STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

କିଏ ବସୁଦେବ କିଏ ଦେବକୀ

କିଏ ବସୁଦେବ କିଏ ଦେବକୀ

5 mins
5


ଶ୍ରୀକୃଷ୍ଣ ଙ୍କ ଜନ୍ମ ବୃତ୍ତାନ୍ତ ସେତ ଦିବ୍ୟ କାହାଣୀ 

ଶ୍ରବଣ ରେ ପୂଣ୍ୟ ଅର୍ଜନ ଶାସ୍ତ୍ର ଛନ୍ତି ବଖାଣି।

ଦ୍ଵାପର ଯୁଗରେ କଂସ ର ଅତ୍ୟାଚାର ରେ ସେତ

ସ୍ବର୍ଗ ମର୍ତ୍ତ୍ୟ ଆଉ ପାତାଳ ତିନି ପୁର ଅତିଷ୍ଠ।

ଅତ୍ୟାଚାରୀ କଂସ ନିଧନ ପାଇଁ ଶ୍ରୀ ନାରାୟଣ 

ବସୁଦେବ ଆଉ ଦେବକୀ କୋଳେ ଜନ୍ମିଲେ ଜାଣ।୧!


କିଏ ବସୁଦେବ ଧରାକୁ ଆସିଥିଲେ କାହିଁକି

କିଏସେ ରୋହିଣୀ କିଏସେ ପୁଣି ମାଆ ଦେବକୀ?

ସେମାନଙ୍କ ପୂର୍ବ ଜନମ ଦିବ୍ୟ କଥା କାହାଣୀ 

ହରିବଂଶ ଶାସ୍ତ୍ର ପୁରାଣ ଯାଇଛନ୍ତି ବଖାଣି ।

ବିଶ୍ଵ ଶାନ୍ତି ପାଇଁ ସେମାନେ ଧରା ପୃଷ୍ଠେ ଜନ୍ମିଲେ

ରାମ କୃଷ୍ଣ ବେନି ଭାଇଙ୍କୁ ସେତ ଜନମ ଦେଲେ।୨!


କାଶ୍ୟପ ଋଷିଙ୍କ ପତ୍ନୀ ଯେ ଦିତି ଆଉ ଅଦିତି

ଦେବତା ମାନଙ୍କୁ ଅଦିତି ଆଗ ଜନ୍ମ ଦେଇଟି,

ଗରବ କରି ସେ ଭାବିଲେ ଦିତି ଗର୍ଭରୁ କେହି

ଦେବତାଙ୍କ ପରି ସନ୍ତାନ ଜମା ଜନ୍ମନ୍ତୁ ନାହିଁ।

ସେଥିପାଇଁ କୁଟ ରଚନା ଅଦିତି ଯେ କରିଲେ

ଦିତିଙ୍କ ଗରଭୁ ଭୃଣଙ୍କୁ ସବୁ ନଷ୍ଟ କରିଲେ।୩!


ଅଦିତି ଙ୍କ ହୀନ ଚକ୍ରାନ୍ତ ଦିତି ଜାଣି ପାରିଲେ

ରାଗ ଅଭିମାନେ ତାଙ୍କୁ ସେ ଅଭିଶାପ ଯେ ଦେଲେ।

ମରତରେ ପୁଣି ତୁମେ ଯେ ଯେବେ ଜନମ ନେବ

ପୁତ୍ର ସନ୍ତାନ ଙ୍କ ମୃତ୍ୟୁ ରେ ନିଶ୍ଚେ ଅଧୀର ହେବ ।

ଦେବକୀ ରୂପରେ ଅଦିତି ଆସି ଜନମ ନେଲେ

ପର ଜନମରେ ଦିତି ଯେ ମାତା ରୋହିଣୀ ହେଲେ।୪!


