ମିଛ ମାୟା ସଂସାର
ମିଛ ମାୟା ସଂସାର


ଧରା ବୁକେ କ୍ଷଣ ଭଙ୍ଗୁର ମିଛ ମାୟା ସଂସାର
ଅଢେଇ ଦିନିଆ ଆୟୁରେ ସଭିଏଁ କଳାକାର ।
ଅଭିନୟ ନାନା ଭୂମିକା କରି ପ୍ରତ୍ୟେକ ଜନ
ବାନ୍ଧି ରଖିଥାନ୍ତି ନିଜର ସମ୍ପର୍କର ବନ୍ଧନ ।
ମାତ୍ର କେ କାହାର ନୁହଁନ୍ତି ବୋଲି ଜାଣନ୍ତି ସର୍ବେ
ତଥାପି ମୁଁ ମୋ ଭିତରେ ଧନ୍ଦି ହୁଅନ୍ତି ଗର୍ବେ ।
ଧନ ଯଉବନ ଗରବେ ମତ୍ତହସ୍ତୀ ସଦୃଶ
ବୃଥା ଅହଂକାର ପଥରେ ଗମି ନିଜର ନାଶ ।
ସତ ଅଭିନୟ ପାଇଁ କି ସୁକରମରେ ମତି
ଯେବେ ରଖି ଆଗେ ଧାମନ୍ତା ଜ୍ୟୋତି ରୂପରେ ଖ୍ୟାତି ।
ଅସ୍ଥାୟୀ ଭିତରେ ସ୍ଥାୟୀ ଏ ଯଶ ଖ୍ୟାତି ସୁନାମ
ତାକୁ କିଆଁ ତୋଳି ନଧରି ନର କରଇ ଭ୍ରମ ?
ଆଶା ଅସୁମାରି ଦେହୀର ମିଛ ମାୟା ସଂସାରେ
ନିଃଶ୍ବାସକୁ ବିଶ୍ବାସ ନାହିଁ ତଥାପି ସେ ବିହରେ ।
ସିନା ଅକପଟ ହୃଦୟ ଆନ ପାଖେ ଦର୍ପଣ
ଈର୍ଷା ହିଂସା ଧରି କି ଲାଭ ନୁହେଁ ମଣିଷପଣ ।
ସତ୍ୟ ଧର୍ମ ନ୍ୟାୟ ପଥର ଯେବେ କରି ଆଶରା
>
ଗରବ ଦମ୍ଭର ବିନାଶେ ନିଶ୍ଚେ ଦିଶନ୍ତା ତୋରା ।
ସ୍ବାର୍ଥକୁ ସାରଥି କରିକି କେହି ଜୀବନ ଯୁଦ୍ଧେ
କ୍ଷିତିରେ କି ଜିତି ପାରିଛି କୁହ ଆହେ ବିବୁଦ୍ଧେ ?
ଜୀବନଟା ମିଛ ଯେତେ ବି ସମ୍ପର୍କ ଏଠି ମିଛ
ସତ୍ୟ ରାହା ତୋଳେ ସୁକର୍ମ ଅସତ୍ୟ ରହେ ପଛ ।
ଲୋଭ ମୋହ ବଶେ ବିବେକେ ଲାଗିଯାଏ ଗ୍ରହଣ
ବ୍ୟକ୍ତିତ୍ବକୁ ନାଶି କେହି ବି ହୁଅଇ ରଣଭଣ ।
କ୍ଷଣିକ ସୁଖରେ ମୋହିତ ମନ ହରାଇ ସ୍ଥିତି
ଶେଷେ ଛଟପଟ ହୁଅଇ ଲଭି ପଥ ଦୁର୍ଗତି ।
ମଧୁର ବିନୟ ବଚନ ସହ ହୃଦ କୋମଳ
କରି ଯିଏ ବାନ୍ଧି ପାରଇ ସଦା ନିଜର ଥଳ ।
କେବଳ ସେହି ହିଁ ଜିତଇ ମିଛ ମାୟା ସଂସାରେ
ଈଶ୍ବରଙ୍କ କରୁଣା ବାରି ଝରେ ତାହା ଉପରେ ।
ପାଇଛି ଦୁର୍ଲଭ ଜୀବନ ଅଶେଷ ଜନ୍ମ ପରେ
ଏକଥା ସୁମରି ଚଳଇ କର୍ତ୍ତବ୍ୟ ଆହ୍ବାନରେ ।
ସତ୍ୟ ସନାତନ କେବଳ ପ୍ରଭୁ ଜଗଦୀଶ୍ବର
ନେତ୍ର ପଟଳରେ ରହିଛି ମିଛ ମାୟା ସଂସାର ।