଚୁଲବୁଲି ନାଚ' କହିଲେ
କଥା ମାନି ଦର୍ଶକଙ୍କ
ମନୋରଞ୍ଜନ କରୁଥାଏ।
ଥକିଗଲେ ବସେନି
ଭୋକ ଲାଗିଲେ କାନ୍ଦେନି
ଆଖିରୁ ଝରୁଥିବା ଲୁହ
କାହାକୁ ଦେଖାଏନି ।
ବାଜାର ତାଳେତାଳେ ଝୁମି
ବୁଢା ବାପ ଲାଗି ଦର୍ଶକଙ୍କ
ଆଗରେ କାନି ପାତୁଥାଏ ।


ଜାଡି ଝିଅଟେ କଥା କହି ପାରେନି
ନିଜ ଭିତରେ ବୁଢ଼ା ବାପର
ଦରଦୀ ଛବିକୁ ଦେଖେ।
'ଚୁଲବୁଲି' ଡାକ ଶୁଣିଲେ
କୋଳକୁ ଆଉଜି ପଡେ,
କାନ୍ଦ କାନ୍ଦ ହୁଏ ।
ନାଚ ଦେଖାଇ ସାରି ଲୋକଙ୍କ
ପାଦକୁ ଧରି ମୁଣ୍ଡିଆ ମାରେ,
ଲୁଗା ଖିଅ ଟାଣି ଅଳିକରେ।
ଜୁଳୁଜୁଳୁ ଚାହିଁଥାଏ
ସଭିଙ୍କ ହାତର ଦାନକୁ।


ପାଳକ ବୁଢ଼ାବାପ ପୂଜା କରୁଥିବା
ଏକ ପୁରୁଣା ଫଟୋକୁ
ମୁଣିରୁ କାଢି ଆଣି
ନିଜ ମୁହଁ ଛବି ଦେଖିଲେ
ବିଭୋର ହୁଏ ଖୁସିରେ।
ସେ ଜାଣେନି ଏତେ ବଡ
ପୃଥିବୀରେ ତା ପରିଚୟ,
କେଉଁଠି ତା ନିଜ ଘର ।
ପିଲାଦିନେ ଦେଖିଛି ବିଜୁଳି ତାରରୁ
ତଳକୁ ଛିଟିକି ପଡି କେମିତି
ଆଖି ବୁଜିଥିଲେ ମା' ବାପ।


ସେଦିନୁ 'ବୁଢାବାପ'କୁ ନିଜର ମାନି
ମମତାରେ ବନ୍ଧା ପକାଇଛି ମନ।
ଜାଣିଛି ବୁଢା ମଣିଷଟି ତା' ପୃଥିବୀ
ଦିନରାତି ଚାରିପାଖେ ଘୁରୁଥାଏ,
ଦାନାପାଣି ସଂସାରର
ରୂପ ଦେଖୁଥାଏ ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics