STORYMIRROR

Krushna Chandra Lenka

Inspirational Children

3  

Krushna Chandra Lenka

Inspirational Children

ମୋ ଓଡିଶା

ମୋ ଓଡିଶା

2 mins
458

କେଡେ ସୁନ୍ଦର ରାଇଜ ମୋର ଏଇ ଓଡିଶା ଭୂଇଁ,

କେଡେ ମଧୁର ଭାଷାଟି ତାର କଳନା ଯା'ର ନାହିଁ।

କେଡେ ଗହନ ଶାଗୁଆ ବନ ଧରିଛି ତାର କୋଳେ,

ଗରଳ ପାନ କରି ସେ ବନ ନିତି ଅମୃତ ଢାଳେ।

ନୀଳ ସାଗର ଧୁଏ ପୟର ଯାହାର ଏଠି ନିତି,

ନାଚି ନାଚିକା ତରଙ୍ଗ ଖେଳେ ଦିଶେ ଯେମନ୍ତ ମୋତି।

ହୃଦୟ ତାର କେଡେ ଗଭୀର ଭରିଛି ସ୍ନେହ ପ୍ରେମେ,

ପଣତ ଯାର ସବୁଠୁଁ ବର ଦୂରାଏ ଭୀତି କ୍ରମେ।

କେତେ ଯେ ଖଣି ମୁକୁତା ମଣି ଗରଭେ ଧରି ତାର,

ଦେଇଣ ତାହା ହୁଅଇ ସାହା ଦୁର୍ଦ୍ଦିନେ ଓଡ଼ିଆର।

ସୁଖେ ବା ଦୁଃଖେ ଓଡ଼ିଆ ମୁଖେ ଦିଅଇ ଗଣ୍ଡେ ଦାନା,

କେଡେ ଯତନେ ଚଷାର କ୍ଷେତେ ଫଳାଏ ଏଠି ସୁନା।

ପାଣି ପବନ ଛୁଏଁ ପରାଣ ଏଇ ଓଡିଶା ବକ୍ଷେ,

କହଇ କାନେ ସବୁରି ମନେ ଲଙ୍ଘିବ ଗିରିଶିଖେ।

ବଢି କି ଝଡି ବାଆ, ମରୁଡି ନିଇତି ଏଠି ଆସେ,

ନୁଆଁଇ ନାହିଁ ତିଳେ ତା' ମଥା କେବେ ବିପଦ ପାଶେ।

ଓଡ଼ିଆ ପ୍ରିୟ ପଖାଳ କଂସା ଦିଅଇ ସୁଖ ଯେତେ,

ଆହାକି ମିଠା ଆରିସା ପିଠା ଲାଗଇ ଏଠି ସତେ!

ସୂର୍ଯ୍ୟ ମନ୍ଦିର, ଶିରୀ କ୍ଷେତର ସାଥେ ମୋ ଜଗନ୍ନାଥ,

ମହିମା ତାର କେଡେ ଅପାର ଜାଣଇ ଏ ଜଗତ।

ବାର ମାସେ ଯେ ତେର ପରବ ହୁଏ ପାଳନ ଯହିଁ,

ତା' ସମ କେହି ଜଗତେ ନାହିଁ ସେ ମୋ ଓଡିଶା ଭୂଇଁ।

ଐତିହ୍ୟ ତାର ପାଏ ଆଦର ଦେଶେ ବିଦେଶେ କେତେ,

ସଂସ୍କୃତି ଯହିଁ ସଦା ଦିଅଇ ପରିଚୟ ଜଗତେ।

ଭାସ୍କର୍ଯ୍ୟ କଳା ପାଇଁ ଏ ମାଟି ବିଶ୍ୱେ ହୋଇଛି ବର,

କେଡେ ସୁନ୍ଦର ଏ ଓଡ଼ିଶାର କୋଣାର୍କ ଦରବାର!

ବାଳୁତ ବୀର ଧରମ ପଦ ସାଥେ ବାଜି ରାଉତ,

ଏ ମାଟି ପାଇଁ ଜୀବନ ଦେଇ ରଖିଲେ ଯଶ ସେତ।

ଗରିବ ବନ୍ଧୁ ସେ ଗୋପବନ୍ଧୁ ମେହେର, ମଧୁବାବୁ

ମାଳତୀ, ରମା ସେ ମହତାବ ସାଥେ ଯେ ବିଜୁବାବୁ।

ଜନମିଛନ୍ତି ଏମନ୍ତ କେତେ କେତେ ଓଡ଼ିଆ ବୀର,

ଓଡିଶା ପାଇଁ ପରାଣ ଯା'ର କାନ୍ଦଇ ବାର ବାର।

ନବ ଓଡିଶା ଗଢି ମୋ ଦେଶେ ରଖିଲେ ଟେକ ତାର,

ତା' ଲାଗି ସିନା ଗରବେ କହେ ଓଡିଶା ମୋର ଘର।

ମଧୁସୂଦନ, ଫକୀରମୋହନ,ଉପେନ୍ଦ୍ର, ରାଧାନାଥ

ଶାରଳା, ଭୀମ, କୁନ୍ତଳା, ଅଭି, ଅଚ୍ୟୁତ, ଜଗନ୍ନାଥ।

ଲେଖନୀ ମୁନେ ଓଡ଼ିଆ ମନେ ଭରିଲେ ଜାତି ପ୍ରୀତି,

ସେ'ପାଇଁ ଆଜି ଓଡିଶା ମୋର ଜାଗେ ସେ ଦିନ ରାତି।

କେଡେ ଯତନେ ବଢିଛି ଦିନେ ତା' ତରୁ ଛାୟା ତଳେ,

ଜୀବନ ମୋର ହୋଇଛି ଧନ୍ୟ ଜନମି ତାର କୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational