ମୁଁ ଜୋତା
ମୁଁ ଜୋତା
ଲୋକଙ୍କ ମତରେ
ଜୋତା ଯେତେ ଦାମୀ ହେଲେ ବି
ତାର ସ୍ଥାନ ପାଦ ତଳେ
ପାଦତଳେ ମୁଁ ଥାଏ ବୋଲି ତ
ମଣିଷର ମୁଣ୍ଡ ଛୁଏଁ ଗଗନ
ମୋ ଉପରେ ପାଦ ରଖି
ସେ ଚାଲେ ଦୁର୍ଗମ ଅରଣ୍ୟ
ମୁଁ ଜୋତା
ଦୁର୍ଭାଗ୍ୟ କି ସୌଭାଗ୍ୟ ମୋର
ନିଜେ ବି ଜାଣିନି
ମନରେ ମୋ ଗର୍ବ ଅହଙ୍କାର
କେବେବି ଛୁଇଁନି
ମଣିଷର ପାଦତଳେ କଟେ ମୋ ଜୀବନ
ଘରର ପ୍ରବେଶ ପଥେ
ମୋ ପାଇଁ ଆସ୍ଥାନ
କିନ୍ତୁ ବିଡମ୍ବନା
ମୋ ଛାତିରେ ପାଦରଖି
ଚାଲୁଥିବା ଏ ମଣିଷ ହୃଦୟେ
ନଥାଏ ମୋ ପାଇଁ କେବେ ସ୍ଥାନ
ମାନ ଅପମାନ ମୋ ପାଇଁ ସମାନ
ମୁଁ ଜୋତା
ମଣିଷର ପାଦତଳେ ରହିବା
ଏଇ ମୋ ଜୀବନ
ମୁଁ ବିଷାଦ ଅବଶୋଷ ର
ଏକ ଅଲୋଡା ଆଲବମ୍
ତଥାପି ଇଛା ମୋର
ମଣିଷର ମୁଣ୍ଡପାଇଁ ଟୋପି ନୁହେଁ
ନିରୀହ ପାଦ ହଳକ ପାଇଁ
ମୁଁ ଜୋତା ହୋଇ ରହେ ଚିରଦିନ