ବରୁଣ ରାଜାଙ୍କ ଗୋଧନ ଋଷି କାଶ୍ୟପ ସେତ

ପୂଜା କରିବାକୁ ଆଣି ସେ କଲେ ନାହିଁ ଫେରସ୍ତ।

ବ୍ରହ୍ମା ଙ୍କ ପାଖରେ ବରୁଣ ଯାଇ କଲେ ଆପତ୍ତି 

ଶୁଣି କାଶ୍ୟପ ଙ୍କୁ ଶାପ ଯେ ଦେଲେ ସେ ବେଦପତି।

ବସୁଦେବ ଭାବେ ଜନ୍ମିବ ତୁମେ ମର୍ତ୍ତ୍ୟ ମଣ୍ଡଳେ

ଗୋରୁ ଗାଈ ସେବା କରିବ ଜନ୍ମି ଯାଦବ କୂଳେ ।୫!


ଶୁରସେନ ଯଦୁବଂଶର ସେତ ଥିଲେ ରାଜନ

ବସୁଦେବ ଜନ୍ମ ଲଭିଲେ ହୋଇ ତାଙ୍କ ସନ୍ତାନ।

ଅଦିତି ଦେବକୀ ରୂପରେ କଂସାସୁର ଭଉଣୀ 

ଦିତି ଯେ ଭଲ୍ଲିକ ରାଜାଙ୍କ କନ୍ୟା ନାମ ରୋହିଣୀ।

ରୋହିଣୀ ଦେବକୀ ହୋଇଲେ ବସୁଦେବଙ୍କ ଯାୟା 

କୃଷ୍ଣ ବଳରାମ ଯାହାଙ୍କ କୋଳେ କରିଲେ ମାୟା।୬!


ତେଣେ କଂସ ଅତ୍ୟାଚାର ରେ ତିନି ପୁର ଅଥୟ

ଖଟନ୍ତି ପାଦରେ ଦେବତା କରି ଦୈତ୍ୟ କୁ ଭୟ।

କଂସ କବଳରୁ ମୁକତି ପାଇଁ ଦେବ ସକଳ

ବୈକୁଣ୍ଠ କୁ ଯାଇ ବିଷ୍ଣୁ ଙ୍କ ପାଖେ ହେଲେ ବିକଳ।

ଅତ୍ୟାଚାରୀ କଂସ ନିଧନ ପାଇଁ ଶ୍ରୀ ନାରାୟଣ 

କଥା ଦେଲେ ଜନ୍ମ ଲଭିବେ ଯାଇ ଧରା ଧାମେଣ।୭!


ଶେଷ ନାଗ ଆଉ ବିଷ୍ଣୁ ଯେ ତହୁଁ ସ୍ଥିର କରିଲେ

ରାମ କୃଷ୍ଣ ରୂପେ ଜନ୍ମିବେ ଦୁହେଁ ମର୍ତ୍ତ୍ୟ ମଣ୍ଡଳେ।

ପିତା ବାସୁଦେବ ଦେବକୀ ମାତା ହେବେ ତାଙ୍କର 

ଧର୍ମ ସଂସ୍ଥାପନ କରିବେ ବଧି ସେ କଂସାସୁର।

ଧରଣୀ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଜଗତ ସାଇଁ 

ନର ରୂପ ଧରି ଧରାକୂ ଆସିଥିଲେ ଓହ୍ଲାଇ।୮!


କଂସାସୁର ଗେହ୍ଲି ଭଉଣୀ ଆହା ଦେବକୀ ସେତ

ବସୁଦେବେ ଦେଇ ବିବାହ କଂସ ହୋଇଲା ପ୍ରୀତ।

କନ୍ଯା ବିଦା ସମୟରେ ଯେ ଅଘଟଣ ଘଟିଲା

କଂସ ର ମରଣ କାରଣ ଶୂନ୍ୟ ବାଣୀ ଶୁଭିଲା।

ଦେବକୀ ଅଷ୍ଟମ ଗରଭୁ ଯେଉଁ ପୁତ୍ର ଜନ୍ମିବ 

ଭଣଜା ହାତ ରେ ମାମୁଁ ର ଦିନେ ମରଣ ହେବ ।୯!


