STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ମୋ ପ୍ରିୟା ଆସୁଛି

ମୋ ପ୍ରିୟା ଆସୁଛି

1 min
337


ମୋ ପ୍ରିୟା ଆସୁଛି ଉଡନ୍ତା ଥାଳିରେ

ଗୋରା ହାତ ଛିଟା ମେହେନ୍ଦୀ ରଙ୍ଗରେ

ଫୁଲ ବରଷୁଛି 

              ବାସ ଚହଟୁଛି

ମୋ ପ୍ରିୟା ବଧୂଲୀ ଓଠରେ, ସଖିରେ 

ଚନ୍ଦ୍ରିକା ଅଞ୍ଚଳ ଉଢାଳେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।


ସବୁଜ ରଙ୍ଗର ପାଟ ଓଢଣୀରେ

ଶଶୀ ମୁଖୀ ହସୁ କଉମୁଦୀ ଝରେ

କୁସୁମ ଫୁଟିଛି

            ଭ୍ରମର ଉଡୁଛି

ଗାଇ ଗୁଣୁଗୁଣୁ ସ୍ଵରରେ, ସଖିରେ

ବସିବ ପ୍ରଣୟ ବେଦୀରେ, 

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।


ଧବଳ ସ୍ଫଟିକ ଫେନିଳ ସୁନୀଳ

ଝରଣାର ଝର କୁଳୁକୁଳୁ ସ୍ଵର

ପଞ୍ଚମ ତାନରେ

          କୋଇଲି ଗୀତରେ

ପ୍ରିୟାକୁ ସ୍ଵାଗତ କରେ ରେ, ସଖିରେ

ଚାରୁ ଚନ୍ଦ୍ର ଦୀପ ଜଳେରେ, 

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।


ପ୍ରଜାପତି ଡେଣା ପ୍ରାୟ ଚିତ୍ର ଲେଖା 

କପୋଳେ ଚିତ୍ରିତ କସ୍ତୁରୀର ରେଖା

ଆଲୁଳିତ କେଶ

              କରଇ ବିବଶ

ସଜାଇଛି ଫୁଲଶରରେ, ସଖିରେ

ଆସିବ ମୋ ପ୍ରେମ କୁଟୀରେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।।


କାନଫୁଲ ଝରା ମଦନର ରଥ

ଚକ ଦ୍ଵୟ ସମ ହୁଅଇ ପ୍ରତୀତ

ମୋହନ ମନ୍ତର

           ପ୍ରେମ ପାରାବାର

ଛବି ପରି ସିଏ ଦିଶେରେ, ସଖିରେ 

ଉଛନ୍ନ ସେ ପ୍ରେମ ବିହ୍ଵଳେ, 

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।


ହିମାନୀ ମୁକୁତା ହାର ତା'ର ଗଳେ

ଛୁଇଁ ଝୁଲୁଅଛି ଉରୁ କୁଚାଗ୍ରରେ

ସତେ କି ଚନ୍ଦ୍ରମା

             ଅପରୂପ ସୁନା

ପାଉଁଜି ତା ରୂପା ପାଦରେ, ସଖିରେ

 ଆସେ ହିରଣ୍ମୟ ରଥରେ

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।


ରସମୟ ଭାବ ସମ୍ପନ୍ନ ଭଙ୍ଗୀରେ

ଶୋଭା ମନୋହର ପ୍ରଣୟ ଛନ୍ଦରେ

ଅନଙ୍ଗ ଫୁଲର

      ସେକି ଧନୁତୀର

ବିବଶ କରି ଏ ପ୍ରକାରେ, ସଖିରେ

ମୋ ପ୍ରିୟା ଆସଇ ଆତୁରେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance