ମୋ ମାତୃଭୂମି ଓଡ଼ିଶା
ମୋ ମାତୃଭୂମି ଓଡ଼ିଶା
ମୋର ମାତୃଭୂମି, ଓଡ଼ିଶା ପ୍ରଦେଶ
ସମ ନାହିଁ ମହୀ ତଳେ,
ଜଗତର ନାଥ, ଯହିଁ ବିରାଜିତ
ଆମ ଏ ପୁଣ୍ୟ ଉତ୍କଳେ ।
କେତେ ନାଦନଦୀ,ବିଲ,ବନ୍,ଗିରି
ସାଗର,ମହାସାଗର,
କି ଅବା କଳିବି, ଗର୍ଭରେ ତୋହରି
ଅନେକ ରତ୍ନ ଭଣ୍ଡାର ।
କେତେ ସୁର ବୀର,କବି କଳାକାର
ଜନମି ତୋହରି କୋଳେ
ଯୁଗ ଯୁଗ ପାଇଁ ଯଶ ରଖିଗଲେ
ଆମର ଏ ମହିତଳେ।
ମହିମା ମଣ୍ଡିତ, ଉତ୍କଳ ସଂସ୍କୃତି
ଉତ୍କଳୀୟ ପରମ୍ପରା,
ଯା,ର କଳାକୃତି, ଜଗତ ବିଦିତ
ସମ ନାହିଁ ବସୁନ୍ଧରା।
ଯେଉଁ ଠାରେ ବିଜେ, ସ୍ୱୟଂ ଜଗନ୍ନାଥ
ଜଗତ କରେ ପ୍ରଣାମ,
ପୁଣ୍ୟ ନୀଳାଚଳ, ସାରା ଭୁମଣ୍ଡଳେ
ଖ୍ୟାତି ଅର୍ଜନେ ଅସୀମ।
ସେ ଉତ୍କଳମଣି, ଭୀମଭୋଇ ବାଣୀ
ମାନବ ଜାତିର ହିତେ,
"ମିଶୁମୋର ଦେହ" "ମାେ ଜୀବନ ପଛେ"
ବାରତା ଦିଏ ଜଗତେ।
ବଳରାମ ଜଗନ୍ନାଥ ଯଶୋବନ୍ତ
ଅଚ୍ୟୁତ,ଶିଶୁ ଅନନ୍ତ,
ଓଡ଼ିଆ ସଂସ୍କୃତି,ଭାଷାର ଉନ୍ନତି
ପାଇଁ ଜଗତେ ବିଖ୍ୟାତ।
ପଠାଣି ସାମନ୍ତ,ଜ୍ୟୋତିର୍ବିଦ ଭାବେ
ଥିଲେ ସେ ବିଶ୍ଵବିଖ୍ୟାତ,
ସିଦ୍ଧାନ୍ତ ଦର୍ପଣ,ରଚି ଜ୍ୟୋତି ଜ୍ଞାନ
ବିତରି ଥିଲେ ଜଗତ।
ଦିଖଣ୍ଡି କାଠିରେ, ଗ୍ରହ ତାରା ସ୍ଥିତି
ପର୍ବତ ମାପି ସତ୍ବର
ଜ୍ୟୋତିଷ ଶାସ୍ତ୍ରର, ନିର୍ଭୁଲ ଗଣନା
କରି ହୋଇଲେ ଅମର।