STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ମୋ ଭାଷା ମୋ ପରିଚୟ

ମୋ ଭାଷା ମୋ ପରିଚୟ

1 min
243


ମମି ଡାଡି ଡ଼ାକ ସବୁ ଛୁଆ ମୁହେଁ 

ବୋଉ ବାପା ଡ଼ାକ ଦୂରେ

ଏ ବି ସି ଡ଼ି ଠାରୁ ଖଡି ଛୁଆଁ ହୁଏ

ଅ ଆ ଇ ଈ ପାଠ ପରେ ।।


ଭାଇନା, ଭାଉଜ ଡ଼ାକଟା ଅଡୁଆ 

କାନ ପାଖେ ତୀର ମାରେ 

ଜିଜୁ, ଭାବୀ, ବ୍ରୋ ସିସ୍ ତ ମଧୁର 

ଡ଼ାକେ ତାଙ୍କୁ ଇସାରାରେ ।।


ମାଉସୀ ମାଉସୀ ଡ଼ାକିଦେଲ ଯଦି

ଦିନେ ଅବା କାଳେ ଥରେ

ମୁହଁଟା ଫୁଲେଇ ମାଉସୀ କହୁଛି 

ମତେ ଆଣ୍ଟି ଡାକିବୁରେ ।।


ସୁନ୍ଦରୀ ଓଠରେ ଲିପିଷ୍ଟିକ୍ ଧାର 

ସୁନ୍ଦର ତା’ ଯତନରେ 

ବାପା ଡ଼ାକିଦେଲେ କାଳେ ଲିଭିଯିବ 

ଡ଼ାକେ ଡାଡ୍ ଧୀର ସ୍ଵରେ ।।


ଓଡ଼ିଆ ସିନେମା ଲାଗୁଛି ଅଡୁଆ 

ମାନ ତା’ର ବିଦେଶରେ 

ବିଦେଶୀ ସିନେମା ମନ କିଣି ନିଏ 

ଭାଷାକୁ କିଏ ପଚ଼ାରେ ।।


ପିଠାପଣା ଛାଡ଼ି ମୋମୋ,ଚ଼ାଓମିନ୍ 

ଆଦର ତା’ ଘରେ ଘରେ 

ଦେଶୀ ଗୁଆଘିଅ ସନ୍ଦେହ କରିକି 

ବିଶ୍ୱାସ ତା’ ନକଲିରେ ।।


ସବୁ ବାବୁମାନେ ଓଡ଼ିଆ ଲଭର 

ପ୍ରେମ ତାଙ୍କ ଭାଷଣରେ 

କଥା ପଦକରେ ଇଂରାଜୀ ଲାଗଇ 

ତାଳି ବାଜେ ପ୍ରଶଂସାରେ ।।


ଓଡ଼ିଆ ମୁହଁରେ ଓଡ଼ିଆ ଶୁଭୁନି 

ପ୍ରେମ ତାଙ୍କ ପ୍ରବାସରେ 

ମୁହଁରେ କହନ୍ତି ଗରବେ ଓଡ଼ିଆ 

କାନ ଶୁଣେ ସନ୍ଦେହରେ ।।


ଇଂରାଜୀ କହିଲେ ସମ୍ମାନ ମିଳୁଛି 

ଓଡ଼ିଆ ରହେ ଦୂରରେ

ଓଡ଼ିଆ ଭାଷାକୁ ଲାଗିଛି ଗ୍ରହଣ 

ପୂର୍ଣ୍ଣିମାର ଚ଼ନ୍ଦ୍ର ତୀରେ ।।


ଚ଼େଇଁ ଶୁଅନାହିଁ ଉଠିଯାଅ ଭାଇ 

ଯୋଡ଼େ ହସ୍ତ ବିନୀତରେ

ନିଜ ପରିଚ଼ୟ ଭାଷାରେ ନିହିତ 

ରଖ ତାକୁ ସମ୍ମାନରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational