STORYMIRROR

Ajaya Mahala

Inspirational

2  

Ajaya Mahala

Inspirational

ମୋ ଗାଆଁରେ ଦୀପାବଳୀ

ମୋ ଗାଆଁରେ ଦୀପାବଳୀ

1 min
13.7K


ପହିଲି ଶୀତ

ଜମି ଆସୁଥିବା ନଡ଼ିଆ ତେଲ

ତୁଠ ଉପରର ପଥରରେ

ଘୋରି ହୋଇ ଯାଇଥିବା ପାତିଆ ସାବୁନ

ଦେହରେ ଶୁଖି ଯାଉଥିବା ସାବୁନ ଫେଣ

ଖସି ଯାଉଥିବା ସମୟର

ପଣତକୁ କିଏ ଜାବୁଡି ଧରିଛି

ବେଣା ବୁଦା ମୂଳେ ଜଗି ବସିଛି ଜଗା ||


ଯେମିତି ହେଲେ ମାରିବ

ଦୁଇଟି ଗେଣ୍ଡାଳିଆ

ଚୁଲି ଉପରେ

ହାଣ୍ଡି ଢାଙ୍କୁଣୀ ଧଡ଼ ଧଡ଼ କରି

ଫୁଟି ଆସୁଛି ବିରି ଡାଲି

ଜଳୁଥିବା ପିମ୍ପେଇ କାଠି ପଛପଟେ

ସିଗାରେଟ ଧୂଆଁ

ଶିମ୍ବ ଲତା ଝଟା ଭିତରକୁ

ପଶି ଛିଡା ହୋଇଥିବା

ସହର ଫେରନ୍ତା ପୁଅର ଧଳା କାର୍

ନଡ଼ିଆ ବାଡେଇ ସାରି

କୋରଣା ଖୋଜୁଥିବା ଖୁଡି

ଗୋଟିଏ ହାତ ନ ଥିବା

ଭଙ୍ଗା ଚେୟାର,

ବାଡ଼ି ପଟେ ଚଡକି ଯାଇଥିବା

ମାଟି ହାଣ୍ଡି

ବିଧବା ହାତରେ

ମଳି ପିଇ ଯାଇଥିବା ରୂପା ଖଡୁ

ଦଶ ବର୍ଷ ତଳର ଦିବାଲି

ତରକି ନାଚୁଥିଲେ ଖୁଣ୍ଟରେ ବନ୍ଧା ବଳଦ

ପ୍ରଥମ ଥର ଦିବାଲି ବାଣଫୁଟା ଦେଖି

ଭେଁ କରି କାନ୍ଦି ଉଠୁଥିଲା

ସହର ଫେରନ୍ତା ବାବୁର ଛ' ମାସିଆ ପୁଅ

କଳା ସୂତାରେ ବନ୍ଧା ବଡ ଡେଉଁରିଆ

ଡାହାଣୀ ମାନଙ୍କ ପାଇଁ

ଦିବାଲି ବାଣ ପାଇଁ ନୁହେଁ ||


ଏ ବର୍ଷ କିନ୍ତୁ

ଶିମ୍ବ ଲତା ଝଟା ତଳେ

ଆଉ ସେ ଧଳା କାର୍ ଦିଶୁନି

ଗାଁ ଦାଣ୍ଡ ପାଖ ଗଡିଆରେ

ନାଗଫେଣି ଦଳ ଭିତରେ

ମୁଣ୍ଡ ଗେଂଜି ପଶିଛନ୍ତି

ଫୁଟି ନ ପାରିଥିବା ସ୍ୱପ୍ନର ରକେଟ ସବୁ

ଜଳି ଯାଇଥିବା ଝରଝରିଆ ବାଣ ଗୋଟାଇ

ତମ୍ବା ତାର ଏକାଠି କରୁଛି

ଫୁଙ୍ଗୁଳା ଦେହରେ ପିଲାଟି

ଆଉ ମୁଁ ନିଜେ

ଘରି ବାଣ ଓଲଟାଇ ଦେଖୁଛି

ସେଥିରୁ ଝରି ପଡୁଥିବା

ଜଳି ଯାଇଥିବା ସମୟର

ବାରୁଦକୁ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational