STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Thriller Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Thriller Others

ମନ ରାଇଜର ସପନମାନେ

ମନ ରାଇଜର ସପନମାନେ

1 min
201


ମନ ରାଇଜରେ ସପନମାନେ 

କୁଆଡୁ ମାଡି ଆସନ୍ତି ପଙ୍ଗପାଳ ଭଳି, 

ଇଚ୍ଛାର ଫାଟକ ଭାଙ୍ଗି ଦେଇ 

ଜବରଦସ୍ତ ପ୍ରବେଶ କରନ୍ତି 

ହୃଦୟର ଶୟନକକ୍ଷ ପର୍ଯ୍ୟନ୍ତ, 

ଏମାନେ ନିଦ ତ ଦିଅନ୍ତି ନାହିଁ କେବେ 

ବରଂ ନିଦ ସବୁ ଛଡାଇ ନିଅନ୍ତି 

ଲୁଣ୍ଠନକାରୀଙ୍କ ପରି ଯିବା ବାଟରେ 

ଆଖି ବୁଜିଲେ ବି ଏମାନେ ଦିଶନ୍ତି 

ସଫା ପାଣିରେ ପହଁରୁଥିବା 

ମାଛମାନଙ୍କ ପରି ଚକ୍ ଚକ୍।

ଏତେ ଅଝଟ ଅବୁଝା ଜିଦ୍ଦି ତାଙ୍କର 

ସବୁକୁ ଏକାଠାଇଁ ହାତମୁଠାରେ 

ଧରି ରଖିବେ ନ ଥାଉ ପଛେ ଜୋର୍, 

ଏମାନଙ୍କର ଶୃଙ୍ଖଳା ଜ୍ଞାନ ବୋଲି 

କିଛି ନାହିଁ ନିଜ ନିଜ ଆୟତ୍ତରେ 

ଅନୁପ୍ରବେଶକାରୀଙ୍କ ପରି 

ଚାଲି ଆସନ୍ତି ସଂଯମତାର ସୀମା ଡେଇଁ, 

ଯାହା ପାଖରେ ଯାଇ ରୁଣ୍ଡ ହୁଅନ୍ତି 

ତାକୁ ଅସ୍ଥିର ବିଶୃଙ୍ଖଳିତ କରି 

ଗୋଟାପଣେ କରିଦିଅନ୍ତୁ ଦେବାଳିଆ।

ଏ ସପନମାନଙ୍କର ଅଜବ ଅଜବ ଖିଆଲ 

ଦୁବ ହୋଇ ଦାରୁ ସାଥେ କରନ୍ତି ଲଢେଇ 

ତିଳ ହୋଇ ଚାହାଁନ୍ତି ତାଳକୁ ଦେବେ ଟକ୍କର, 

କାଠି ଖଣ୍ଡିକରେ ସ୍ବର୍ଗକୁ ବି ବାନ୍ଧନ୍ତି ଶିଡି

ଜୁ ନ ଥାଉ ପଛେ ଯିବାକୁ ଚଢି। 

ଏ ସପନମାନଙ୍କୁ ଯିଏ ପାରେ ଧରି 

ଶିଖାଏ ମନ ରାଇଜର ନୀତି ନିୟମ, 

କରେ ଶୃଙ୍ଖାଳାରେ ସୁଶାସନ 

ବୋଲ ମାନି ତାର ବାଟରେ ଚାଲନ୍ତି 

ତାକୁ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇବାକୁ 

ଯୋଗାଇ ଥାନ୍ତି ପ୍ରେରଣାର ଇନ୍ଧନ। 

ସପନମାନେ ମଧୁ ମକ୍ଷିକାଙ୍କ ପରି 

ଶୃଙ୍ଖଳିତ ହେଲେ ଗଢନ୍ତି ମହୁଫେଣା, 

ବିଗିଡି ଗଲେ ତାଙ୍କର ଦଂଶନରେ 

ଆହତ କରନ୍ତି କ୍ଷତବିକ୍ଷତ କରି। 

ବୁଝିବାକୁ ହେବ ଏ ସପନମାନଙ୍କର 

କୁଟ କପଟତା ଦୁରଭିସନ୍ଧି 

ଧୈର୍ଯ୍ୟ ସାହସର ସହିତ କରି ନେଲେ 

ତାଙ୍କ ସାଥେ ଏକ ଚୁକ୍ତିନାମା 

ସଫଳତା ଆସେ ନିମନ୍ତ୍ରିତ ଅତିଥି ପରି।

   


Rate this content
Log in

Similar oriya poem from Thriller