ମୋକ୍ଷ,ମୁକ୍ତି ଓ ନିର୍ବାଣ
ମୋକ୍ଷ,ମୁକ୍ତି ଓ ନିର୍ବାଣ
ବାସନା, କାମନା ରହିତ ଶୂନ୍ୟତା
ମୋକ୍ଷ,ମୁକ୍ତି ଓ ନିର୍ବାଣ
ଆଧ୍ୟାତ୍ମିକ ତତ୍ତ୍ଵ ଓ ପ୍ରସଙ୍ଗ ଧାରେ
ଶାସ୍ତ୍ର ଆଧାରିତ ଜ୍ଞାନ
ମଣିଷ ହିଁ ଆଲୋକ ଓ ଅନ୍ଧାରର
ସମନ୍ଵିତ ବ୍ୟକ୍ତି ସତ୍ତା
ଜୀବନର ଚଲା ପଥ ଧାରେ ଧାରେ
ଭୟ ଓ ଅନିଶ୍ଚିତତା
ମୁକ୍ତି ମୋକ୍ଷ , ନିର୍ବାଣ ଓ ସ୍ୱର୍ଗପ୍ରାପ୍ତି
ଛବିଳ କଳ୍ପନାମାନ
ମଣିଷ ମନରେ କ୍ରମେ ଦୃଢୀଭୂତ
ଆଭିମୁଖ୍ୟ ବି ସମାନ
ଧର୍ମର ମୌଳିକ ଭାବନା ପ୍ରାୟତଃ
ବିଭୁ ସର୍ବଶକ୍ତିମାନ
ପୁଣି ସର୍ବଜ୍ଞ ଆଉ କରୁଣାମୟ
ସୃଷ୍ଟିର ମୂଳ କାରଣ
ବିଶ୍ବର ବିଭିନ୍ନ ପ୍ରାନ୍ତରେ ରାଜତ୍ଵ
ଭିନ୍ନ ତତ୍ତ୍ୱ ଭିନ୍ନ ଧର୍ମ
ଭାରତରେ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ
ପାଶ୍ଚାତ୍ୟରେ ଭିନ୍ନ ଧର୍ମ
ଇହୁଦି,ଇସଲାମ ପୁଣି ଖ୍ରୀଷ୍ଟିଆନ
ଧର୍ମ ପ୍ରବର୍ତ୍ତକ ଧାରେ
ଭିନ୍ନ ଭିନ୍ନ ତତ୍ତ୍ଵ ଭିନ୍ନ ଭିନ୍ନ ମତ
ଧାର୍ମିକତା ପ୍ରସଙ୍ଗରେ
ହିନ୍ଦୁ ଧର୍ମ ଧାରାରେ ନିହିତ ପ୍ରାୟ
କର୍ମ,କର୍ମ ଫଳ ,ମୁକ୍ତି
ନୈତିକତା ସହ ମୋକ୍ଷ ପ୍ରାପ୍ତି ପ୍ରତି
ଗୁରୁତ୍ଵ ଅଛି ସମ୍ପ୍ରତି
ଜ୍ଞାନ ,ଭକ୍ତି ,କର୍ମ ଦ୍ଵାରା ମୋକ୍ଷ ପ୍ରାପ୍ତି
ଶାସ୍ତ୍ର ବାକ୍ୟ ଆଧାରରେ
ନୀତି ପୂର୍ଣ୍ଣ ଜୀବନ ଧାରଣ ବଳେ
ପୁନର୍ଜନ୍ମ ଦୁଃଖ ହରେ
ବୌଦ୍ଧ ଧର୍ମରେ ଅଷ୍ଟାଙ୍ଗ ମାର୍ଗ ତତ୍ତ୍ଵ
ଜୈନ ଧର୍ମରେ ତ୍ରିରତ୍ନ
ସମ୍ୟକ୍ ଦର୍ଶନ - ଜ୍ଞାନ ଓ ଚାରିତ୍ର
ମାର୍ଗ,ସିଦ୍ଧାନ୍ତ ଧାରଣ
ଶିଖ ଧର୍ମେ ଜ୍ଞାନ ଭକ୍ତି ସମନ୍ୱୟ
ବଳେ ମୋକ୍ଷ ମୁକ୍ତି ପ୍ରାପ୍ତି
ଜ୍ଞାନ ହିଁ ମୁକ୍ତିର ପଥ ପ୍ରଦର୍ଶକ
ଭାରତୀୟ ଧର୍ମ ନୀତି
ଇହୁଦି,ଇସଲାମ ପୁଣି ଖ୍ରୀଷ୍ଟିଆନ
ବାକ୍ୟ,ନିୟମ ଧାରାରେ