ଶୂନ୍ୟ ବାଣୀ ଶୁଣି କଂସ ଯେ ତହିଁ ଗର୍ଜନ କଲା

ଭଉଣୀ ଭିଣୋଇ ଦୁହିଁଙ୍କୁ ରଥୁ ଓହ୍ଲାଇ ଦେଲା।

ମାରି ଦେବା ପାଇଁ ଦୁହିଁଙ୍କୁ ଯେବେ ଉଦ୍ୟତ ହେଲା

ପାଦ ଧରି ବସୁଦେବ ଯେ କଂସେ ମିନତି କଲା।

ପ୍ରାଣ ନେଲେ ଆମ ରାଜା ହେ ଦୂର ହେବନି କଷ୍ଟ

ଶତୃ ନାଶ ହେବ ଅଷ୍ଟମ ପୁତ୍ର ହୋଇଲେ ହତ।୧୦!


କଥା ଦେଉଅଛୁ ତୁମରି ହାତେ ସନ୍ତାନ ସବୁ

ଜନମ ହୁଅନ୍ତେ ପାଦରେ ନେଇ ସମର୍ପି ଦେବୁ।

ମାରିବ ଅବା କି ରଖିବ ତୁମେ କରିବ ଚିନ୍ତା

ହେବ ପଛେ ଆଖି ଲୁହରେ ଆମ ହୃଦୟ ତିନ୍ତା।

ବସୁଦେବ ଙ୍କର କଥା ଯେ କଂସ ମନକୁ ଗଲା

କାରାଗାରେ ନେଇ ଦୁହିଁଙ୍କୁ ସେତ ନିକ୍ଷେପି ଦେଲା ।୧୧!


କୁଆଁ କୁଆଁ ଶବ୍ଦ ଶୁଭିଲେ ତେଣେ କାରାଗାର ରେ

ଗର୍ଜନ କରଇ କଂସ ଯେ ଏଣେ ଅନ୍ତ ପୁରରେ ।

ଆଖି ପିଛୁଳାକେ ଆସଇ ଧାଇଁ କାରାଗାର କୁ

ମାଆ କୋଳୁ ଝାମ୍ପି ଆଣଇ ନବଜାତ ଶିଶୁକୁ।

ନିର୍ଦ୍ଦୟ ଭାବରେ ଶିଶୁକୁ କଂସ କଚାଡି ମାରେ

ବାପା ମାଆ ଦେଖି ବିକଳ ତାଙ୍କ ହୃଦୟ ଥରେ।୧୨!


ଛଅ ଛଅ ଗୋଟି ପୁତ୍ର ଙ୍କୁ କଂସାସୁର ମାରିଲା

ଅଭିଶାପ କଥା ଦେବକୀ ମନେ ଭାବୁ ଯେ ଥିଲା।

ଶେଷ ନାଗ ପ୍ରଭୁ ସପ୍ତମ ଗର୍ଭେ ସ୍ଥାନ ପାଇଲେ 

କଂସ ହାତୁ ରକ୍ଷା ପାଇବା କଥା ବ୍ରହ୍ମା ଭାବିଲେ।

ନାରଦ ଙ୍କୁ ଦେଲେ ଦାୟିତ୍ବ ତାଙ୍କ ସୁରକ୍ଷା ପାଇଁ 

ନାରଦ ରଚିଲେ ମାୟା ଯେ କଂସ ପୁର କୁ ଯାଇ।୧୩!



