STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ମଣିଷ ଚରିତ୍ର

ମଣିଷ ଚରିତ୍ର

1 min
322

ମଣିଷ ଚରିତ୍ର         ଅଟଇ ବିଚିତ୍ର

      ଜାଣିବା ହୁଅଇ କଷ୍ଟ ,

ଭାବ ବିନିମୟେ     ସଂପର୍କ ସ୍ଥାପନେ

     ହୋଇ ଥାଏ ସେ ଘନିଷ୍ଠ।


ଭଲ ବ୍ୟବହାର     କଲେ ମିଳେ ଭଲ

     ଦାନର ଏ ପ୍ରତିଦାନ,

ମନରେ ସଭିଏଁ       ଭଲ ହିଁ ଚାହାଁନ୍ତି

      ଜୀବନ ସବୁ ସମାନ।


ଜ୍ଞାନର ଅଭାବେ       ଘଟଇ ଅନର୍ଥ

      ଭୁଲ୍ ହୁଏ ବୁଝାମଣା,

ସ୍ବାର୍ଥରେ ଜଡି଼ତ     ହୋଇ ଥିଲେ ସିଏ

      ହଜାଏ ନିଜ ଠିକଣା।


ପକ୍ଷପାତ ନୀତି      ବିଚା଼ରି ଅନ୍ୟାୟ

      ସୃଷ୍ଟି କରେ ସେ ଶତ୍ରୁତା,

ଭେଦାଭେଦ ଆଣି    ମନ କରେ ଊଣା

     ହୃଦୟେ ଭରେ ତିକ୍ତତା।


ମାନସିକ ଦ୍ଵନ୍ଦ      କରେ ଭାରାକ୍ରାନ୍ତ

     ହୁଏ ତାର ଶାନ୍ତି ଭଗ୍ନ,

ବିଫଳତା ପାଇ      ହୁଏ ଅସନ୍ତୋଷ

    ଦୁଃଚିନ୍ତାରେ ରହେ ମଗ୍ନ। 


ନିଜ ତ୍ରୁଟି ତାର      ନ ସୁଧାରି ଆଗେ

    ଦେଖେ ସେ ଅନ୍ୟର ଦୋଷ,

ଦୟା କ୍ଷମା ଭୁଲି    କରେ ଈର୍ଷା ହିଂସା

     ହରାଇ ଆତ୍ମବିଶ୍ଵାସ।


ଆଶାବାଦୀ ଯିଏ      ଆସ୍ଥା ରଖି ଦୃଢ଼

     ଲକ୍ଷ୍ୟପଥେ ରଖେ ଲୟ,

ଶ୍ରମ ସାଧନାରେ    ହୋଇ କୃତକାର୍ଯ୍ୟ 

      ସନ୍ତୁଷ୍ଟ କରେ ହୃଦୟ।


ସ୍ବଭାବ ଚରିତ୍ର      ପାରିଲେ ସୁଧାରି 

      ମହତ ହୁଅଇ ଜଣେ,

ଉତ୍ତମ ଗୁଣର      ହୋଇ ଅଧିକାରୀ

     ଜୀବନ ସାର୍ଥକ ମଣେ।


ମଣିଷ ଚରିତ୍ର      ପାରେ ବଦଳାଇ 

     ଦୃଢ଼ ଇଚ୍ଛାଶକ୍ତି ବଳେ,

ମନ୍ଦରୁ ସେ ଭଲ   ନିଜେ ନିଜେ ହୋଇ

      ପହଞ୍ଚେ ତା' ଲକ୍ଷ୍ୟସ୍ଥଳେ।


ପାଇଲେ ସୁଶିକ୍ଷା    ହୁଏ ତା' ସଂସ୍କାର

     କୁଶିକ୍ଷାରେ ଅଧୋଗତି,

ସମାଜେ ସେ ରୂପେ   ବିତାଏ ଜୀବନ 

      ଅମର ରହେ ତା' କୀର୍ତ୍ତି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics