ମୁଁ ଜ୍ୟୋତିଟିଏ
ମୁଁ ଜ୍ୟୋତିଟିଏ
ଶାମୁକା ଭିତରେ ଲୁଚି ରହିଥିବା
ମୁଁ ପରା ଦୁର୍ମୂଲ୍ୟ ମୋତିଟିଏ
ଦୁନିଆ ଆଖିରେ ଲାଖିଯିବି ଦିନେ
ହୋଇ ଉଜ୍ଜ୍ବଳ ଜ୍ୟୋତିଟିଏ ।
ମାତା ଗରଭରୁ ହୋଇ ଭୂପତିତ
କୁଆଁ କୁଆଁ ରାବ ଶୁଣାଇଲି
ଆଦର ଯତନ ପରଶେ ବଢ଼ି ମୁଁ
ଠୁକୁଠୁକୁ ପାଦ ପକାଇଲି ।
ମୋ ଦରୋଟି ଭାଷ ଅଧରର ହସ
ବୁଣିଲା ସରବ ମନେ ଖୁସି
ସେନେହ ବରଷି ପିଠିକୁ ଆଉଁସି
ଗଢ଼ିଲେ କି ସତେ ମୋତେ ଶଶି !
ସୁଶିକ୍ଷା ସଂସ୍କାର ଉତ୍ତମ ବେଭାର
ମୋଠି ଜ୍ଞାନଫୁଲ ଫୁଟାଇଲା
ଘର ଆଗଣାରୁ ବିଦ୍ୟାଳୟ ଯାଏ
ବାସନା ମୋର ଚହଟିଗଲା ।
ତୁଳସୀର ବାସ ଦୁଇ ପତରରୁ
ଏକଥା ଅଛପା ରହେ ନାହିଁ
ବିକଶିତ ମୋର ଯେତେକ ପ୍ରତିଭା
ଲଗାଇବି ଦେଶ ହିତ ପାଇଁ ।
କରମ ଜୀବନ କର୍ମ ଭଗବାନ
ତାହା ଛଡ଼ା ନାହିଁ ଆନ କିଛି
ସଭିଙ୍କ ହିତରେ ମୋ ହିତ ଲୁଚିଛି
ଶିଶୁ ମନ ମୋର ବୁଝିଅଛି ।
ଦୀପଟିଏ ପରି ନିଜେ ଜଳିଜଳି
ଧରାକୁ କରିବି ଆଲୋକିତ
ମନରେ ନ ରଖି ଈର୍ଷା କି ଅସୂୟା
ଚଳୁଥିବି ତ୍ୟାଗି ନିଜ ସ୍ବାର୍ଥ ।
ସକଳ ଦେହରେ ସୂକ୍ଷ୍ମ ରୂପରେ
ଜାଣେ ପରଂବ୍ରହ୍ମ ବିରାଜିତ
ସେଥିପାଇଁ ସରବେ ମଣି ନିଜର
କରିବି ସୁଖେ କାଳାତିପାତ ।
ଧରାକାଶେ ମୁହିଁ ଉଜ୍ଜ୍ବଳ ଜ୍ୟୋତିଟେ
ଏକଥାକୁ ଯିଏ ବୁଝିଛନ୍ତି
ସୁନାରୀ ପରିକା କଷିକଷି ମୋତେ
ଉଜ୍ଜ୍ବଳିତ କରି ଚାଲିଛନ୍ତି ।
ତାଙ୍କ ଚରଣରେ ମୋ କୋଟି ପ୍ରଣତି
ଢାଳୁଥାନ୍ତୁ ଏମିତି ଆଶିଷ
ଜନମ ଜୀବନ ହେଉ ମୋ ସାର୍ଥକ
ଲଭି ସେ ଦେବତାଙ୍କ ପରଶ ।।