ବସୁଦେବ ଆଉ ଦେବକୀ ଯେବେ କାରାଗାର ରେ

ରୋହିଣୀ ଚିନ୍ତାରେ ଥାଆନ୍ତି କଂସାସୁର ଭୟରେ।

ରୋହିଣୀ ଙ୍କୁ ଗାଈ ରୂପରେ ଗୁପ୍ତେ ନାରଦ ନେଇ

ଛାଡି ଦେଇଥିଲେ ଗୋପରେ ନନ୍ଦ ଗୋଠରେ ଯାଇ।

ଦେବକୀ ସପ୍ତମ ଗରଭ ଯେବେ ସଞ୍ଚାର ହେଲେ

ରୋହିଣୀ ଙ୍କ କଥା ନାରଦ ମନେମନେ ଭାବିଲେ।୧୪!


ମନ୍ତ୍ର ବଳେ ନେଲେ ଦେବକୀ ଗର୍ଭୁ ଭୃଣ ଉଡ଼ାଇ 

ରୋହିଣୀ ଙ୍କ ଗର୍ଭେ ଯତନେ ଭୃଣ ରଖିଲେ ନେଇ।

କଂସ ଉଆସରେ ଏଣେ ଯେ ସେତ ଡକା ପଡ଼ିଲା 

ଦେବକୀ ସପ୍ତମ ଗର୍ଭ ଟି ଗର୍ଭୁ ନଷ୍ଟ ହୋଇଲା।

ଧାର ଧାର ରକ୍ତ ବହୁଛି ଦେବକୀ ଯେ ମୂର୍ଛ୍ଛିତ

ଶାନ୍ତ ହେଲା କଂସ ଦେଖିଣ ସେହି ରକ୍ତ ଧାରତ।୧୫!


ଶ୍ରାବଣ ପୂର୍ଣ୍ଣିମା ପବିତ୍ର ଦିନ ରୋହିଣୀ ଗର୍ଭୁ 

ବଳରାମ ଜନ୍ମ ହୋଇଲେ ପୁଷ୍ପ ବର୍ଷିଲା ସ୍ବର୍ଗୁ।

ସାରା ଗୋପ ବାସୀ ଚକିତ ଇଏ କିକଥା ହେଲା

ଗାଈ ଗରଭ ରୁ ମଣିଷ ପିଲା ଜନ୍ମ ହୋଇଲା ।

ନିଃସନ୍ତାନ ନନ୍ଦ ଯଶୋଦା ଭାରି ଖୁସି ହୋଇଲେ

ରୋହିଣୀ ସୂତଙ୍କୁ ଖୁସିରେ ଦୁହେଁ କୋଳେଇ ନେଲେ।୧୬!


ସପ୍ତମ ସନ୍ତାନ ଗର୍ଭରୁ ଯେବେ ନଷ୍ଟ ହୋଇଲା

ଅଷ୍ଟମ ସନ୍ତାନ ଗର୍ଭରେ ସେତ ସଞ୍ଚାର ହେଲା।

ତହୁଁ ବସୁଦେବ ଦେବକୀ ଙ୍କର ଚିନ୍ତା ବଢିଲା

କଂସାସୁର ଗରଜନରେ ତିନିପୁର କମ୍ପିଲା।

ପ୍ରକୃତ ବଇରୀ ବଢୁଛି ଏବେ ମାଆ ଗର୍ଭରେ 

ତା ମରଣ କଂସ ଚିନ୍ତଇ ସେତ ରାତି ଦିନରେ।୧୭!


ଦାସ ଦାସୀ ଦ୍ବାରପାଳ ଙ୍କୁ କଂସ ଆଦେଶ ଦେଲା

କଡ଼ା ଦୃଷ୍ଟି ରଖିଥିବ ଟି କାରାଗାର ରେ ଭଲା।

ହେଳା ଯଦି ଯିଏ କରିବ ତହିଁ କାର୍ଯ୍ୟରେ ସେତ

ମୃତ୍ୟୁଦଣ୍ଡ ତାର ଭାଗ୍ୟରେ ଲେଖା ନିଶ୍ଚେ ଜାଣତ।

ଚାତକ ପରାଏ ସମସ୍ତେ କାରାଗାର କୁ ଚାହିଁ 

ବସି ରହିଥାନ୍ତି ସତର୍କ ଆଉ ସଜାଗ ହୋଇ।୧୮!


