ବଳିଆ ବଚନ
ବଳିଆ ବଚନ
ନିଜକୁ ସମୀକ୍ଷା ନକରି ଅନ୍ୟରେ,ଦେଖାଅ ନାହିଁ ଆଙ୍ଗୁଳି,
କାହାରି ଘରଟି ଭାଙ୍ଗନି ତୁମର,ସ୍ବପ୍ନ ଭାଙ୍ଗିଯିବ କାଲି।
କାହାରି ଆଖିରେ ଲୁହ ଦେଇ ତୁମେ, ଜମା ପାରିବନି ହସି,
କାହାରି ବିଷୟ ନଜାଣି ସଠିକ,ଭଲ ମନ୍ଦ ଦିଅ ଭାଷି।
ଯଦି ଭଲ କଥା ହିତ ନ ମଣୁଛ,ବିକୃତ ନକର ତାକୁ,
ସାମ୍ବାଦିକତାକୁ ଆଚରିବ ଯେବେ,ସୃଷ୍ଟି ନ କର ତାହାକୁ।
କପୋଳ କଳ୍ପିତ ବା ଶୁଣା କଥାରେ,ଭୁଲ ବୁଝିବନି କେବେ,
କାହାରିକୁ ଦେଇ ମନରେ ଅଶାନ୍ତି, ଶାନ୍ତି ଲଭିବନି ଲବେ।
ପରିସ୍ଥିତି କିବା ପରିବେଶେ ପଡ଼ି, କରେ ଯଦି କିଏ ଭୁଲ,
ଅନୁତପ୍ତ ସେହି ମଣିଷକୁ ନିଶ୍ଚେ, ଘୃଣା ନ କରିବା ଭଲ।
ଅନ୍ୟ ମନେ କଷ୍ଟ ଦେଲେ ନିଜ ଇଷ୍ଟ,ସନ୍ତୁଷ୍ଟ ନୋହିବେ କେବେ
ଦେଇ ଅଭିଶାପ ପାରିବନି ଉଠି, ଏ କଥାଟି ଧ୍ରୁବ ଭବେ।
ଅନ୍ୟକୁ କାଦୁଅ ଫିଙ୍ଗି କେବେ ଜମା ପିନ୍ଧି ପାରିବନି ସଫା,
ମୁଁ ଭଲ ସେ ଭେଲ, ଯେ ଜନ କହଇ, ସବୁଠୁ ଅଭଲ ଏକା।
ଯଦି ନ ମିଳଇ ଆଶୀର୍ବାଦ କେବେ, ହୁଅ ନାହିଁ ଅଭିଶପ୍ତ,
କର ଅନ୍ବେଷଣ ସେ ବିଭୁ ସତ୍ତାର, ପୂରି ରହିଛି ଜଗତ।
ମୁଁ କିଏ କେଉଁଠୁ ପଚାର ଆସିଛ,କ'ଣ ତୁମର କର୍ତ୍ତବ୍ୟ,
ବିଶାଳ ଆକାଶେ ଚାହିଁ ନିଜ ସ୍ଥିତି ସମୀକ୍ଷା କରି ବୁଝିବ।
ନୀଳ ସାଗରର ବିଶାଳତା ମଧ୍ୟେ, ନିଜ ଅହଂକୁ ସମର୍ପି,
ଚାଲୁଥିବ ଶତପଥ ଅନୁସରି, ବିଭୁଙ୍କୁ ସକଳ ଅର୍ପି।
ଯେଉଁ ଜନ କରେ ମାତାପିତା ସେବା,ରାମ ନ ଡାକିଲେ ଦୁଃଖ,
ଦୁର୍ନୀତି ବିରୁଦ୍ଧେ ସଂଗ୍ରାମରେ ଥିଲେ,କୃଷ୍ଣ ନ ଡାକିଣ ସୁଖ।
ଯେଉଁ ଜନ ମଣେ ଜଗତକୁ ଗୁରୁ,ଗୁରୁମୟ ଏ ଜଗତ
ନିର୍ଦ୍ଧିଷ୍ଟ ଗୁରୁ ନକରି ଅବହେଳେ, ଅବଶ୍ୟ ହେବ ମୁକତ।