ସତ୍ୟ ସହ ଶୃଙ୍ଖଳିତ ଜୀବନରେ
ମୋକ୍ଷ ମିଳଇ ଅଚିରେ
"ମୋକ୍ଷ"ର ରହସ୍ୟ ନିହାତି ନିଗୂଢ଼
ଧର୍ମ ଶାସ୍ତ୍ର ଆଧାରିତ
ଜନ୍ମ ଓ ମରଣ ବନ୍ଧନ ରୁ ଜୀବ
ମୁକ୍ତି ପନ୍ଥା ସମ୍ପର୍କିତ
ମନରୁ ଆସକ୍ତି ଦୂରେଇ ରଖିଲେ
ଜୀବନରେ ମୋକ୍ଷ ପ୍ରାପ୍ତ
ମନରେ ଆସକ୍ତି ଉପୁଜିବ ନାହିଁ
ହୃଦୟ ଯଦି ସଞ୍ଜତ
ସଂସାରର ମାୟା ମୋହ ବନ୍ଧନ ରୁ
ମୁକ୍ତ ହେଲେ ଏ ଜୀବନ
ମୋକ୍ଷ ପ୍ରାପ୍ତି ରାସ୍ତା ଖୋଲି ଯିବ ଯଦି
ହୃଦେ ଉଦେ ବ୍ରହ୍ମ ଜ୍ଞାନ
ଉଚିତ କ୍ରିୟା ହିଁ ଅଟେ ପୁରୁଷାର୍ଥ
ବ୍ୟକ୍ତି ଜୀବନର ଲକ୍ଷ୍ୟ
ଜୀବନର ଲକ୍ଷ୍ୟ ଅବଶ୍ୟ ଚାରୋଟି
ଧର୍ମ ଅର୍ଥ କାମ ମୋକ୍ଷ
ଧର୍ମ ଅର୍ଥ କାମ କେବଳ ମାଧ୍ୟମ
ମୋକ୍ଷ ଅନ୍ତିମ ଅବସ୍ଥା
ଧର୍ମ ଅର୍ଥ କାମ ଅଟଇ ତ୍ରିବର୍ଗ
ଧର୍ମ କିନ୍ତୁ ମଧ୍ୟସ୍ଥତା
ମୋକ୍ଷ ଆଢ଼ୁଆଳେ ଧର୍ମ ଅର୍ଥ କାମ
ଅଙ୍ଗାଙ୍ଗୀ ଭାବେ ଜଡ଼ିତ
ଜନ୍ମ ମରଣ ରୁ ପରିତ୍ରାଣ ଜୀବ
ମୁକ୍ତି ସହ ମୋକ୍ଷ ପ୍ରାପ୍ତ
ନିଗୂଢ଼ ରହସ୍ୟ ରହିଛି ଜଡ଼ିତ
ପ୍ରାୟ ଧର୍ମ ଶାସ୍ତ୍ର କଥା
ଜୀବ ମୁକ୍ତି ଜନ୍ମ-ମୃତ୍ୟୁ-ବନ୍ଧନ ରୁ
ଭବ୍ୟ ମୋକ୍ଷ ର ଅବସ୍ଥା
ଅଷ୍ଟାଙ୍ଗ ସାଧନ ନିର୍ବାଣ ନାମରେ
ବର୍ଣ୍ଣିତ ବୌଦ୍ଧ ଧର୍ମରେ
ଆଧ୍ୟାତ୍ମିକ ସମ୍ମେଳନ ଭାବେ ଜଣା
ଖ୍ରୀଷ୍ଟ ଧର୍ମ ଅନୁସାରେ
ସୁଖ ଦୁଃଖ ରୁ ନିବୃତ ହେଲେ ଚିତ୍ତ
ଅନାବିଳ ଶାନ୍ତି ପ୍ରାପ୍ତି
ଇନ୍ଦ୍ରିୟ ର ନିୟନ୍ତ୍ରଣ ହୁଏ ଆପେ
ଯୋଗ ସାଧନେ ସମ୍ପ୍ରତି
ପ୍ରତି ମାର୍ଗ ବିଷୟକ ଜ୍ଞାନ ପ୍ରାପ୍ତି
ଗୁରୁ ସାନିଧ୍ୟ ଲାଭରେ
ଜୀବନର ମୁକ୍ତି ପ୍ରାପ୍ତ ହେଉ କାମ୍ୟ
ଅଷ୍ଟାଙ୍ଗ ଯୋଗ ମାର୍ଗରେ
ପ୍ରତି ଧର୍ମର ବିଶ୍ୱାସ ବା ତାତ୍ତ୍ୱିକ
ଭିନ୍ନ ସିଦ୍ଧାନ୍ତ କ୍ଷେତ୍ରରେ
ସବୁ ଧର୍ମର ମୂଳ-ଭିତ୍ତି ପ୍ରାୟତଃ
ନୈତିକତା ଆଧାରରେ
