ମୁଁ
ମୁଁ
ଏକାକ୍ଷର ଶବ୍ଦୁ ମୋସୃଷ୍ଟି ନାମ ଅଟେ “ମୁଁ” କାର ।
ଶବ୍ଦ ଉଚ୍ଚାରଣ ମାତ୍ରକେ ଲାଗେ ଗୁରୁ ଗମ୍ଭୀର ।
ପ୍ରଥମ ପୁରୁଷ ଅଟଇ ବ୍ୟାକରଣ ଶାସ୍ତ୍ରର ।
କର୍ତ୍ତା ରୂପେ ବାକ୍ୟେ ପ୍ରୟୋଗ ହୁଏ ମୁଁ ନିରନ୍ତର ।
ମୁଁ କାର ଶବ୍ଦଟି ସର୍ବଦା ଅହଂଭାବ ପ୍ରତୀକ ।
ଗର୍ବ ଅହଂକାରେ ମନୁଷ୍ୟ ହୁଅଇ ଅବିବେକ ।
କର୍ତ୍ତା ମୁହିଁ ବୋଲି ନିଜକୁ କରେ ବୃଥାଭିମାନ । ମଦମତ୍ତ ହୋଇ ସଭିଙ୍କୁ କରଇ ଅପମାନ ।
ଅସହିଷ୍ଣୁ-ଆତ୍ମବଡ଼ିମା-ପରଶ୍ରୀକାତରତା
ମୁଁ କାର ଶବ୍ଦର ଅଟନ୍ତି ଏମାନେ ଜନ୍ମଦାତା ।
ଅନର୍ଥ ଶବ୍ଦଟି ମୁଁ କାର ସେ ମହାଭୟଙ୍କର ।
ଧନ-ଯୌବନ ପ୍ରଭୁତ୍ବ ଏ ସବୁ ତା' ସହୋଦର ।
ମୁଁ କାରରୁ ମହାଭାରତ-ରାମାୟଣର ସୃଷ୍ଟି ।
ଗର୍ବ ଗାରିମାରେ ରାବଣ ହେଲା ତ୍ରିଲୋକପତି ।
ମହାମାନୀ ଦୁର୍ଯ୍ୟୋଧନ ଯେ ହେଲେ ହସ୍ତିନାପତି ।
ମୁଁ କାରେ ପଣରେ ଉଭୟେ ହୋଇଗଲେ ଯେ ଇତି
।
ପ୍ରବଳ ପ୍ରତାପୀ କଂସର ଥିଲା ଯେ ଅହଂ ଭାବ ।
ଦର୍ପ-ଔଦ୍ଧତ୍ଯକୁ ନାଶିଲେ ଶ୍ରୀକୃଷ୍ଣ ବାସୁଦେବ ।
ବିଶ୍ବାମିତ୍ର ଅହମିକାକୁ ଧ୍ୱଂସ କଲେ ବଶିଷ୍ଠ ।
ଶାନ୍ତ ଓ ଉଦାର ଗୁଣରେ ଯଶ କଲେ ସ୍ଥାପିତ ।
ଅହମିଳା ସହ ମମତ୍ବ ଭାବ ଅଟେ ନିକୃଷ୍ଟ ।
ଅହମିକା ଥାଏ ମମତ୍ବେ ବୁଦ୍ଧି ହୁଏ ବିନଷ୍ଟ ।
ସ୍ବେଚ୍ଛାଚାର ଅଟେ ଜନକ ଗର୍ବ ଅହଙ୍କାରର ।
ଗୁରୁ-ଗୁରୁଜନ ସଭିଙ୍କୁ କଲେ ସେ ହତାଦର ।
ମୁଁ କାର ଭାବଟି ବ୍ୟକ୍ତିର ଅଟଇ ତାମସିକ ।
ନୀଚ ଘୃଣ୍ୟ କାର୍ଯ୍ୟେ ମନୁଷ୍ୟ ହୁଏ ଅସାମାଜିକ ।
ସାଧୁତା ଗୁଣଟି ସର୍ବଦା ଅଟେ ମୁଁ କାର ଶୂନ୍ୟ । ମାନବରୁ ହୁଏ ମହାତ୍ମା ସର୍ବେ ଦିଅନ୍ତୁ ଧ୍ୟାନ ।
ଗର୍ବୀ-ଅହଙ୍କାରୀ ମନୁଷ୍ୟ ଅଟେ ମହାନାସ୍ତିକ ।
ନ ରଖି ଈଶ୍ବରେ ବିଶ୍ବାସ କରେ ପାପ ଅନେକ ।
ଅର୍ଜୁନଙ୍କ ଅହଂଭାବକୁ ପ୍ରଭୁ କରିଲେ କ୍ଷମା ।
ମୁଁ ନ ମଲେ ଅର୍ଜୁନ ମୋତେ ତୁ ନ ପାଇବୁ ଜମା ।
ଅହଙ୍କାରୀ ହିଟଲର୍ର ଥିଲା ସ୍ୱେଚ୍ଛାଶାସନ ।
ନରହନ୍ତା ରୂପେ ବିଶ୍ବରେ ହେଲା ପରିଗଣନ ।
ହିଟଲର୍ର ଅହଂ ଦୁର୍ଗଟି ହେଲା ଆଧୋପତନ ।
ତା'ସାମ୍ରାଜ୍ୟ ହେଲା ବିଧ୍ବଂସ ନିଜେ ହୋଇଲା ଚୂର୍ଣ୍ଣ ।
ରବି-ଶଶୀ-ତାରା ଉର୍ଦ୍ଧ୍ବରେ ସଦା ବିରାଜୁଥାନ୍ତି ।
ନିରହଂକାରେ ସଭିଙ୍କୁ ଜ୍ୟୋତି ପ୍ରକାଶୁଥାନ୍ତି ।
ମୁଁ କାରର ପରିଭାଷା ଯେ ଅଟଇ ନିର୍ବୋଧତା ।
ବିନୟ-ଉଦାର ସ୍ବଭାବେ ବଢେ ଗୁଣ ସାଧୁତା ।
ଅହଂ ମମତ୍ବର ଯନ୍ତାରୁ ହୁଏ ଯିଏ ମୁକତ ।
ମହାତ୍ମା ଭାବରେ ଏ ଭବେ ସେହି ହୁଏ ପୂତ ।
ମୁଁ କାରର ସ୍ରଷ୍ଟା ଅଟଇ ଷଡ଼ରିପୁ ବ୍ଯକ୍ତିର ।
ମହାବ୍ୟାଧି ହୋଇ ତାହାକୁ ନାଶ କରେ ସତ୍ବର ।
ମୁଁ କାରକୁ ତ୍ଯଜି ଉଦାର ଯେବେ ହୋଇବ ନର ।
ଈଶ୍ବର କୃପାରେ ମହାନ ହେବ ସେ ନିରନ୍ତର ।
