ମହାମହିମଙ୍କୁ
ମହାମହିମଙ୍କୁ
ପଞ୍ଚଦଶ ତମ ରାଷ୍ଟ୍ରପତି ତୁମେ
ଅଖଣ୍ଡ ଭାରତ ନେତ୍ରୀ ।
ରାଇରଙ୍ଗ ଠାରୁ ରାଇସିନା ଯାଏ
ମହାନ ପଥର ଯାତ୍ରୀ ।
ସାରା ବିଶ୍ୱରେ ଖ୍ୟାତି,
ପ୍ରଥମ ମହିଳା ଆଦିବାସୀ ବାଳା
ଜାଳିଲ ଅଖଣ୍ଡ ଜ୍ୟୋତି।
ତୁମେ ସ୍ଵଛ ନିର୍ମଳ ମୂରତି ।।
ବଇରୀ ବି ତୁମ ସାନିଧ୍ୟ ଲଭିଣ,
ବୈରୀ ପଣ ଯାଏ ଭୁଲି।
ସେଥି ପାଇଁ ସାରା ବିପକ୍ଷ ବି ସାଥେ,
ରାଜନୀତି ଦ୍ୱେଷ ଭୁଲି।
ଯଶୋବନ୍ତଙ୍କୁ ଛାଡି,
ବିପକ୍ଷୀ ମେଣ୍ଟ ବି ଜିତେଇବା ପାଇଁ
ପ୍ରସ୍ତାବନା ଅଙ୍ଗୀକାରୀ।
ସର୍ବେ ବେଢ଼ିଗଲେ ଅଂଟା ଭିଡ଼ି।।
ଜଣେ ଥିଲେ ନାରୀ ପାଟିଲ ପ୍ରତିଭା,
କଲେ ଆଭା ବିକିରଣ।
ପଞ୍ଚଦଶ ବର୍ଷ ପରେ ପୁଣି ତୁମେ
ବିରଚିଲ କୀର୍ତ୍ତିମାନ।
ଦିହଜାର ବାଇଶି,
ଇତିହାସ ପୃଷ୍ଠ ହୋଇଲା ବଳିଷ୍ଠ
ସ୍ବର୍ଣ୍ଣାକ୍ଷରେ ନାମ ଲେଖି।
ଧନ୍ୟ ଶତଧନ୍ୟ ମହିୟସୀ।।
ତୁମେ ସର୍ବଂସହା ଶାନ୍ତ ସ୍ନିଗ୍ଧ କାୟା,
ଏଡ଼ି ଆପଦ ଅନେକ ।
ବେନି ପୁତ୍ର,ପତି , ଜନନୀ ବିୟୋଗେ
ହୋଇନ ବି ବିଚଳିତ।
ଧୈର୍ଯ୍ୟ ହୃଦୟେ ଭରି,
ଲକ୍ଷେ ଲକ୍ଷ ରଖି ଅବିରାମ ଗତି,
ସାବ୍ୟସ୍ତ ପାରିଛ କରି।
ତୁମେ ସତରେ ବ୍ରହ୍ମକୁମାରୀ।।
ମେଣ୍ଟ ରାଜୁତିରେ ବିଜେପି-ବିଜେଡି,
ମନ୍ତ୍ରୀ ପଦାରୁଢ଼ା ହେଲ।
ଉତ୍କଳ ବାସୀଙ୍କ ଆଶା କଷଟି ରେ,
କଷି ହୋଇ ବିକଶିଲ।
କର୍ମ-ନୈପୁଣ୍ୟ ପାଇଁ ,
ରାଜ୍ୟପାଳ ପଦ ଅଳଙ୍କୃତ କଲ,
ଝାଡ଼ଖଣ୍ଡ ରାଜ୍ୟେ ଯାଇ।
ସାରା ଓଡିଶା ମାନ ବଢ଼ାଇ।।
ପଡୋଶୀ ରାଜ୍ୟର ଆଦର ଭାଜନ,
ପୂର୍ବୋଦୟ ର ତାରକା ।
ପୂର୍ବ କ୍ଷେତ୍ର ସଙ୍ଗେ ମଧ୍ୟ କ୍ଷେତ୍ର ଜନ,
ମାନସର ପରିଭାଷା।
ରାମ ରାଜ୍ୟ ର ଆଶା,
ଶବରୀ ଠୁଁ ରାମ ପରି ତୁମ ଠାରୁ,
ଲଭିବାର ଏ ପ୍ରତୀକ୍ଷା ।
ସାରା ଭାରତ କରେ ଭରଷା।।
ପ୍ରାଚୀ ପ୍ରାଚ୍ୟ ରବି ବିକାଶ ଶିଖରେ,
ସ୍ଥାପନା ର ଆଶା ନେଇ।
ଅନେଇ ବସିଛି ସମଗ୍ର ଭୂ-ଖଣ୍ଡ,
ପ୍ରାଶ୍ଚାତ୍ୟ ବି ହାଇଁ-ପାଇଁ।
ମାର୍ଗ ଦର୍ଶନ ଦେଇ,
ଧନ୍ୟ କର ତୁମେ ଧରା ସମଗ୍ର କୁ,
ଭରଷା ଶ୍ରୀକ୍ଷେତ୍ର ସାଇଁ।
ଗର୍ବେ ଉତ୍ଫୁଲ୍ଲ ଉତ୍କଳ ଭୂଇଁ।
ପ୍ରଣମେ ମୁଁ ମସ୍ତକ ନୁଏଇଁ।।
