ମୋ ହୃଦ ରଥରେ ସାରଥି ଜଗା
ମୋ ହୃଦ ରଥରେ ସାରଥି ଜଗା
ପଥ ସରିଗଲା ଯାତ୍ରା ସରିଗଲା
ପୁରିଲା ତୋ ମନୋରଥ
ଏକା ଏକା ଆଜି ଆଡପ ମଣ୍ଡପେ
ବସିଛୁ ଜଗତନାଥ I
ତୋ ଆଗରେ କେହି ଗୁହାରି କରୁନି
ଦୁଃଖ କେ ଜଣାଉ ନାହିଁ
କାହା ଦୁଃଖ ଅବା ଶୁଣିବୁ କାଳିଆ
ବଡ ଦୁଃଖୀଟିଏ ତୁହି I
ମନେ ଭାବିଥିଲି ତୋ ଡୋରୀ ଲଗାଇ
ଟାଣି ନେବୁ ମୋତେ ପୁରୀ
ମର୍ତ୍ତ୍ୟ ବୈକୁଣ୍ଠରେ ରଥଯାତ୍ରା ତୋର
ଦେଖିବି ମୁଁ ମନଭରି I
କାହିଁଗଲା ତୋର ଶକ୍ତି ରେ କାଳିଆ
କିଛି ଜଣା ପଡୁନାହିଁ
ତୋ ଅସହାୟତା ବୁଝୁଛୁିରେ ଜଗା
କି ଦୁଃଖରେ ଥିବୁ ତୁହି I
ତଥାପି ଜାଣିଛି ସୀମାହୀନ ତୁହି
କରୁଣାର ଗନ୍ତାଘର
ଆଜି ଯାହାଯାହା ଦେଖେ ଆଖି ମୋର
ସେ ସବୁ ବି ଲୀଳା ତୋର I
ସେଥିପାଇଁ ତୋତେ କିଛି ମୁଁ ମାଗୁନି
ପତାଉନି ମୋର ହାତ
ହୃଦରଥେ ତୋତେ ସ୍ଥାପନା କରୁଛି
ଚଳା ମୋ ଜୀବନ ରଥ I
