ମହାବଳୀ ରାବଣ
ମହାବଳୀ ରାବଣ
ତ୍ରିପୁର ବିଜୟୀ ବୀର ବିଶ୍ରବା ନନ୍ଦନ
ସ୍ୱର୍ଣମୟୀ ଲଙ୍କା ଭୋଗ ମହା ବଳୀୟାନ ।
ପୁଷ୍ପକ ଯାନ ଦର୍ପଣ ଶିଳା ଯା ଅଧୀନ
ଦେବଗଣଙ୍କ ବିଭୁତି ଯା ପଦେ ମଣ୍ଡନ ।
ବିଶ୍ୱକର୍ମା ରୂପ ମୟଦୈତ୍ୟ ଯା ଶ୍ୱଶୁର
ଛପନ ଗଣ୍ଡା ଯୁଗକୁ ପାଇଥିଲ ବର ।
ଇନ୍ଦ୍ରଜିତ ଅତିକାୟ ଅକ୍ଷୟ କୁମାର
ପୁତ୍ର ପୌତ୍ର ପ୍ରପୌତ୍ରଙ୍କ ମହା ପଟୁଆର ।
ପର ନାରୀ ହରିଲ ହୋଇଣ ମଦ ମତ୍ତ
ଅହଂକାର କାଳ ହେଲା ସୁଜ୍ଞାନୀ ପଣ୍ଡିତ !
ମହାବଳୀ ଭ୍ରାତା ପୁତ୍ର ନାଶ ଗଲା ପରେ
ଚେତନା ଉଦୟ କାହିଁ ନ ହେଲା ମନରେ !
ଭୀଷଣ ସମରେ ନଭ ଜଳ ସ୍ଥଳ ସ୍ତବ୍ଧ
ଶ୍ରୀରାମଙ୍କ ବ୍ରହ୍ମଶରେ ହେଲ ଶେଷେ ବଧ ।
ବାହୁବଳେ ମରଣ ଜିଣିବା ଅସମ୍ଭବ
ଜଗତକୁ ଏହି ଶିକ୍ଷା ଦେଲ ହେ ବୈଶ୍ରବ।
ରାବଣ ପୋଡି ପାଳନ ତୁଚ୍ଛ ପରମ୍ପରା
ରାବଣ ନାମଟି ମରି ହୁଏ ଦରମରା ।
ଘୃଣ୍ୟ ନୀଚ୍ଚ ଜନେ ଆଜି ଜଳାନ୍ତି ରାବଣ
ହେ ରାବଣ ଦଗ୍ଧୀଭୂତ ନ ହୁଏ କି ପ୍ରାଣ !
