ମଶାଣି ଭଙ୍ଗା ଦେଉଳ
ମଶାଣି ଭଙ୍ଗା ଦେଉଳ
ବୟସ ଅପନ୍ତରା ଅପରାହ୍ନରେ
ନିରାଶା ଅନ୍ଧକାର ଭିତରେ
ଆଶା ସୂର୍ଯ୍ୟ ମଉଳିବା ସମୟରେ
ଅସ୍ତବ୍ୟସ୍ତ ହୁଏ ବିଶ୍ୱାସ ସଂସାରେ ।
ସ୍ୱାଭିମାନ ପାଇଁ ଅନେକ ଯନ୍ତ୍ରଣା
ଘୋର ସଂଘର୍ଷ କାହାଣୀ
କିଛି ଅପାସୋରା ସ୍ମୃତି ପୃଷ୍ଠାରେ
ଆଉ କିଛି ପରିତ୍ୟକ୍ତ ଭଗ୍ନ ଜୀବନୀ ।
ଜୀବନ ମୋଡ଼ ବଦଳାଇ ଦିଏ
ସତ୍ୟ ପଛର ମିଛ ଅଭିନୟ
ଦୋଷୀ ସାବ୍ୟସ୍ତ ନ ହୋଇ ଦଣ୍ଡ ଭୋଗେ
ପର କରି ଚାଲିଯାଏ ସମୟ ।
ଜୀବନ ଆଉ କେଇଘଡି ମୁହୂର୍ତ୍ତ
ବଞ୍ଚିବା ପାଇଁ ଆଉ କିଛି କ୍ଷଣ ସଂଘର୍ଷ
ଜୀବନ ଯୁଦ୍ଧରେ ପରାସ୍ତ ହେବା ଯାଏଁ
ବଳି ପଡେ ପାଦେ ପାଦେ ହୁଏ ଶେଷ ।
ନାହିଁ ଅଭିଯୋଗ ନାହିଁ ଅଭିମାନ କିଛି
ବାଟକାଟି ଯାଏ ନିଃଶ୍ୱାସ
ମଶାଣି ବେଶୀ ଦୂର ନୁହଁ ଶେଷ ଠିକଣା
ଯେଉଁଠି ବନ୍ଧା ପଡ଼ିବ ଶରୀର ପାଉଁଶ ।
ମଶାଣି ପାଖ ବୁଢ଼ା ବରଗଛ ମୂଳରେ
ଜଳି ଉଠିବ ଜିଅନ୍ତା ଶବ
ଶେଷ ସ୍ପନ୍ଦନ ଖୋଜି ବୁଲିବ ସେଇ
ମଶାଣି ଭଙ୍ଗା ଦେଉଳ ପାଖ ।
ଏକମାତ୍ର କାମନାର ଶେଷ ପରିଚୟ
ଅବସର ନେଉଥିବା ଆଲୋକ
ସମାପ୍ତି ଭିତରେ ଗଢିଥିବା ସନ୍ତକ
ମଶାଣି ଭୂଇଁର ଅଧାଗଢ଼ା ଦେଉଳ ।
ଦେବ ସାକ୍ଷୀ ପ୍ରମାଣ ମୋ ପାଇଁ ଦିନେ
ଗଢ଼ିବା ସନ୍ତକ ମଶାଣି ମାଟିରେ
ପାଉଁଶ ଭିତରୁ ଚିତ୍କାର ଶୁଣିବେ ସମସ୍ତେ
ଦେଖିବେ ଅସମୟ ମୃତ୍ୟୁ ବେଳରେ ।
