ମୋ ଗାଆଁ ରୁ ଚି଼ଠି ଆସିଛି
ମୋ ଗାଆଁ ରୁ ଚି଼ଠି ଆସିଛି
ଡ଼ାକ ବାଲା ଆଜି ସକାଳୁ ସକାଳୁ
ଚି଼ଠି ଖଣ୍ଡେ ଫିଙ୍ଗି ଦେଇଛି
ତାକୁ ମୁଁ ହାତରେ ଧରିଛି ଶ୍ରଧାରେ
ମନ ଭରି ଟିକେ ଦେଖୁଛି ।
କେତେ ଦିନ ହେଲା ଗାଆଁ ଲୋକଙ୍କୁ
ମୋ ମନରେ କବର ଦେଇଛି
ଯେତେ ଭାବିଲେବି ଲୋକଙ୍କ ଚେହେରା
ଅଚି଼ହ୍ନା ଅଚି଼ହ୍ନା ଲାଗୁଛି ।
କିଏ ଦେଲା ଚିଠି କାହିଁକି ଲେଖିଲା
ସେ କଥା ଉପରେ ଭାବୁଛି
କିଛି କିଛି ପୂର୍ବ ଅତୀତ କାହାଣୀ
ମନେ ମୋର ଉଙ୍କି ମାରୁଛି ।
ଗାଆଁ ବରକୋଳି, ତେନ୍ତୁଳି, ଆମଡା଼
କଷା ,ମିଠା, ଖଟା ଖାଇଛି
ପୋଖରୀ ଗଧୁଆ, ହଳଦୀ ବଟୁଆ
ଆଜି ଏଠି ଝୁରି ହେଉଛି ।
ଦିନ ଦିପହରେ ଗଛମୂଳେ ବସି
ଲୁଡୁ଼ପଟି ମଜା ନେଇଛି
ବହୁଚୋରି ଖେଳ, କଙ୍କିଧରା ମେଳ
ମନରେ ଗୁମୁରି ହେଉଛି ।
ମା ହାତ କାକରା ମାମୁଁ ଗାଁ ଯାତରା
ଆଜି ଭାରି ମନ ହେଉଛି
ମଲ୍ଲିଫୁଲ ମାଳ, କୁରେଇଁ ର ଡ଼ାଳ
ମୁଣ୍ଡେ ମାରି ଗାଆଁ ବୁଲିଛି ।
କିଆର ବଣରୁ ଆମ୍ବ ବଉଳରୁ
ତା ମହକ କେତେ ଲୁଟିଛି
ଫୁଲ ବଗିଚାରେ ଖରା ବେଳଟାରେ
ରଙ୍ଗ ପ୍ରଜାପତି ଧରିଛି ।
ଭୁଲି ଯାଇଛି ମୁଁ ଜନମ ମାଟିକୁ
ସହରରେ ବାନ୍ଧି ହୋଇଛି
ଟଙ୍କା ର ନିଶାରେ ମତୁଆଲା ହୋଇ
ଗାଁ ଲୋକଙ୍କୁ ମୁଁ ଭୁଲିଛି ।
ମଟର ଚଢି ମୁଁ ଶଗଡ଼ ଗାଡ଼ିର
କେଏଁ କଟର କୁ ଭୁଲିଛି
ମେସିନ ଧୂଆଁକୁ ସହି ମୁଁ କାଲିର
ଗୋଧୂଳି କୁ ଭୁଲି ଯାଇଛି ।
ଭାଗବତ ଟୁଙ୍ଗୀ ରାମଲୀଳା କଥା
ଫାଇଲ ଭିତରେ ଖୋଜୁଛି
ସନ୍ଧ୍ୟା ହେଲେ ମୋବାଇଲ୍ ଫୋନ୍ ରେ
ମୁଁ ଘଣ୍ଟା ଘଣ୍ଟା ବ୍ୟସ୍ତ ରହୁଛି ।
ଚ଼ିଠି ଖୋଲିବାକୁ ମନଟା ମୋହର
ଗୋଳେଇ ଘାଣ୍ଟି ତ ହେଉଛି
ଦେଖିଲି ଚ଼ିଠିରେ ସ୍ନେହର ଖବର
କିଛି କିଛି ଲେଖା ହେଇଛି ।
ପଢ଼ିକି ଜାଣିଲି ଗାଆଁ ଘର ଆମ
ଅଧାଅଧି ଭାଙ୍ଗି ଯାଇଛି
ଘର ଜଗିଆ ମୋ ଘରର ଖବର
ଟିକିନିଖି ସବୁ ଲେଖିଛି ।
ମନକୁ ମୋହର ଟାଣ ମୁଁ କରିଲି
ଗାଆଁ ଘର ସଜ କରିବି
ଗାଆଁ ଲୋକସଙ୍ଗେ କଟିଥିବା ସେଇ
ସମ୍ପର୍କ କୁ ପୁଣି ଯୋଡି଼ବି ।
ମୁଁ ଯଦି ମୋହର ଗାଆଁକୁ ଭୁଲିବି
ମୋ ପିଲେ କି ମୋତେ ଯଗିବେ
ନିଜ କଥା ଭାବି ସୁଦୂର ରାଇଜେ
ନୁଆଁ ଦୁନିଆରେ ରହିବେ ।
ବେଳ ଥାଉଥାଉ ବନ୍ଧ ବାନ୍ଧିବାକୁ
ଆଜି ମୁଁ ମନସ୍ଥ କରିଛି
ଗାଆଁକୁ ଯିବି ମୁଁ ନିଶ୍ଚୟ କାଲିକି
ମୋ ଗାଆଁ ରୁ ଚି଼ଠି ଆସିଛି ।
