STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମହାଗୌରୀ

ମହାଗୌରୀ

2 mins
383

ନବରାତ୍ରି ପୂଜା ପଞ୍ଚମ ଦିନେ ମହା ଗଉରୀ

ବଖାଣୁଛୁ ଦେବୀ ମହିମା ତାଙ୍କ ନାମ ସୁମରି।

ଶାସ୍ତ୍ର ପୁରାଣ ରେ ହୋଇଛି ଯେଉଁ କଥା ବର୍ଣ୍ଣନ

ଶୁଣାଉଛୁ ସେହି କାହାଣୀ ସାଧୁଜନ ହେ ଶୁଣ।

କାଳୀ ହେଲେ ମହା ଗଉରୀ , ଶୁମ୍ଭ ନିଶୁମ୍ଭେ ସେତ

ନିଧନ କରିଲେ ଗଉରୀ ଧରା ହୋଇଲା ଶାନ୍ତ।


ପର୍ବତ ନନ୍ଦିନୀ ପାର୍ବତୀ ଶିବେ ପାଇବା ପାଇଁ

କରୁଥିଲେ ଘୋର ତପସ୍ୟା ଖରା ବରଷା ସହି।

ସେଥିପାଇଁ ଦେହ ରଙ୍ଗ ଟି ତାଙ୍କ ଗଲା ଝାଉଁଳି 

ସ୍ବର୍ଣ୍ଣାଭ ଶରୀର ତାଙ୍କର ଦେଖା ଗଲା ଶ୍ୟାମଳୀ।

ଶିବଙ୍କୁ ବିବାହ ପରେଯେ ସଦା ସେ ଶିବ ଶମ୍ଭୁ 

କାଳୀ ବୋଲି ପରିହାସ ତ କରୁଥିଲେ ମାଆଙ୍କୁ ।


ସ୍ବାମୀ ଙ୍କର ପରିହାସ ରେ ମାଆ ଭାଙ୍ଗି ପଡନ୍ତି 

ପୂର୍ବ ରୂପ ଫେରିପାଇବା ପାଇଁ ଚିନ୍ତା କରନ୍ତି ।

ଏବେଳରେ ଶୁମ୍ଭ ନିଶୁମ୍ଭ ଦୁଇ ଅସୁର ଭାଇ

ସ୍ବର୍ଗ ପୁର ଶାନ୍ତି ଉଜାଡି ଦେଲେ ସେମାନେ ଯାଇ ।

କୁଆଁରୀ ହାତରେ ମରିବେ ପାଇଥିଲେ ସେ ବର

କିଏସେ କୁଆଁରୀ ମାରିବ ,ଦେବେ ହେଲେ ଅସ୍ଥିର।


ଦେବତା ଙ୍କ ଦୁଃଖ ଦେଖିତ ବ୍ରହ୍ମା ମନେ ଭାବିଲେ

ପୂର୍ବ ରୂପ ଯଦି ପାର୍ବତୀ ଦେବୀ ଫେରି ପାଇବେ,

କୁଆଁରୀ କନିଆଁ ପରିତ ଦେବୀ ଦେଖାଯେ ଯିବେ

ଶୁମ୍ଭ ନିଶୁମ୍ଭ ସେ ଅସୁର ତାଙ୍କ ହସ୍ତେ ମରିବେ।

ପାର୍ବତୀ ଙ୍କୁ ପିତାମହ ଯେ ଯାଇ ଦେଲେ ବୁଝାଇ

ଗଙ୍ଗା ପୂଜି ସ୍ନାନ କର ମା ଦୁଃଖ ଯିବ ଉଭେଇ।


ଗଙ୍ଗା ମାତାଙ୍କୁ ତ ନିଷ୍ଠାରେ ଦେବୀ ପୂଜା କରିଲେ

ଗଙ୍ଗା ଙ୍କୁ ତ ସ୍ମରି ନଦୀରେ ଯାଇ ସେ ସ୍ନାନ କଲେ ।

ନଦୀ ଜଳୁ ଯେବେ ପାର୍ବତୀ ଦେବୀ ହେଲେ ବାହାର

ସ୍ବର୍ଣ୍ଣାଭ ରଙ୍ଗରେ ଚମକିଲା ଯେ ତାଙ୍କ ଶରୀର।

ମହାକାଳୀ ମହା ଗଉରୀ ନାମ ତହୁଁ ବହିଲେ

କୁଆଁରୀ ରୂପରେ ନିଶୁମ୍ଭ ଶୁମ୍ଭେ ବଧ କରିଲେ ।


ମହାଗୌରୀ ମାଆ ଭବାନୀ ଶୁଭ୍ରା ସୌମ୍ୟ ସ୍ବରୂପା

ସ୍ବେତ ବସ୍ତ୍ର ପରିହିତା ଗୋ ଗୌରବର୍ଣ୍ଣା ଚଣ୍ଡିକା।

ବୃଷଭ ବାହିନୀ ମାଆଗୋ ଦେବୀ ହେ ଚତୁର୍ଭୁଜା

ଅଭୟ ବରଦା ରୂପେଗୋ ତିନି ପୁରରେ ପୂଜା।

ଦୟାମୟୀ କ୍ଷମା ମୟୀଗୋ ମାଆ ଶାନ୍ତି ରୂପିଣୀ 

ଶିଦ୍ଧି ପ୍ରଦାୟିନୀ ଦେବୀ ଗୋ ଦୀନ ଦୁଃଖ ହାରିଣୀ।


ମହାଗୌରୀ ମହାମାୟାଗୋ ତୁମେ ଲୋକ ଜନନୀ

ତୁମେତ ରୁଦ୍ରାଣୀ ସର୍ବାଣୀ ତୁମେ ମୋକ୍ଷ ଦାୟିନୀ 

ତୁମରି ଆଶିଷେ ମାଆଗୋ ମିଳେ ଅପାର ଶାନ୍ତି

ନିଷ୍ଠାରେ ଭକତେ ତୁମରି ଜୟ ଗାନ କରନ୍ତି।

ପାଦରେ ତୁମର ମାଆଗୋ କରୁଅଛୁ ମିନତି

ଦୂର ହେଉ ସାରା ସଂସାରୁ ଦୁଃଖ ଆଉ ଦୁର୍ନୀତି।


Rate this content
Log in

Similar oriya poem from Classics