ମହାବିଦ୍ୟା ମାଆ ଷୋଡ଼ଶୀ
ମହାବିଦ୍ୟା ମାଆ ଷୋଡ଼ଶୀ
ଜୟ ମା ରୂପସୀ ଜୟ ମା ଷୋଡଶୀ
ଜୟ ମା କରୁଣାମୟୀ l
ତ୍ରିପୁରା ସୁନ୍ଦରୀ ଜନ ମନୋହାରୀ
ରାକ୍ଷସଙ୍କୁ ଦେଲୁ ମୋହି ll
ଶ୍ରୀଯନ୍ତ୍ର ବାସିନୀ ତ୍ରିପୁର ମୋହିନୀ
ଜୟ ମାଆ ଶାକାମ୍ବରୀ l
ଜୟ ବିଶ୍ୱେଶ୍ୱରୀ ବାସ ବିନ୍ଧ୍ୟ ଗିରି
ଜୟ ମା ପରମେଶ୍ୱରୀ ll
ଜୟ ମା ଶ୍ରୀବିଦ୍ୟା ଲଳିତା ପ୍ରସିଦ୍ଧା
ତ୍ରିପୁରା ରାଜ୍ୟେଧୀଶ୍ୱରୀ l
ସିଦ୍ଧି ବୁଦ୍ଧି ପ୍ରଦେ ତୋହରି ପ୍ରସାଦେ
ସାଧକେ ସିଦ୍ଧି ପ୍ରସରି ll
ଷଡ଼ ଚକ୍ରେ ଧ୍ୟାନ ଶ୍ରୀବିଦ୍ୟା ସାଧନ
ମହାବିଦ୍ୟା ବିଦ୍ୟାଦାତ୍ରୀ l
ତ୍ରିପୁରେ ଭ୍ରମଣ ତୋର ନିତ୍ୟ ଦିନ
ବିଦ୍ୟା ବୁଦ୍ଧି ସିଦ୍ଧି ବାଣ୍ଟି ll
ଧରଣୀ ବକ୍ଷରେ ବିଜେ କଲୁ ମାଆ
କେତେ ସ୍ଥାନେ ଦୟାକରି l
ଆଶ୍ରମ ବଦ୍ରିକା କାମ୍ୟା କୁମାରିକା
ଦକ୍ଷିଣୀ ମଠ ଶୃଙ୍ଗେରୀ ll
ଶ୍ରୀକ୍ଷେତ୍ରେ ସୁଭଦ୍ରା ଝଙ୍କଡ଼େ ସାରଦା
ଶ୍ରୀବିଦ୍ୟା ବିଦ୍ୟା ଦାୟିନୀ l
ଶ୍ରୀବିଦ୍ୟା ସାଧିଲେ ଶାରଳା ବଶିଷ୍ଠ
ପରାଶର ମହାମୁନି ll
ଆବର ସାଧିଲେ ଶୁକ ମହାଜ୍ଞାନୀ
ବେଦବ୍ୟାସ କାଳିଦାସ l
ତୋର ଧ୍ୟାନେ ମାତ ଅଜ୍ଞାନ ବୋଲାନ୍ତି
କବି କୋବିଦ ବିଦୁଷ ll
ଜୟ ମା ଷୋଡ଼ଶୀ ଜୟ ଚାରୁହାସୀ
କରୁଣାମୟୀ ଜନନୀ ll
ତୋ ପଦେ ବନ୍ଦଇ ମାଆ ମହାମାୟୀ
ନମସ୍ତୁତେ ନାରାୟଣୀ ll
