ମୋ ମା ମୋ ମାତୃଭାଷା
ମୋ ମା ମୋ ମାତୃଭାଷା


ଜନନୀ ଗର୍ଭରୁ ଭୂମିଷ୍ଠ ମାତ୍ରକେ
କୁଆଁ କୁଆଁ ଶବ୍ଦ କଲି
ସେହି ଶବ୍ଦ ମୋତେ ଶିଖାଇଲା ଆଗ
ମାଆ ମାଆ ଡାକ ବୋଲି ।
ଆଦ୍ୟ ଡାକ ମୋର ମାଆ ଡାକ ହେଲା
ଜଗତେ ପବିତ୍ର ନାମ
ସେହି ଡାକ ପାଇଁ ଜଗତ ବ୍ୟାକୁଳ
ପବିତ୍ର ହୋଇଛି ଧାମ ।
ମୋର ଆଦ୍ୟଗୁରୁ ମୋର ମାତୃଭାଷା
ଶିଖାଇଛି ମାଆ ଡାକ
ମାଆର ମମତା କିପରି ଭୁଲିବି
ରଖିବି ଭାଷାର ଟେକ ।
ଜନମ କାଳରୁ ମରଣ ପର୍ଯ୍ୟନ୍ତ
ଗୋଟିଏ ତ ମୋର ଭାଷା
ଯା' ପାଇଁ ଆଜି ସୁନାମ ଅର୍ଜିଛି
ସେ ହିଁ ମୋର ମାତୃଭାଷା ।
ଯେଉଁ ଭାଷା ପାଇଁ ମୋ ପୂର୍ବ ପୁରୁଷ
ଭୋଗିଛନ୍ତି ରାଜଦଣ୍ଡ
ସେହି ଭାଷା ମୋର ଜୀବନ ଜୀବିକା
ସେହି ମୋର ମାନଦାଣ୍ଡ ।
ଆନ ଭାଷା ଯାହା ଶିକ୍ଷା ମୁଁ କରିଛି
ଭାରତ ଭ୍ରମଣ ପାଇଁ
ମୋ ଉତ୍କଳ ଭାଷା ମୋର ମାତୁଭାଷା
କହିବି ସଭିଙ୍କ ଠାଇଁ ।
ମାତୃଭାଷା ଛାଡି ପରିଚୟ ପାଇଁ
କେହି ନ ବଳାଅ ମନ
ମାଆର ପଣତ ପରି ଅଟେ ମାତୃଭାଷା
ସେଇତ ଜୀବନ ଧନ ।
ଯା ପାଣି ପବନ ଶାକ ଓ ତଣ୍ଡୁଳ
ଶୈଶବେ ଦେଇଛି ବଳ
ସେହି ଭୂମି ଭାଷା ମୋର ମାତୃଭାଷା
ମୋ ଜୀବନ ପୁଣ୍ୟ ଫଳ ।
ସମଗ୍ର ଦେଶକୁ ଆଜ ମୋ ଆହ୍ୱାନ
ଭାଷାର ମହତ ରଖ
ନିଜ ମାତୃଭାଷା ନିଜ ପାଇଁ ବଡ଼
ଏହି କଥା ମନେରଖ ।
ମାତୃଭୂମି ଆଉ ମାତୃଭାଷା ଟେକ
ରକ୍ଷାକରେ ଯେଉଁ ଜନ
ରାଇଜ ତାହାର ହୁଅଇ ଯେ ଧନ୍ୟ
ଦେଇ ମାତୃଭାଷା ଜ୍ଞାନ ।
ମୋ ଉତ୍କଳ ଭାଷା ମୋ ପାଇଁ ସୁନ୍ଦର
ଛାଡିବନି ହାତ ତାର
ଏତିକି ଶପଥ ମୋ ଜୀବନ ବ୍ରତ
ରଖ ଆହେ ଜଗନ୍ନାଥ ।
ଆହେ ଜଗନ୍ନାଥ ଜଗତର ନାଥ
ଉତ୍କଳ ମଉଡମଣି
ଭାଷାକୁ ମୋହର ଶ୍ରେଷ୍ଠ ସ୍ଥାନ ଦିଅ
ହେଉ ସେ ଜଗତେ ଗୁଣି ।