STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ମୂଳ କଥା କଳ୍ପବଟ ମୂଳେ

ମୂଳ କଥା କଳ୍ପବଟ ମୂଳେ

2 mins
16


ପୁରାଣ ପ୍ରସିଦ୍ଧ କଳ୍ପବଟ ବୃକ୍ଷ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ

ଶଙ୍ଖ କ୍ଷେତ୍ର ନାଭି ସ୍ଥଳେ ବିଦ୍ୟମାନ

ପବିତ୍ର ବୃକ୍ଷ ରୂପରେ

କଳ୍ପ ଶବ୍ଦ ଆକ୍ଷରିକ ଭାବାର୍ଥରେ

ସମୟକୁ ହିଁ ବୁଝାଏ

ଭିନ୍ନ ଏକ ତଥ୍ୟ ଅଛି ବିଶେଷତ୍ଵ

ଭକ୍ତ ମୁଖେ ଶୁଣାଯାଏ

ମନୋବାଞ୍ଛା ପୂର୍ଣ୍ଣ କାରୀ ଏହି ବୃକ୍ଷ

ଏକ ମତ ଭକ୍ତ ଗଣ

ବାନ୍ଧି ସୂତା ଗୁଡା ଗୋଡ଼ିଟିଏ ବୃକ୍ଷେ

ହୁଏ ଇପ୍ସିତ ପୂରଣ


ସତ୍ୟ ନାରାୟଣ ମନ୍ଦିର ଏବଂ

ମୁକ୍ତି ମଣ୍ଡପ ମଧ୍ୟରେ

ଅବସ୍ଥିତ ପୁଣ୍ୟ କଳ୍ପ ବଟ ବୃକ୍ଷ

ଦୃଶ୍ୟମାନ ସହଜରେ

କଳ୍ପବଟ ବୃକ୍ଷର ପୂର୍ବ ଦିଗରେ

ବାଳ କୃଷ୍ଣଙ୍କ ମନ୍ଦିର

ବଟ ପତ୍ରରେ ଶାୟିତ ବାଳକୃଷ୍ଣ

ମୂର୍ତ୍ତି କଳା ପଥରରେ

ବଟ ବୃକ୍ଷ ମୂଳେ ଦକ୍ଷିଣ ଦିଗକୁ

ବଟ ଗଣେଶ ସ୍ଥାପିତ

ଜଗନ୍ନାଥ ଦାସ କଳ୍ପ ବଟ ମୂଳେ

ରଚି ଥିଲେ ଭାଗବତ

ଜଗନ୍ନାଥ ଦାସ ଓ ଶ୍ରୀଚୈତନ୍ୟଙ୍କ

ବଟ ମୂଳରେ ସାକ୍ଷାତ

ପ୍ରଦକ୍ଷିଣ କଳ୍ପବଟ ଚାରି ପଟେ

ତିନିଥର କରେ ଭକ୍ତ

ନିଜ ମନସ୍କାମ ହୁଅଇ ପୂରଣ

ଭକ୍ତ ମନରେ ବିଶ୍ୱାସ

ବୃକ୍ଷେ ଡୋରି ବାନ୍ଧି ଦୁଃଖ ଜଣାଇବା

ଭକ୍ତ ହୃଦେ ଅଭିଳାଷ

ରଥ ଯାତ୍ରା ପରେ ବିଗ୍ରହମାନଙ୍କୁ

ପାଛୋଟି ନେବା ବିଧାନ

କିଛି କ୍ଷଣ କଳ୍ପବଟ ନିକଟରେ

ଅଟକି ରହନ୍ତି ଜାଣ 


ଜଳ ପ୍ରଳୟ ର ବହୁ ଆରମ୍ଭରୁ

ବଟ ବୃକ୍ଷ ଅବସ୍ଥିତ

କଳ୍ପ ଆରମ୍ଭରୁ ବିଦ୍ୟମାନ ଜାଣି

କଳ୍ପ ବୃକ୍ଷ ନାମେ ଖ୍ୟାତ

ବାଳମୁକୁନ୍ଦ ହିଁ ଶୟନ ମୁଦ୍ରାରେ

ବଟ ପତ୍ରେ ରହି ଥିଲେ

ପ୍ରଭୁଙ୍କ ଗର୍ଭରେ ମାର୍କଣ୍ଡେୟ ମୁନି

ବିଶ୍ଵ ବ୍ରହ୍ମାଣ୍ଡ ଦେଖିଲେ

ପ୍ରଳୟ ରୁ ସୃଷ୍ଟି ,ସୃଷ୍ଟି ରୁ ପ୍ରଳୟ

ସଂପୂର୍ଣ୍ଣ ସମୟ କଳ୍ପ

