STORYMIRROR

Ajaya Mahala

Romance

4  

Ajaya Mahala

Romance

ମୁଁ ରାଗିଛି ତୁମ ଉପରେ

ମୁଁ ରାଗିଛି ତୁମ ଉପରେ

1 min
588


'ମୁଁ ରାଗିଛି ତୁମ ଉପରେ' -

ଏଇଟା ତୁମର ଚେତାବନୀ ନୁହେଁ

କି ପ୍ରଳୟଙ୍କରୀ ବାତ୍ୟା ଆସିବାର 

ପୂର୍ବ ସତର୍କବାଣୀ ବି ନୁହେଁ

ତୁମ ତରଫରୁ ସରଳ ଅଲିଖିତ 

ସୂଚନାଟିଏ ମାତ୍ର


ତୁମେ ଜାଣି ସାରିଛ

ତୁମକୁ କଷ୍ଟ ଦେଲା ଭଳି

ଏ ଭୁଲ ସବୁ 

ମୁଁ ଜାଣିଶୁଣି କରିନାହିଁ

ସେଇଥିପାଇଁ ତ ଏମିତି

କୋହଳ ଆଉ କୋମଳ 

କରି ଦେଇଛ

ଏହି ଦୃଷ୍ଟିଆକର୍ଷଣକାରୀ

ସୂଚନାର ଭାଷାକୁ

ଯେମିତି ଏହି

" ମୁଁ ରାଗିଛି ତୁମ ଉପରେ"

ମୋର ଗୋଟିଏ କ୍ଷମା ପ୍ରସ୍ତାବ 

ଯାହା ଆଗରୁ ଅନୁଗ୍ରହ ପୂର୍ବକ 

ବିଚାର ହୋଇ ତୁମଦ୍ୱାରା 

ମଞ୍ଜୁର ହୋଇ ସାରିଛି

କିନ୍ତୁ ମୁଁ ମୁହଁ ଖୋଲି ନ ମାଗିଲେ

ଏମିତି କେମିତି ମାଗଣାରେ

କ୍ଷମା ଦେଇ ଦେବ ତୁମେ !


ମୁଁ ତ ତୁମ ଥାନାରେ

ଅନେକ ଦଫାରେ 

କେତେ ଥର ବନ୍ଦୀ ହୋଇ

କେତେ ଥର ମୁକୁଳି ଥିବା

ହିଷ୍ଟ୍ରି ଶୀଟର ଅପରାଧୀ

ଟିକିଏ କେଉଁଠି ଉପଦ୍ରବ ହେଲେ

ତୁମ ଭ୍ୟାନ ଆସି

ପ୍ରଥମେ ମତେ ଜେରା କରେ


ମତେ କେହି ପ୍ରଶଂସା କରିଦେଲେ

ତୁମେ ଭାବ ସେଥିରେ 

ମୋ ହାତ ଅଛି ବୋଲି


ଯଦି କାହାରିକୁ

ଏପଟେ ଅଯାଚିତ ଅନୁକମ୍ପା ଦେଖାଏ

ସେପଟେ ତୁମେ ନିଜକୁ ବଞ୍ଚିତ ଅନୁଭବ କର


ରାସ୍ତାରେ ଚାଲୁ ଚାଲୁ 

ଯଦି ମତେ କେହି ଲେଉଟି ଚାହେଁ

ତୁମେ ସେଥିପାଇଁ ଦୋଷ

ମୁଁ ମୁହଁରେ ନିତ୍ୟ ଫୁଟାଉଥିବା 

ସ୍ମିତ ହସଟିକୁ ଦିଅ


ଯଦି ମୋ ଜନ୍ମଦିନରେ 

ଶୁଭେଚ୍ଛାର ସୁଅ ସବୁ ମାଡ଼ିଆସେ

ତୁମେ ପ୍ରଶ୍ନ କର

ଜନ୍ମଦିନ ପାଳନକୁ ମୁଁ 

କେବେଠୁଁ ଏତେ ମହତ୍ତ୍ୱ 

ଦେବାକୁ ଆରମ୍ଭ କରିଦେଇଛି

ଯେ ତୁମେ ତାହା

ଅନ୍ୟମାନଙ୍କ ଆଗରୁ

ଜାଣି ପାରିଲନି 


ଏତେ ରାଗ ଯେ 

ତୁମ ଥାନାକୁ ଯାଇ 

ତୁମ ଆଗରେ ବିନା ଅନୁମତି

ଚେୟାର ଟାଣି ବସିଲେ

ଉଠି ଠିଆ ହୋଇ ଯିବାକୁ କୁହ


ଏ ସବୁ ଆରୋପ ଆଉ ପ୍ରତ୍ୟାରୋପ

ଏବେ ଦେହ ସୁହା ହୋଇଗଲାଣି

ଆଉ ତୁମେ ବି ଜାଣି ସାରିଲଣି

ମୋ ଅପରାଧ କରିବାର ସୀମା କଣ

ଆଉ ଆଗପରି 

ତୁମ ଭ୍ୟାନର ନାଲି ବତୀ

ଦେଖି ଡରେନା 

"ନମସ୍ତେ ମ୍ୟାଡ଼ମ" କହି

ଚେୟାର ଟାଣି ବସେ 

ନିଡର ହୋଇ ତୁମ ଆଗରେ 

ତୁମେ ଯେଉଁଠି 

ଦସ୍ତଖତ କରିବାକୁ କୁହ

ମୁଁ ସେଇଠି ଆଖିବୁଜି 

ତାହା କରିଦିଏ -

ତାହା ପୁଣି 

ତୁମଠୁଁ କଲମ ମାଗି ।


ଆମ ଭିତରର ମାମଲା ସବୁ

ଏମିତି ନିତି ଦଫା ରଫା ହୁଏ

ଭାରି ଭଲ ଲାଗେ 

ଯେବେ ତୁମେ ଥରୁଟିଏ 

ମୋ ଆଖିରେ 

ଆଖି ମିଳାଇ ନିଅ 

ମୋ ଅନଭ୍ୟସ୍ତ ଦରପାଠୁଆ

ହାତର ହସ୍ତାକ୍ଷରକୁ 

ତୁମ ଥାନାର

ମୋଟା ରେଜିଷ୍ଟର ଭିତରେ

ବନ୍ଦ କଲା ବେଳେ ।


      ~💝~


Rate this content
Log in

Similar oriya poem from Romance