ପ୍ରତ୍ୟେକ ଧର୍ମର ନୈତିକ ଭାବନା
ତାତ୍ତ୍ଵିକ ଭାବନା ସହ
ଓତଃପ୍ରୋତ ଭାବେ ରହିଛି ସମ୍ପର୍କ
ତିଳେ ବି ନାହିଁ ସନ୍ଦେହ
ନୈତିକ ଓ ସାମାଜିକ ପ୍ରସଙ୍ଗରେ
ମୌଳିକ ପାର୍ଥକ୍ୟ ଭରା
ଅହିଂସା ମୁଖ୍ୟତଃ ନୈତିକ ଭାବନା
ପ୍ରତ୍ୟେକ ଧର୍ମର ଧାରା
ଆତ୍ମା ସମ୍ବନ୍ଧରେ ଜୈନ ଧର୍ମ କହେ
ସଭିଙ୍କ ଆତ୍ମା ସମାନ
ମଣିଷ ଓ କୀଟ ଦେହେ ଥିବା ଆତ୍ମା
ଭିନ୍ନତା ନାହିଁ,ସମାନ
ଦିବ୍ୟ ଜ୍ଞାନ ଶକ୍ତି ମଣିଷ ହୃଦରେ
ଅଛି ସୃଷ୍ଟି ଆରମ୍ଭରୁ
ଶ୍ରେଷ୍ଟ ଜୀବ ଭାବେ ମାନ୍ୟତା ମିଳିଛି
ସୃଷ୍ଟିକର୍ତ୍ତାଙ୍କ ମୁଖରୁ
ମୋକ୍ଷ ପାଇଁ ପଥ ହୋଇବ ପ୍ରଶସ୍ତ
ଦିବ୍ୟ ଜ୍ଞାନ ପ୍ରାପ୍ତି ବଳେ
ଆତ୍ମା ପରମାତ୍ମା ସମ୍ପର୍କ ର ଜ୍ଞାନ
ହୁଏ ବ୍ରହ୍ମ ଜ୍ଞାନ ତାଳେ
ପରୋପକାର ଓ ସେବା ଜୀବନରେ
ଯଦି ହୁଏ ଏକ ବ୍ରତ
ହୃଦୟରେ ଦୟା ଧର୍ମ ସତ୍ୟ ଶାନ୍ତି
ଆପେ ହେବ ବିରାଜିତ
ଶାନ୍ତି ପ୍ରାପ୍ତି ହୃଦୟରେ ଷଡ ରିପୁ
ଆପେ ହୋଇବ ଦମନ
ଉଦାର ହୃଦୟ ସହିତ ଜୀବନେ
ପ୍ରାପ୍ତ ମାନ ସନମାନ
ମୋକ୍ଷ ମାର୍ଗ ସନ୍ଧାନରେ ସହାୟକ
ଧର୍ମର ଅଛି ମହତ୍ତ୍ଵ
ଧର୍ମ ଚିନ୍ତା ସହ ପାଳନ ସମ୍ମାନ
ଜୀବନରେ ହେଉ ବ୍ରତ
ଆପ୍ରାଣ ଚେଷ୍ଟାରେ ଯାହା ଅସମ୍ଭବ
ଅଚିରେ ହୁଏ ସମ୍ଭବ
ଗୁରୁ କୃପା ବଳେ ପ୍ରାପ୍ତ ହୁଏ ସବୁ
ଗୁରୁ ହିଁ ମହାନୁଭବ
ଗୁରୁ ଏକ ସତ୍ତା ପୁଣି ଅନୁଭବ
କହେ ପୁରାଣ ଦର୍ଶନ
ଆଧ୍ୟାତ୍ମିକ ଜ୍ଞାନ ସାଧନ କ୍ଷେତ୍ରରେ
ଗୁରୁ ଜ୍ଞାନ ପ୍ରୟୋଜନ
ଉତ୍ତମ ଗୁରୁଙ୍କ ସହଚର୍ଯ୍ୟ ବଳେ
ବହୁ ବିଧ ଫଳ ପ୍ରାପ୍ତ
ଗୁରୁଙ୍କ ସେବାରେ ଚତୁବିଂଶ ଫଳ
ଧର୍ମ ଅର୍ଥ କାମ ମୁକ୍ତ
କୃଷ୍ଣ ବନ୍ଦେ ଜଗଦ୍-ଗୁରୁମ୍ ଉକ୍ତି
ବର୍ଣ୍ଣନା ଧର୍ମ ଶାସ୍ତ୍ରରେ
କୃଷ୍ଣ ଥିଲେ ହୃଦେ ଗୁରୁ ଆସନରେ
ସର୍ବ କୁଶଳ ଅଚିରେ