ଦାରୁବ୍ରହ୍ମ ରୂପରେ ଶ୍ରୀଜଗନ୍ନାଥ 

କଳ୍ପବଟ ର ସ୍ବରୂପ 

ପରମାତ୍ମା ସ୍ଵୟଂ ବିଜେ ଦାରୁ ରୂପେ

ଜୀବର ଆତ୍ମା ପ୍ରତୀତ 

ଭକତି ଭାବରେ ବିହ୍ବଳ ଭକତ

କହୁଛି ଜଗତ ନାଥ

ପ୍ରଳୟ କାଳେ ବଟ ପତ୍ର ଉପରେ

ବାଳମୁକୁନ୍ଦ ରୂପରେ

ଶ୍ରୀହରି ବୁଢ଼ା ଆଙ୍ଗୁଠିକୁ ଚୁଚୁମି

ଥିଲେ ଶୟନ ମୁଦ୍ରାରେ

ସତ୍ୟ ଯୁଗେ କଳ୍ପବଟ ପରିବ୍ୟାପ୍ତ

ସଂପୂର୍ଣ୍ଣ ଏକ ଯୋଜନ 

ରହିଥିଲା ଏକ ଯୋଜନ ଉଚ୍ଚତା

ପୁରାଣ କରେ ବର୍ଣ୍ଣନ

କଳ୍ପବଟ ମାୟା ମୋହ ଠୁ ଦୂରରେ

କରିଅଛି ଅବସ୍ଥାନ

ଚଉଦ ଭୁବନ ପର୍ଯ୍ୟନ୍ତ ବିସ୍ତୃତ

ହୋଇଅଛି ନିରୂପଣ

କଳ୍ପବଟ ଅବସ୍ଥା ଅପରିବର୍ତ୍ତିତ

ନାହିଁ ବାଲ୍ୟ-ବୃଦ୍ଧାବସ୍ଥା

ମର୍ତ୍ତ୍ୟ ମଣ୍ଡଳେ ହୋଇଛି ବିରାଜିତ

ସର୍ବଦା ଯୁବ ଅବସ୍ଥା

ହୋଇପାରେ ସ୍ୱ-ଇଛାରେ ନଭଶ୍ଚୁମ୍ବି 

କଳ୍ପବଟ ଇଛାମୟ

ଅତି କ୍ଷୁଦ୍ର ବି ହୋଇପାରେ ସହଜେ

ସ୍ୱ-ଇଚ୍ଛାରେ ଲୀଳାମୟ

କଳ୍ପବଟେ ନାହିଁ ପୁଷ୍ପ ନାହିଁ ଫଳ

ପତ୍ର ଦ୍ଵାରା ବିଭୂଷିତ

କଳ୍ପବଟ ମୂଳେ କରିଲେ ସାଧନ

ଶୀଘ୍ର ସିଦ୍ଧି ହୁଏ ପ୍ରାପ୍ତ

କଳ୍ପବଟ ଉର୍ଦ୍ଧରେ ବାଳମୁକୁନ୍ଦ

ଦର୍ଶନ ହୁଏ ପ୍ରତୀତ

ସ୍ୱର୍ଗୀୟ ବଟ ର ମାନ୍ୟତା ରହିଛି

ବୀଜ ସ୍ଵର୍ଗରୁ ଆନୀତ 

କଳ୍ପବଟ ର ଶାଖାରେ ଜୀବ-ପରମ

ପକ୍ଷୀ ଦ୍ୱୟ କରେ ଲୀଳା

କଳି କାଳେ କ୍ଷୁଦ୍ର ରୂପେ ବିଦ୍ୟମାନ

ମନ୍ଦିର ବେଢ଼ାରେ ଖଳା

ପୁତ୍ର ସନ୍ତାନ ଆଶାରେ ଆରାଧନା

ହେଲେ କଳ୍ପବଟ ମୂଳେ

କଳ୍ପନା କାମନା ହୁଅଇ ପୂରଣ

ନିଶ୍ଚେ ସୁଫଳ ହିଁ ମିଳେ

କଳ୍ପବଟ ପରିକ୍ରମା ତିନିଥର

କଲେ ହୁଏ ପାପ କ୍ଷୟ

ସାକ୍ଷାତ୍ ବ୍ରହ୍ମ ସ୍ବରୂପ କଳ୍ପବଟ

ତିଳେ ବି ନାହିଁ ସଂଶୟ

କଳ୍ପ ବଟେ ଡୋରି ବାନ୍ଧି ମନାସିବା 

କଳି କଳୁଷ ନାଶନେ 

କଳ୍ପବଟ ମୂଳ ଦୁଃଖ ଜଣା ସ୍ଥଳ

ଏ କଥା ରହୁ ସ୍ମରଣେ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract