ମନୁଷ୍ୟ ଦେହେ ଦିବ୍ୟଜ୍ଞାନ
ମନୁଷ୍ୟ ଦେହେ ଦିବ୍ୟଜ୍ଞାନ
ସୃଷ୍ଟିରେ ମନୁଷ୍ୟ ଜୀବନ। ସଜୀବ ମଧ୍ୟରେ ଅନନ୍ୟ।।
ପାଇ ବୁଦ୍ଧି ବିବେକ ଜ୍ଞାନ। ସଂସାରେ ହୋଇଛି ସେ ଧନ୍ୟ।।
ହୃଦୟେ ଅଶେଷ ପ୍ରତିଭା। ରୂପେ ଗୁଣେ ବଢ଼ାଏ ଶୋଭା।।
ରୂପରେ ହୁଏ ମନଲୋଭା। ଗୁଣରେ ବିକାଶେ ତା' ପ୍ରଭା।।
ଜଗତ ସୃଷ୍ଟିର ସେ କାଳେ। ବୁଝି ମାନବର ମଙ୍ଗଳେ।।
ଶ୍ରୀବିଷ୍ଣୁଙ୍କ ଆଜ୍ଞାରେ ବ୍ରହ୍ମା। ମର୍ତ୍ତ୍ଵେ ବଢାଇଲେ ସୁଷମା।।
ନର ସୃଜି ଦେଲେ ଗାରିମା। ଅସରନ୍ତି ତାର ମହିମା।।
ଗଢ଼ିଲେ ସୁନ୍ଦର ଶରୀର। କରି ଯେ ଅତି ଚମତ୍କାର।।
ତା' ଭିତରେ ରଖିଲେ ମନ। ଦେହର କରିବ ଯତନ।।
ଇନ୍ଦ୍ରିୟ ରହି ତା' ଅଧୀନ। କରିବେ କର୍ତ୍ତବ୍ୟ ପାଳନ।।
ଜୀବନ ରୂପରେ ଜୀବାତ୍ମା। ଭବେ କରିବ ପରିକ୍ରମା।।
ସେ ଆତ୍ମା ପରମଙ୍କ ଅଂଶ। ହୃଦୟ ମଧ୍ୟେ କଲେ ବାସ।।
ଏ ସ୍ଵରୂପେ ଜନ୍ମି ମାନବ। ସୂକ୍ଷ୍ମରେ ଲଭିଲା ବିଭବ।।
ତା' ଉଦ୍ୟମ ପ୍ରଚେଷ୍ଟା ବଳେ। ଶ୍ରେଷ୍ଠ ହୋଇବ ମହୀତଳେ।।
ଜ୍ଞାନ ବୁଦ୍ଧିକୁ କରି ବଳ। ଅରଜିବ ସେ ପୁଣ୍ୟଫଳ।।
ଯୋଗାଡ଼ କରିବ ଅନ୍ନ ବସ୍ତ୍ର। ତିଆରି ତାର ଅସ୍ତ୍ର ଶସ୍ତ୍ର।।
ଦୈନିକ ପରିଶ୍ରମ କରି। ଭବ ସାଗର ହେବ ପାରି।।
ଭକ୍ତି ଭାବ ହୃଦୟେ ରଖି। ପାଇବ ପ୍ରଭୁଙ୍କ ଦର୍ଶନ।।
ଶୁଦ୍ଧ ଚିତ୍ତେ ଚିନ୍ତି ପରମ। ସାର୍ଥକ କରିବ ଜନମ।।
ଏ ଭାବେ ଗଢ଼ି ସେ ସଂପୂର୍ଣ୍ଣ। କରିଲେ ମାନବ ଭିଆଣ।।
ଜାଣି ଶ୍ରୀବିଷ୍ଣୁ ଆର୍ତ୍ତତ୍ରାଣ। ବ୍ରହ୍ମାଙ୍କୁ କଲେ ସମର୍ଥନ।।