ଭାଦ୍ରବ ର କୃଷ୍ଣ ଅଷ୍ଟମୀ ସେହି ଦିନ ଯେ ଥିଲା 

ଦେବକୀ ଙ୍କ ଗର୍ଭ ଯନ୍ତ୍ରଣା ତହିଁ ଆରମ୍ଭ ହେଲା ।

ସାତ ଖଣ୍ଡ ମେଘ ସେଦିନ ସତେ ହେଲେ ଏକାଠି 

ସଞ୍ଜ ନଇଁଆସି ସହଳ ହୋଇ ଗଲା ଯେ ରାତି ।

ତଉଦିଗେ ଘୋଟିଗଲାଟି ଘନ ଅନ୍ଧାର ଆହା

ମେଘ ବରଷା ତ ସେଦିନ ହେଲା ତୁହାକୁ ତୁହା ।୧୯!


ମଥୁରା କଟକ ବହଳ ନିଦେ ପଡ଼ିଲା ଶୋଇ

ବରଷା ଜଳରେ ଉଛୁଳୁ ଥିଲା ଯମୁନା ନଈ ।

ରାତି ଯେ ବଳେଇ ପଡ଼ିଲା ନିଶା ଗରୁଜୁଥିଲା

ପୁତ୍ର ସନ୍ତାନ ଟି ଦେବକୀ ଗର୍ଭୁ ଜନମ ହେଲା ।

ପ୍ରସବ ପରେଟି ଦେବକୀ ତାର ଚେତା ହାରିଲା

କଂସ ଭୟେ ବସୁଦେବଙ୍କ ଚିନ୍ତା ବଳେଇ ଗଲା ।୨୦!


ପୁତ୍ର ର ସୁରକ୍ଷା ପାଇଁକି ବସୁଦେବ ଯେ ବସି

ଧ୍ୟାନ କରୁଥିଲେ ପ୍ରଭୁ ଙ୍କୁ ତାଙ୍କ ନାମକୁ ଜପି ।

ଏକାଳେ ସତେକି ସେଠାରେ ହେଲା ଅମୃତ ବୃଷ୍ଟି

ବସୁଦେବ ହେଲ ଚକିତ ଆହା ଇଏକି ସୃଷ୍ଟି!

ଅନ୍ଧାର ରାତିରେ ଆଲୋକ ପଡୁଥିଲା ବିଛେଇ 

କଅଁଳ ଶିଶୁ କୁ କିଏସେ ତହିଁ ଦେଲା ସଜେଇ ।୨୧!


ହୀରା ନୀଳା ମଣି ଝଟକେ ପୀତାମ୍ବର ଶୋଭନ

କିରିଟି, କୁଣ୍ଡଳ, ନୁପୂର ପାଦେ, ହସ୍ତେ କଙ୍କଣ।

ଶଙ୍ଖ ଚକ୍ର ବଦା କମଳ ଚତୁର୍ଭୁଜ ରେ ଶୋଭେ

କଟିରେ ସୁବର୍ଣ୍ଣ ସୂତା କୁ ସୁନା ପଦକ ହୃଦେ।

ମାୟାଧର ଙ୍କର ମାୟା କି ତହିଁ ପ୍ରକାଶ ହେଲା

ବନ୍ଦୀଶାଳା ଅନ୍ଧ ଅର୍ଗଳି ଝଲସି ତ ଉଠିଲା ।୨୨!


