ନ କହିବା ଶ୍ରେୟସ୍କର
ନ କହିବା ଶ୍ରେୟସ୍କର
ମୁଣ୍ଡଝାଳକୁ ତର୍ଜନୀରେ ତର୍ଜମା କରିଛି
ମୁଣ୍ଡଫଟା ଖରାକୁ ପିଠି ପଡେଇ ସହିଛି
କେବଳ ମଣ୍ଡାପିଠା ଖିଆ
କେବଳ ମାଡ଼ହାଣ୍ଡି ବୁହା
ମାନନୀୟ ମାନନୀୟେଷୁଙ୍କ ପାଇଁ
ମହୋଦୟ ସମୀପେଷୁ ମାନଙ୍କ ପାଇଁ ।
ନାଲି ଚାହା ପିଇ ଛକରେ ବହେ ବକିଛି ଗର୍ଜିଛି
ଖବରକାଗଜ ପଢ଼ୁ ପଢୁ କେତେ ତର୍ଜିଛି ଚଷିଛି
କେବଳ ଭାରତର ଭବିଷ୍ୟତ ପାଇଁ
କେବଳ ଆଗାମୀ ଉତ୍ତର ସୂରୀ ପାଇଁ ।
ଅପବାଦ ଅପମାନକୁ ଚଳୁ କରି ପିଇଛି
ସମସ୍ୟା ଜଞ୍ଜାଳକୁ ଚୁଟ୍କି ମାରି ଡେଇଁଛି
କେବଳ ଦେଶପ୍ରେମକୁ ନେଇ
କେବଳ ଦେଶ ମାତୃକାର
ଅଭିମାନ ସ୍ୱାଭିମାନକୁ ମୁଣ୍ଡରେ ବସେଇ ।
ଜବାବ ମାଗୁଛି ଭାରତ
କୁହ କୁହ କୁହାମୁଣ୍ଡା କାଶିଆ-କପିଳା ମାନେ
ଭତ୍ତର ଚାହୁଁଛି ଭାରତ
ରୁହ ରୁହ ପଘାଛିଣ୍ଡା ଅଣ୍ଡିଆ-ପାଣ୍ଡିଆ ମାନେ ।
ଜନ ଆକ୍ରୋଷର ବାଡ଼ବାଗ୍ନି ଆଗରେ
ଜନ ଅସନ୍ତୋଷର ବହ୍ନି ସମକ୍ଷରେ
ଲକ୍ଷ ଲକ୍ଷ ବୁଭୁକ୍ଷିତ ଜନତା ଜନାର୍ଦ୍ଦନ ପାଖରେ
ତୁମର ଆକାଶଛୁଆଁ କଳା ଦୁନିଆ
ତିଷ୍ଠିବ କି ?
ତୁମର ସାତତାଳ ପଙ୍କରେ ପୋତା
ଗୁପ୍ତଧନ ରହିବ କି ?
କହିବା କଷ୍ଟକର
ଭିଡ଼ ଭିତରୁ ମୋର କ୍ଷୀଣ ଆବାଜ୍
ଜଣେ ଅଧେ କୁ
ଭଜ୍ଜିବିତ କରି ପାରିବ
କି ନ ପାରିବ
ନ କହିବା ଶ୍ରେୟସ୍କର ?