STORYMIRROR

Jagannath Barik

Inspirational

4  

Jagannath Barik

Inspirational

ମୋ ଭାଷା ଓଡ଼ିଆ

ମୋ ଭାଷା ଓଡ଼ିଆ

1 min
449

ମୋ ଭାଷା ଓଡ଼ିଆ ସବୁଠୁ ବଢ଼ିଆ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ 

ଅଣଚାଶ ବର୍ଣ୍ଣ  ଲିପି ମନୋରମ ବ୍ୟାକରଣ ଶୁଦ୍ଧ ପୂତ ।


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଇଥାଏ ମୋ ଭାଷାର ପରିଚୟ

ଭାଗବତ ଘରେ ମନ୍ଦିରେ ସାଇତା ତାଳପତ୍ର ପୋଥିଚୟ ।


ମୋ ଓଡ଼ିଆ କବି ଉପଇନ୍ଦ୍ର ଭଞ୍ଜ କହିପାରେ ଭୁଜ ତୋଳି 

ରବି ତଳେ କବିପଣେ କେଉଁ ପୁଅ ତାହାଠାରୁ ଯିବ ବଳି ।


ଜୟଦେବଙ୍କର ଗୀତ ଗୋବିନ୍ଦରେ ନାଚୁଥିଲେବନମାଳୀ        

ଜୟୀ ରାଜଗୁରୁ ଗୀତରେ ଗୀତରେ ସାଜିଲେ ପାଇକ ମେଳି।


ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ ସଂପୂଜିତ ଘରେ ଘରେ 

ଦୀନକୃଷ୍ଣଙ୍କର ରସକଲ୍ଲୋଳରୁ କାବ୍ୟ ରସ ଧାରା ଝରେ ।


ଶୁଦ୍ଧ ମନ୍ଦାକିନୀ ସମ ଏ ଓଡ଼ିଆ ଭାଷା ନଈ ଯାଏ ବହି 

କାବ୍ୟ କବିତା ଗଳ୍ପ ନାଟକ ସଂଗୀତ କଲ୍ଲୋଳ ନେଇ ।


ଓଡିଶୀ ସମ୍ବଲପୁରୀ ଆଦିବାସୀ ନୃତ୍ୟ ଗୀତ ଲୋକକଳା 

ପାଲା ଦଣ୍ଡ ଦାସକାଠିଆ ଧୁଡୁକି ଗୋଟିପୁଅ ଏକତାରା ।


  ମୋ ଭାଷା ଓଡ଼ିଆ ଜ୍ଞାନ ଗନ୍ତାଘର ସର୍ବ ସମ୍ପଦର ଖଣି 

  ସଂସ୍କୃତର ସମକକ୍ଷ ରସାଣିତ ଭାଷାର ମଉଡମଣି ।


  ଆଜିର ଓଡ଼ିଆ ଭଞ୍ଜ ରାଧାନାଥ ଗଙ୍ଗାଧର କୃତି ଭୁଲି 

  ଛନ୍ଦହୀନ କ୍ଷୁଦ୍ର କବିତା ଲେଖନ୍ତି ବିଜାତୀୟ ରଙ୍ଗ ବୋଳି ।


  ସାହିତ୍ୟରେ ମାଡ଼ିଲାଣି ଧଳା ଛଉ ବେଳୁ ହୁଅ ସାବଧାନ 

  ରାଜରାଣୀ ଭାଷା ନକର ଉପେକ୍ଷା ହେଜି ଜାତି ସ୍ୱାଭିମାନ।



Rate this content
Log in

Similar oriya poem from Inspirational