ଦାସ ଦାସୀ ଦ୍ଵାରପାଳ ଯେ ପଡିଥିଲେ ତ ଶୋଇ

ବନ୍ଦୀଶାଳା ଦ୍ବାର ମୁକୁଳା ସ୍ବର ଶବଦ ନାହଁ।

ପିତାଙ୍କୁ ପ୍ରଣାମ କରିଣ ସେହି ଶିଶୁ ଟି ଭଲା

ଭୟ କରନାହିଁ ପିତା ଶ୍ରୀ ହସିହସି କହିଲା ।

ଟୋକେଇରେ ଏକ ପୁରାଇ ମୋତେ ନିର୍ଭୟେ ନେଇ

ଗୋପପୁରେ ରାତି ଭିତରେ ଛାଡ଼ି ଆସ ଯେ ଯାଇ ।୨୩!


କଅଁଳ କଳି ର କଥାରେ ବସୁଦେବ ଚଳିଲେ

ବନ୍ଦୀଶାଳାରୁ ତ ପୁତ୍ରକୁ ନେଇ ଯମୁନା କୂଳେ।

ଅଦ୍ଭୂତ ସେଦିନ ନଥିଲେ ଜଣେ କେହିତ ଚେଇଁ

ଏକା ଉଗ୍ରସେନ ଦ୍ଵାରରେ ବସିଥିଲେ ତ ଚାହଁ।

ବସୁଦେବ ଙ୍କୁ ସେ ଦେଖିଣ ତହିଁ ଅଟକାଇ ଲେ

ଶଙ୍ଖ ଚକ୍ର ଗଦା ଦେଖି ସେ ତାଙ୍କୁ ଛାଡି ଯେ ଦେଲେ।୨୪!


ବସୁଦେବଙ୍କୁ ତ ଯମୁନା ନେଲା ବାଟ କଢାଇ 

ବରଷା ଦାଉ କୁ ରୋକିଲେ ନାଗ ଛତାଟି ହୋଇ।

କନ୍ଯାଟିଏ ଜନ୍ମ ଦେଇଣ ରାଣୀ ଯଶୋମତି ଟି

ନିଘୋଡ଼ ନିଦରେ ଶେଯରେ ସେତ ଶୋଇଥିଲେ ଟି।

ନନ୍ଦ ଘରେ ପୁତ୍ର ସନ୍ତାନ ବସୁଦେବ ଯେ ଛାଡି 

କନ୍ୟାକୁ ସାଥିରେ ଧରିଣ ଗଲେ ଗୋପୁ ବାହୁଡ଼ି।୨୫!


ମଥୁରାର ବନ୍ଦୀ ଶାଳାରେ ଧରି କନ୍ୟାକୁ ସେତ

ପହଁଞ୍ଚନ୍ତେ ବସୁଦେବ ଯେ ମାୟା ହଟିଗଲାତ।

କୁଆଁ କୁଆଁ କାନ୍ଦି ଶିଶୁଟି ଘର କମ୍ପାଇ ଦେଲା

କଂସାସୁର ପାସେ ସହସା ତହୁଁ ବାରତା ଗଲା।

ପୁତ୍ର ନୁହେଁ କନ୍ୟା ସନ୍ତାନ ଟିଏ ହୋଇଛି ଜାତ

ଶୁଣି ଯେ ଗର୍ଜନ କରିଣ ଧାଇଁ ଆସିଲା ସେତ।୨୬!


କଚାଡି ମାରନ୍ତେ କନ୍ୟା କୁ ହାତୁ ଖସି ସେ ଗଲା

ଶୂନ୍ୟ କୁ ପଳାଇ ଯାଇ ସେ ହସିହସି କହିଲା,

ମାରିବାକୁ ତୋତେ ଗୋପରେ ସେତ ବଢୁଛି ଦେଖ 

ମିଛରେ ମୋତେ ତୁ ମାରୁଛୁ କଂସ ତୁ ବଡ ମୁର୍ଖ।

ଗୋପେ ଗଲେ କଂସ ମରିବ ଶାପ ପାଇ ସେ ଥିଲା

ଗୋପେ ବଢ଼େ ତାର ବଇରୀ ଶୁଣି ଅଥୟ ହେଲା ।୨୭!



Rate this content
Log in

Similar oriya poem from Abstract