STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ମହାପ୍ରଭୁଙ୍କ ବଣଭୋଜି ବେଶ

ମହାପ୍ରଭୁଙ୍କ ବଣଭୋଜି ବେଶ

1 min
358

ଆହେ ଜଗଦୀଶ ଗଢି ସାରା ବିଶ୍ଵ

        ନିତ୍ୟ ନୂତନ ତୁମେ ସୁନ୍ଦର ଦିଶ,

ବାରମାସ ଯାକ ଧରି ନା ନା ବେଶ

       ମହାଜ୍ୟୋତି ତମ କରୁଛ ପ୍ରକାଶ।


ଭକ୍ତ ଶିରୋମଣୀ ତୁମେ ନୀଳମଣୀ

         ଆଦି ଅନ୍ତ ତୁମ ହୁଏ ନାହିଁ ଜାଣି,

ଶୂନ୍ୟ ହସ୍ତ ମେଲି ତୁମକୁ ମାଗୁଣି

       ଶାନ୍ତି ସୁଖ ତୃପ୍ତି ଦିଅ ବାରେ ଆଣି।


ହୋଇ ତୁମେ ନିରାକାରରୁ ସାକାର

        ଚଳାଉଛ ଏ ସାରା ଭବ ସଂସାର,

ମାନବ ରୂପରେ ସବୁ ଲୀଳା କର

      ହୃଦୟେ ବାନ୍ଧି ଦିଅ ଭାବର ଡୋର।


ଦ୍ବାପର ଯୁଗରେ ଗୋପାଳର ବେଶେ

       ଗୋପାଳନ କରୁଥିଲ ଯେ ହରଷେ,

କୃଷ୍ଣ ବଳରାମ ରହି ଏକ ପାଶେ

       ପାପ ନାଶ କଲ କଂସର ବିନାଶେ।


ସେ ଦୃଶ୍ୟ ସ୍ମରଣ କରାଇବା ପାଇଁ

      ବନଭୋଜି ବେଶ ଧର ତୁମେ ସାଇଁ,

ଇଙ୍ଗିତେ ତୁମର ସୂର୍ଯ୍ୟ ଚନ୍ଦ୍ର ଉଇଁ

        ଉଜ୍ଜ୍ବଳ କରନ୍ତି ସାରା ମର୍ତ୍ତ୍ୟ ଭୂଇଁ।


ଭାଦ୍ରବ ମାସ କୃଷ୍ଣ ଦଶମୀ ତଥି

   ବେନି ଭାଇ ତୁମେ ହୋଇ ବାରେ ସାଥୀ,

ବନଭୋଜି ଲାଗି ହୁଅ ହେ ଅତିଥି

    ଭକ୍ତ ମନୋରଥେ ତୁମେ ହେ ସାରଥୀ।


ମଧ୍ୟାହ୍ନ ଧୂପ ବେଶରେ ଦୁଇଖଣ୍ଡ

        ଆଜ୍ଞାମାଳ ଲାଗିହୁଏ ଦେଖି ଦଣ୍ଡ,

ତହିଁରୁ ବଡ଼ ବାଡ଼ରେ ଏକ ଖଣ୍ଡ

       ତୁମ ବାଡ଼ ପାଶେ ଆଉ ଏକ ଖଣ୍ଡ।


ରତ୍ନ ସିଂହାସନ ଉପରେ ତୁମରି

       କାଷ୍ଠରେ ନିର୍ମିତ ଗାଈ ଓ ବାଛୁରୀ,

ରଖାଯାଏ ଯେ ଦୁଇ ଦୁଇଟି କରି

       ତୁମ ଯଶ କୀର୍ତ୍ତିକୁ ହୃଦେ ସୁମରି।


ସନ୍ଧ୍ୟା ଧୂପ ପରେ ବନଭୋଜି ବେଶ

        ଅନୁଷ୍ଠିତ ହୁଏ ବିଧିରେ ବିଶେଷ,

ଶ୍ରଦ୍ଧାଳୁ ଭକତ ଜନ ସମାବେଶ

     ଶ୍ରୀକ୍ଷେତ୍ରେ ଉଛୁଳେ ଆନନ୍ଦ ଉଲ୍ଲାସ।


ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ପିନ୍ଧି

       ପ୍ରଭୁ ଯେ ତାଙ୍କର କରନ୍ତି ଶ୍ରୀବୃଦ୍ଧି,

ସୋଲ ବେତ ସ୍ବର୍ଣ୍ଣକିଆ ମୁଣ୍ଡେ ବାନ୍ଧି

         ସୂଚାନ୍ତି ଜୀବନର ସୁଖ ସମୃଦ୍ଧି ।


ପ୍ରଭୁଙ୍କର ଏ ଦୁର୍ଲ୍ଲଭ ବେଶ ଦେଖି

          ପବିତ୍ର ହୁଏ ଭକ୍ତଜନର ଆଖି,

ଜୀବ ପରମ ଭାବ ହୃଦୟେ ଲାଖି

       ସଂସାରର ସୁଖ ଦୁଃଖ ନିଏ ମାଖି।


ଅନାଥର ନାଥ ଜଗନ୍ନାଥ ତୁମେ

       ପତିତପାବନ ବାନା ଉଡେ ନାମେ,

ଭକ୍ତି ଭରେ ପ୍ରଭୁ ତୁମକୁ ପ୍ରଣାମେ

       ସୁଖ ଶାନ୍ତି ଭରି ଦିଅ ଧରାଧାମେ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama