ମୁଁ ଜାଣେନା
ମୁଁ ଜାଣେନା
ମୁଁ ଜାଣେନା
ତୁମର ମୁଁ ଆଉ ମନେ ପଡ଼େ କି ନାଁ
ମୁଁ ଜାଣେନା
ତୁମେ ମୋତେ ଖୋଜ କି ନାଁ
ମୁଁ ଜାଣେନା
ତୁମେ ଆଜି ବି ଅପେକ୍ଷା ର ଅର୍ଥ
ମୁଁ ବୋଲି ମାନ କି ନା।।
ତୁମେ ଗଲାପରେ
ଏଠି ଜହ୍ନ ଯେମିତି ଗୋଟେ ଯାଯାବର
ଠିକଣା ହଜାଏ ପ୍ରତି ତାରା ମାନଙ୍କ ଗାଁ
ପାଖରେ
କିଏ କହିଯାଇଛି ସେ ତ ମାଗିଅଣା ଆଲୋକ ର ଛାଇ।
ତୁମର ମନେ ଅଛି କି ନାଁ
ମୁଁ ଜାଣେନା
ଆମ ଆଖି ମିଶିବା ଦିନ;
ହାତ ଛନ୍ଦିବା ଦିନ,
ସାଥି ହୋଇ ଝୁଣ୍ଟିବା ଦିନ
ଜଣେ ଅନ୍ୟ ଜଣଙ୍କୁ ଆଃ ପଦେ
କହିବା ବେଳେ କେମିତି ଏକ ଅଜଣା
ଶିହରଣ ର ରଙ୍ଗ ନେସି ହୋଇ ଯାଉଥିଲା ଆମ ଦେହରେ।
ଯେଉଁ ପ୍ରେମର ସ୍ଲୋଗାନ
ଦିନେ ଆମ ବିରୁ
ଦ୍ଧରେ ରାଲି କଲା
ଯେଉଁ ବସନ୍ତ ର ଟ୍ରାଫିକ ରେ
ବିରହ ର ନାଲିବତୀ ଆମକୁ ରୋକିଲା
ଯେଉଁ କୋଇଲି ଦିନେ
ଆମକୁ ଦେଖି ମୁହଁ ଫେରେଇ ନେଲା
ଯେଉଁ ମୌସୁମୀ ବାଟ ଭାଙ୍ଗି ଚାଲିଗଲା
ମନେ ଅଛି?
ତୁମର ମନେ ଅଛି କି ନାଁ
ମୁଁ ଜାଣେନା।।
ଯଉ ବେଳାଭୂମି ର
ବାଲୁକା ଶଯ୍ୟା ଚମକି ଯାଇଥିଲା
ଆମ ମିଳନ ରେ
ସେ ସବୁ ବୋଧହୁଏ ଆଜି
ଆଉ କାହା ନୂପୁର ର ନିକ୍ୱଣ ରେ
ବସା ବାନ୍ଧି ସାରିଲାଣି
ଏକଥା ତୁମକୁ ହୁଏତ ଥାଇପାରେ ଅଛପା;
ହେଲେ ମୁଁ ଜାଣେନା।।
ତମକୁ ଆଉ ମୋତେ ଯୋଡ଼ି
ମୁଁ ଏବେ ଆମ ଯୁଗ୍ମ ଯାତନା
ବାଣ୍ଟି ପାରିବି କି ନାଁ
ମୁଁ ଜାଣେନା
ହେଲେ ତମେ ତ ଜାଣ! ତୁମ ଛଡ଼ା
ମୁଁ ଆଉ କିଛି ଜାଣେନା।।