ମନୁଷ୍ୟ ଦେହେ ଦିବ୍ୟଜ୍ଞାନ। ଦେଖି ସନ୍ତୋଷ ଭଗବାନ।।
ବିଧିର ବିଧାନେ କରି ଦାନ। ହୋଇଲେ ପରମ କାରଣ।।
ମହୀମଣ୍ଡଳେ ଜନ୍ମି ନର। ଧରମ ପାଳି ଚଳେ ତାର।।
ଧର୍ମରେ ଅରଜଇ ପୁଣ୍ୟ। ଅଧର୍ମେ ହୁଅଇ ନଗଣ୍ୟ।।
ଦିବ୍ୟଜ୍ଞାନରେ ରହେ ମୁକ୍ତ। ହତଜ୍ଞାନେ ହୁଏ ଆସକ୍ତ।।
ଆସିଲେ ତାର ଅହଂଭାବ। ହୁଏନା ସତ୍ୟ ଅନୁଭବ।।
କରେ ସେ ଗର୍ବ ଅହଙ୍କାର। ଧରା ହୁଅଇ ଛାରଖାର।।
ନିଜକୁ ଭାବି ସେ ମହାନ। କରଇ କରମ ତା' ହୀନ।।
କରମ ନେଇ ପାଏ ଫଳ। ତା' ଅଧୀନେ ଥା'ନ୍ତି ସକଳ।।
ସୁକର୍ମେ ହୁଅଇ ମଙ୍ଗଳ। କୁକର୍ମେ ହୁଏ ଅମଙ୍ଗଳ।।
ଭୋଗେ ସେ କଷ୍ଟ ଯନ୍ତ୍ରଣା।। ହୁଏନା କେବେ ତାର ଊଣା।।
ପୁଣ୍ୟରେ ଲଭଇ ଆନନ୍ଦ। ପାପ କର୍ମରେ ଅବସାଦ।।
ହୋଇଲେ ସାଧୁ ସନ୍ଥ ପ୍ରଜ୍ଞ। ପୂର୍ଣ୍ଣ କରେ ଜୀବନ ଯଜ୍ଞ।।
ପାଇ ପ୍ରଭୁଙ୍କର ସାନ୍ନଧ୍ୟ। ଖଣ୍ଡନ କରେ ତା' ପ୍ରାରବ୍ଧ।।
ହୋଇ ବ୍ରହ୍ମଜ୍ଞାନେ ସୁଦକ୍ଷ।ଜୀବନ ଅନ୍ତେ ପାଏ ମୋକ୍ଷ।
କଳି ଯୁଗରେ ଏ ମାନବ। ବୁଝେନା ତାର ତତ୍ତ୍ଵଭାବ।।
ସ୍ଵାର୍ଥରେ ହୋଇ ଯାଏ ଅନ୍ଧ। ହୁଏନା ତାର ମନବୋଧ।।
ଲୋଭ ମୋହ ମାୟାରେ ପଡ଼ି। ଯାଏ ସେ ସତ୍ୟ ପଥହୁଡ଼ି।।
କାମିନୀ କାଞ୍ଚନେ ପାଗଳ। କାମନା ତାର ଯେ ପ୍ରବଳ।।
ଧନ ପଛରେ ଥାଏ ଧାଇଁ। କୁକର୍ମ କରେ ତାର ପାଇଁ।।
ସେ ଧନ ତାର କି ହୋଇବ ? ଜୀବ ଗଲେ ଧନ କି ନେବ ?
ସାଧୁ ସନ୍ଥ ଯେତେକ ଜନ। କରନ୍ତି ସତ୍ୟର ପାଳନ।।
ପ୍ରଭୁଙ୍କ ପାଦେ କରି ଧ୍ୟାନ। ବିତାନ୍ତି ତାଙ୍କର ଜୀବନ।।
ମନୁଷ୍ୟ ଦେହେ ଦିବ୍ୟଜ୍ଞାନ। ଦେଖି ସନ୍ତୋଷ ଭଗବାନ।।
