ମନ ଆକାଶରେ ଜହ୍ନ
ମନ ଆକାଶରେ ଜହ୍ନ


ଲୁଚି ଗଲାଣି ଲୋ ଅମାବାସ୍ୟା ରାତି
ଅନ୍ଧାର ଗଲାଣି ହଜି
ନୀଳ ଆକାଶରେ ଜହ୍ନ ଜଳୁଛି ଲୋ
ତାରାଗଣ ମିଞ୍ଜି ମିଞ୍ଜି I
ଛୁଟି ଆସିଲାଣି ଶେଫାଳୀ ମହକ
ଉଲ୍ଲସି ଗଲାଣି ମନ
ମନ୍ଦ ମନ୍ଦ ବାଆ ଦେହ ଛୁଇଁଲାଣି
ଆଖି ଦେଖିଲାଣି ସ୍ୱପ୍ନ I
ତୁମରି କଣ୍ଠରୁ ଭାସି ଆସିଲାଣି
ସୁଲଳିତ ସ୍ୱରେ ଗୀତ
ଖୁସିର ଲହଡି ଦେହ ଛୁଇଁଲାଣି
ମନ ହୋଇଲାଣି ପ୍ରୀତ I
ଚାହିଁଦେଖ ସଖୀ ମନତଳୁ ମୋର
ଅପସରିଲେଣି ଦୁଃଖ
କ୍ଷତଭରା ମୋର ହୃଦୟତଳୁ ଲୋ
ଉଙ୍କି ମାରିଲାଣି ସୁଖ I
ପ୍ରତିକ୍ଷାର ଅନ୍ତ ହୋଇ ଆସିଲାଣି
ବାଟ ଆସିଲାଣି ସରି
ମନତଳେ ମୋର ଶତ କଦମ୍ବର
ରୋମାଞ୍ଚ ଗଲାଣି ଭରି I
ଶେଷ ହୋଇଆସେ ବିଷାଦର ଘଡି
ମିଳନ ଆତୁର ମନୁ
ମେଘଢଙ୍କା ମୋର ଛାତିର ଆକାଶେ
ଉଇଁଲାଣି ଇନ୍ଦ୍ରଧନୁ I