ମନକଥା
ମନକଥା
ମନ ଯମୁନାର
କଦମ୍ବ ବନରେ
ତୁମେ କୃଷ୍ଣ ମୁଁ ଯେ କୃଷ୍ନା
କୁହୁକ ବଂଶୀର
ମୁରଲୀ ଛନ୍ଦରେ
ତପ୍ତ ହୃଦୟର ତୃଷ୍ଣା ।
ଆଦ୍ୟ ଆଷାଢ଼ର
ପହିଲି ଟୋପାରେ
ଭିଜାମାଟି ପ୍ରୀତିବାସ୍ନା
ପ୍ରାଣ ଦୀପାଳିର
ଆଲୋକ ବର୍ତ୍ତିକା
ମମତାର ମଧୁଜ୍ୟୋତ୍ସ୍ନା ।
ହୃଦୟ ସିନ୍ଧୁରେ
ତୁମେ ନୀଳ ମଣି
ନୀଳାଭ ଜ୍ୟୋତିର ଆଭା
ପ୍ରୀତି କୁସୁମର
ମୁଗ୍ଧ ମଧୁଶାଳା
ସନ୍ତୁଷ୍ଟିରେ ମନଲୋଭା ।
ହୃଦୟ ସାଗର
ଉତ୍ତାଳ ତରଙ୍ଗେ
ମୁଁ ତୁମ ଅଳକନନ୍ଦା
ଶ୍ରଦ୍ଧା ସୁମନର
ଅନୁରାଗେ ଭିଜା
ସମ୍ପର୍କ ମାଳରେ ଛନ୍ଦା ।
