ମୁଁ ଓଡ଼ିଆ
ମୁଁ ଓଡ଼ିଆ
ମା' ଗୋ
ତୁ ଅମୃତମୟୀ,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ମା' ଗୋ
ମମତାମୟୀ
ତୋ କୋଳେ ଜନ୍ମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ତୋ'ରି ଜଳ, ବାୟୁ, ବନାନୀ,
ଭରିଚି ତୋ ରକ୍ତରେ ମୋ ଜୀବନି,
ତୋ କୋଳେ ଜନ୍ମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
କଳାଭାସ୍କର୍ଯ୍ୟରେ ଭରିଛି
ତୋ ଶରୀର,
ଝରିଆସେ ପ୍ରେମଭାବ
ହୃଦୟରୁ ମୋର,
ତୋ କୋଳେ ଜନ୍ମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ବ୍ରାହ୍ମଣୀ, ବିରୁପା ଓ ମହାନଦୀ,
ସେବନ୍ତି ତୋ' ଚରଣେ
କେତେ ନଦୀ,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
କୋଣାର୍କ, ମହାନ୍ ଜଗନ୍ନାଥ ଧାମ,
ନଭଶ୍ଚୁମ୍ବୀ ତୋର ଐତିହ୍ୟ,
ନାହିଁ କେ ତା ସମ,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ଅକଳନ ଅସୁମାରୀ ତୋ' ସଂସ୍କୃତି
ସାହିତ୍ୟ, ଭକ୍ତି, ବୀରତ୍ୱରେ
ହୋଇଛି ଭର୍ତ୍ତି,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ଜାଭା, ସୁମାତ୍ରା, ବାଲି ଦେଶକୁ
ଯାଉଥିଲା ବୋଇତ
ଆରବିଆନ୍ ନାଇଟସ୍ କାହାଣୀ
ପରି ଥିଲା ସେତ!
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ସୌଦାଗର ସନ୍ତାନମାନେ ତୋ'ର,
କରୁଥିଲେ ଶ୍ୟାମ, ବ୍ରହ୍ମଦେଶ,
ଚୀନ, ତିବ୍ବତରେ ବେପାର,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
କେତେ ସନ୍ତାନ ବାଢ଼ିଛନ୍ତି
ପ୍ରେମାର୍ଘ୍ୟ ତୋ'ରି ପାଦପଦ୍ମରେ,
ସୁନ୍ଦର ଚିତ୍ର ଦର୍ଶାଇଛନ୍ତି
ସେମାନଙ୍କ ଲେଖନୀରେ,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ମନେ ପଡେ ତୋ'ରି ବୀରସନ୍ତାନ
ମାନଙ୍କର ଜୟଜୟକାର,
ଧରିଛନ୍ତି ଅସୀ, ଝାସ ଦେଇଛନ୍ତି
ଜାତୀୟତା ବହ୍ନିର,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ତୋ' ସୀମାକୁ ଯେତେବେଳେ
ବିପଦ ଘନେଇଛି,
ସେତେବେଳେ ତୋ' କୋଳର
ଆବାଳବୃଦ୍ଧବନିତା ସୁରକ୍ଷା ଦେଇଛନ୍ତି,
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।
ମୁଁ ଓଡ଼ିଆ,
ମୁଁ ଓଡ଼ିଶାକୁ ଭଲ ପାଏ,
ତୁ ଉତ୍କଳ, ଐଶ୍ୱର୍ଯ୍ୟମୟୀ
ତୋ କୋଳେ ଜନମ ହୋଇ
ନିଜକୁ ବହୁତ ଧନ୍ୟ ମଣଇ ।