ମହିଳା ଦିବସ ଅନୁଚିନ୍ତା
ମହିଳା ଦିବସ ଅନୁଚିନ୍ତା
ମହିଳା ଦିବସେ ପ୍ରଥମେ ବନ୍ଦିଲି
ସ୍ନେହମୟୀ ମୋର ମାତା
ଦ୍ୱିତୀୟେ ବନ୍ଦିଲି ମାତୃ ପିତୃକୁଳ
ତୃତୀୟରେ ଜନ୍ମ ଦାତା l
ନାରୀଙ୍କ ସମ୍ମାନ ନାରୀଙ୍କ ପୂଜନ
ଯେଉଁଠାରେ ହେଉ ଥାଏ
ସେଠାରେ ବସନ୍ତି ଦେବତା ନିଶ୍ଚୟ
ବେଦ ଏହା କହିଥାଏ l
ସର୍ବ ଶୁଭ କାର୍ଯ୍ୟ ଆରମ୍ଭ ହୁଅଇ
ପଞ୍ଚ କନ୍ୟା ନାମ ସ୍ମରି
ଅହଲ୍ୟା, ଦ୍ରୌପଦୀ, ସୀତା, ତାରା ତଥା
ମହିୟସୀ ମନ୍ଦୋଦରୀ l
ଇତିହାସ କହେ ମୈତ୍ରେୟୀ, ଗାର୍ଗେୟୀ
ରଚିଥିଲେ ବେଦ ମନ୍ତ୍ର
ଲକ୍ଷ୍ମୀବାଇ,ଦୁର୍ଗାବତୀ,ଶୁକଦେଇ
ଧରି ଥିଲେ ପୁଣି ଅସ୍ତ୍ର l
ଭାଲେନ୍ତିନା ଗଲେ ମହା ଆକାଶକୁ
ପୁଣି କଳ୍ପନା ଭଉଣୀ
ବଚେନ୍ଦ୍ରୀ, କଳ୍ପନା ଶୃଙ୍ଗ ଚଢ଼ିଥିଲେ
ହିମାଳୟ ଶୈଳଶ୍ରେଣୀ l
ସମାଜରେ ନାରୀ ଅଟେ ମେରୁ ଶୃଙ୍ଗ
କେତେ ରୂପେ ତାର କାୟା
ଜନନୀ, ଭଗୀନି, କନ୍ୟା, ଭାତୃବଧୂ,
ପିଉସୀ, ମାଉସୀ, ଜାୟା l
ନାରୀ ଅଟେ ଦୁର୍ଗା, ଲକ୍ଷ୍ମୀ,ସରସ୍ବତୀ
ସାବିତ୍ରୀ, ଗାୟତ୍ରୀ,ସତୀ
ମହାମାୟା, କାଳି, ତାରା ପୁଣି ଆଉ
ନାରାୟଣୀ, ପାରବତୀ l
ମୀରାବାଇ ପୁଣି କୃଷ୍ଣ ପାଗଳିନୀ
କଳି ଯୁଗର ସେ ରାଧା
ଇନ୍ଦିରା, ନନ୍ଦିନୀ ନେତ୍ରୀ ଶିରୋମଣି
ନ ମାନି ସମାଜ ବାଧା l
ରଣେ ରଣଚଣ୍ଡୀ ଦୁରଗତି ଖଣ୍ଡି
ଗୃହଲକ୍ଷ୍ମୀ ସେହି ଘରେ
ନାରୀ ସର୍ବଂସହା ନାରୀ ବନ୍ଦନୀୟା
ପୁଜା କର ତାର ଧୀରେ l
