ମୋହନ ମୂରତି
ମୋହନ ମୂରତି
କାବ୍ୟ କବିତାରେ କବିଙ୍କ କଳ୍ପନା
ଅବା ଶାସ୍ତ୍ର ଆଧାରରେ
ପ୍ରଭୁଙ୍କ ମୋହନ ମୂରତି ବର୍ଣ୍ଣନା
ଅନୁମେୟ ସହଜରେ
ଶରତ ରାସ ବା ବସନ୍ତ ରାସ ରେ
ପୁଣି ରତନ ବେଦିରେ
ମୋହନ ମୂରତି ରୂପ ବର୍ଣ୍ଣନାରେ
ମନ ମୋହି ଯାଏ ଧିରେ
ରାଧାଙ୍କ ମୋହନ ମୀରା ହୃଦ ରତ୍ନ
ମୋହିତ ଭକ୍ତର ପ୍ରାଣ
ସେ ରୂପ ଦର୍ଶନେ ଭକ୍ତି ପ୍ରେମ ଭାବ
ଅବଶ୍ୟ ଅଟେ କାରଣ
ହୃଦେ ଭକ୍ତି ସହ ପ୍ରେମ ଭାବ ଧାରେ
ମୋହନ ଭାବ ଯଥାର୍ଥ
ଭକ୍ତି ଅବା ପ୍ରେମ ଭାବ ବିନା ନୁହେଁ
ମୋହନ ଭାବର ତତ୍ତ୍ୱ
ଦ୍ଵାପର ଯୁଗରେ କୃଷ୍ଣ ଅବତାରେ
ମୋହନ ମୂରତି ତଥ୍ୟ
ରାଧା ସଙ୍ଗେ ପୁଣି ଗୋପୀ ଗୋପାଙ୍ଗନା
ମୋହ ହେବା କଥା ସତ
ତ୍ରିଭଙ୍ଗିମା ଠାଣି ସାଥେ ଆଭୂଷଣ
ମୟୂର ଚୂଳ ଶିରରେ
ବାଙ୍କ ବିହାରୀ ସେ ହାତରେ ବଇଁଶୀ
ମୋହ ଧ୍ଵନି ବଂଶୀ ସ୍ଵରେ
ଗୋପେ କେଉଁ ଗୋପୀ କି ରୂପେ ମୋହିତ
ବୁଝିବା ଶକ୍ତି ବାହାରେ
ପ୍ରତି ଗୋପାଙ୍ଗନା ରାସ ରସେ ମାତି
ମୋହିତ ଥିଲେ ଭାବରେ
ମୋହନ ମୋହିତ ଶବ୍ଦର ଜିଜ୍ଞାସା
ଥିଲା ଉଦ୍ଧବ ମନରେ
ମୋହନ ମୂରତି କିପରି କିମ୍ପାଇଁ
ବୁଝିଲେ ରାଧା ଧାରାରେ
କୃଷ୍ଣ ମୟ ଥିଲା ଗୋପ,ବ୍ରଜ ଭୂମି
ଉଦ୍ଧବ କ୍ରମଶଃ ଜ୍ଞାତ
ହମ୍ବା ରଡ଼ି ଧାରେ କୃଷ୍ଣ ନାମ ଶୁଣି
ଉଦ୍ଧବ ହେଲେ ମୋହିତ
ମୀରା ସ୍ବଚକ୍ଷୁରେ ନ ଦେଖି କୃଷ୍ଣଙ୍କୁ
ଭାବରେ ହେଲେ ମୋହିତ
ମୋହନ ମୁରଲୀ ପ୍ରତିଧ୍ୱନୀ ପ୍ରାୟ
ହୃଦେ ହେଲେ ଅବଗତ
ଏଇ ସେ ମୋହନ ମୂରତି କାଳିଆ
ରତ୍ନ ସିଂହାସନେ ବିଜେ
ରାଧା ଅବା ମୀରା ଭାବ ହୃଦେ ଯଦି
ମୋହିତ ଭାବ ସହଜେ
କବି କଳ୍ପନାରେ କଳା ମେଘ ସମ
କାଳିଆର କଳା ମୁଖ
କଳି କାଳେ କଳା ମୋହନ ମୂରତି
ଶ୍ରୀପତି କଳା ଶ୍ରୀମୁଖ
ମୋହନ ମୂରତି ଭାଷାରେ ବର୍ଣ୍ଣନା
ନୁହଁଇ ଏତେ ସହଜ
ମୋହନ ପ୍ରେମରେ ହଜାଇ ନିଜକୁ
ମଣ ନିଜକୁ ସହଜ
