STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ମୋ ଜୀବନ ପଛେ

ମୋ ଜୀବନ ପଛେ

1 min
245

ସନ୍ଥ ଭୀମଭୋଇ କହିଥିଲେ ଦିନେ

ଗୀତି କବିତା ଭାଷାରେ

ବିଦ୍ୟାଳୟରେ ଶିକ୍ଷକ କହିଲେ

ରଖିବ ଏହାକୁ ମନେ

ନ ଭୁଲିବ କେବେ ଆଉ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ। 


ଦି ଧାଡ଼ି ପଂକ୍ତିରେ ରହିଥିଲା ସତେ

ଅସରନ୍ତି ମହାକାବ୍ୟ

ସ୍ୱାର୍ଥହୀନ ସେବା ତ୍ୟାଗ ଓ କର୍ମର

ଜୀବନର ମହାବାକ୍ୟ

କି ବର୍ଣ୍ଣିବା ତାକୁ ଆଉ

ମୋ ଜୀବନ ପଛେ........


ସମୟ ସାଥିରେ ଚାଲୁ ଚାଲୁ ଦିନେ

ଦେଇଥିଲି ମୁଁ ପାଶୋରି

ଯୋଗୀଟିଏ ଗାଇ ଯାଉଥିଲା ଶୁଣି

ହୃଦ କାହିଁ ଗଲା ଥରି

ମହାବାହୁ ମହାବାହୁ

ମୋ ଜୀବନ ପଛେ..........


ମଣିଷ ଜନମ କେଡ଼େ ସୁଦୁର୍ଲଭ

ମହାଭାଗ୍ୟ ବଳେ ପାଇ

ସର୍ବଶ୍ରେଷ୍ଠ ହୋଇ ବୁଦ୍ଧି ଥାଉ ଥାଉ

ବିବେକ ଦେଉ ହଜାଇ

ଧିକ ବଡ଼ପଣ ହେଉ

ମୋ ଜୀବନ ପଛେ.........


ସଭା ସମିତିରେ ଭାଷଣ ଦେଉଛୁ

ବସୁଧୈବ କୁଟୁମ୍ବକମ୍

ବାସ୍ତବ ଜୀବନେ ନିଜ ବେଳ ହେଲେ

କରି ଦେଉ ସ୍ୱାହା ସର୍ବମ୍

ମଣିଷ କାହିଁ ବୋଲାଉ

ମୋ ଜୀବନ ପଛେ..........


ଝରିବାକୁ ଆମ ଆଖିରେ ରହିଛି

ସାଗର ପରିକା ଲୁହ

ପର ଦୁଃଖ ଦେଖି ଝରେନା ଲୋତକ

ସରିଯାଏ ସବୁ ମୋହ

ମିଛ ଅଭିନୟ କରୁଥାଉ

ମୋ ଜୀବନ ପଛେ..........


ଗୋଟିଏ ମାତାର ସନ୍ତାନ ଆମ୍ଭେ

ସଭିଏଁ ଭଉଣୀ ଭାଇ

ଗୋଟେ ଭାଇ ପିନ୍ଧେ ଛିନ୍ନ ପରିଧାନ

ଆମେ ପିନ୍ଧୁ କୋଟ ଟାଇ

ଜଣେ ପଛେ ଭୋକେ ଥାଉ

ମୋ ଜୀବନ ପଛେ..........


ତୁଛା ଜ୍ଞାନ ତତ୍ତ୍ୱ ଝରେ ଏ କଣ୍ଠରୁ

ଆମେ ଛାଏଁ ଛାଏଁ ଜ୍ଞାନୀ

ତାଙ୍କ ଭାଗ୍ୟ ନେଇ ସେମାନେ ବଞ୍ଚନ୍ତୁ

ଆମେ କଥା କୁହା ମୁନୀ

ସତ ନୁହେଁ ଏ କି ଆଉ

ମୋ ଜୀବନ ପଛେ..........


ହେ ବିଶ୍ୱ କରତା ତୁମ୍ଭ ଆଡ଼ ନେତ୍ର

ଏ ଧରା ପୃଷ୍ଠରେ ପଡ଼ୁ

ଜାଗରିତ ହେଉ ସତ୍ ଚେତନାର

ମନୁଷ୍ୟତ୍ୱ ଧ୍ଵଜା ଉଡ଼ୁ

ପ୍ରେମ ମନ୍ଦାକିନୀ ବହୁ

ମୋ ଜୀବନ ପଛେ..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational