STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ମହାଭାରତରେ ଜୀବନର ଚିତ୍ର

ମହାଭାରତରେ ଜୀବନର ଚିତ୍ର

2 mins
19


ପାରିବାରିକ ଓ ସାମାଜିକ ଚିତ୍ର

ଅବା ବ୍ୟକ୍ତିଗତ ସ୍ତରେ

ପୌରାଣିକ ଗାଥାର ପ୍ରାସଙ୍ଗିକତା

ପ୍ରାୟତଃ ପ୍ରତି କ୍ଷେତ୍ରରେ

ରାମାୟଣ ଓ ମହାଭାରତ ଗାଥା

ଦୁଇ ମହାକାବ୍ୟ ଧାରେ

ସାମାଜିକ ଜୀବନର ମହାଭାଷ୍ୟ 

ଦୈନନ୍ଦିନ ଜୀବନରେ

ବଳିଦାନ,ନୀତି,ସମ୍ପର୍କ,ଆଦର୍ଶ

ବିଭିନ୍ନ ପଦକ୍ଷେପରେ

ଦିନଚର୍ଯ୍ୟା,ବ୍ୟବସାୟ,ରାଜନୀତି

ପୌରାଣିକ ତଥ୍ୟ ଧାରେ ।


ମହାଭାରତର ଅନେକ ବ୍ୟାଖ୍ୟାନ 

ଘଟଣାବଳୀ ଚରିତ୍ର

ବାସ୍ତବ ଜୀବନ ପଥେ ସାମଞ୍ଜସ୍ୟ

ପ୍ରାୟତଃ ସର୍ନିବେଶିତ 

ଶାରୀରିକ ଅବା ସାମାଜିକ କ୍ଷେତ୍ର

ପୌରାଣିକ ତଥ୍ୟ ଧାରେ

ବିଶ୍ଳେଷଣ ଅବା ତୁଳନା ବିଧେୟ

ତଥ୍ୟ,ତତ୍ତ୍ଵ ଆଧାରରେ ।


ମହାଭାରତର ଘଟଣା,ଚରିତ୍ର

ଭିନ୍ନ ସ୍ଥଳେ ଭିନ୍ନ ଅର୍ଥ

ସାମାଜିକ ଚଳଣିରେ ମହାଭାଷ୍ୟ 

ଜୀବନ ବି ପ୍ରଭାବିତ

ପଞ୍ଚୁ-ପାଣ୍ଡବଙ୍କ ସହିତ ତୁଳନା

ଶରୀରେ ପାଞ୍ଚ ଇନ୍ଦ୍ରିୟ

ଚକ୍ଷୁ, କର୍ଣ୍ଣ, ନାସା,ଜିହ୍ୱା ପୁଣି ଚର୍ମ

ପରଷ୍ପରେ ସମନ୍ଵୟ

ପଞ୍ଚୁ ପାଣ୍ଡବଙ୍କ ସମ ଏ ଇନ୍ଦ୍ରିୟ

ସୁସମ୍ପର୍କ ସମନ୍ଵୟେ

ସନ୍ତୁଳନ ଓ ଏକତାର ମହତ୍ତ୍ଵ

ସହଜରେ ପ୍ରତେ ହୁଏ

ନକାରାତ୍ମକ ଭାବନା ହିଁ ପ୍ରତୀକ

କୌରବଙ୍କ ଶହେ ଭାଇ

କ୍ରୋଧ,ହିଂସା,ଈର୍ଷା,ଗର୍ବ,ମୋହ

ଚିନ୍ତା ଚେତନାରେ ଥାଇ

କଣ୍ଟା ସାଜି ଜୀବନର ଲକ୍ଷ୍ୟ ପଥେ

ଠିଆ ହୁଅନ୍ତି ଆଗରେ

ଆସୁରିକ ଭାବ କ୍ରମେ ପରାଜିତ

କଠିନ ଆହ୍ଵାନ ଧାରେ

ଯୁଦ୍ଧେ ରତ ପାଞ୍ଚ ଇନ୍ଦ୍ରିୟ ସର୍ବଦା

ଶତ କୁପ୍ରବୃତ୍ତି ସହ

ପଥଚ୍ୟୁତ ବିନା ଧୈର୍ଯ୍ୟ ସହକାରେ

ଲକ୍ଷ୍ୟ ପ୍ରାପ୍ତି ହିଁ ବିଧେୟ ।


ଦ୍ରୌପଦୀ ପ୍ରତୀକ ରୂପେ ଉଦ୍ଦେଶ୍ୟର

ଉଦ୍ଦେଶ୍ୟ ମୂଳକ କାର୍ଯ୍ୟ

ଜୀବନରେ ଲକ୍ଷ୍ୟ ବିନା ଦିଗଭ୍ରଷ୍ଟ

ଉଦ୍ଦେଶ୍ୟ ହିଁ ଅନିବାର୍ଯ୍ୟ

ଦ୍ରୌପଦୀଙ୍କ ପ୍ରତି ଅପମାନ ଧାରେ

ପ୍ରତିଶୋଧ ପରାୟଣ

କେଶ ପ୍ରକ୍ଷାଳନ ଦୃଶ୍ୟରେ ଶପଥ

କ୍ରମେ ଯୁଦ୍ଧର କାରଣ ।


ଧୃତରାଷ୍ଟ୍ର ଅନ୍ଧ ମସ୍ତିଷ୍କ ସମାନ

କ୍ରମେ ହେଲେ ବିଚଳିତ

ପୁତ୍ର ମୋହ ସହ ଗର୍ବ ଅହଙ୍କାର

ବିଚାରରେ ଆଛାଦିତ

ମସ୍ତିଷ୍କ ନିର୍ଭରଶୀଳ ସବୁବେଳେ

ତଥ୍ୟ ସୂଚନା ପ୍ରାପ୍ତିରେ

ଉଚିତ ନିର୍ଣ୍ଣୟ ନିହାତି ଜରୁରୀ

ସତର୍କ ସୂଚନା ଧାରେ


ଶ୍ରୀକୃଷ୍ଣ କେବଳ ଅନ୍ତଃସ୍ୱର ପ୍ରାୟେ

କୌରବ ପାଣ୍ଡବ ସାଥେ

ଉଭୟଙ୍କୁ ଦେଖାଇଲେ ଧର୍ମ ମାର୍ଗ

ପରାମର୍ଶ ବି ସହିତେ

କୌରବ ଉଚିତ ମନେ କଲେ ନାହିଁ

ଶ୍ରୀକୃଷ୍ଣ ପରାମର୍ଶରେ

ଶୁଭଚିନ୍ତକ ସହିତ ପରାମର୍ଶ

ପାଣ୍ଡବ ସେନା ସାଥିରେ

ଦ୍ଵନ୍ଦ ଅବସ୍ଥାରେ ଅନ୍ତରାତ୍ମା ବାଣୀ

ଉଚିତ ସଂକେତ ଧାରେ

ମାର୍ଗ ଦର୍ଶନର ପନ୍ଥା ବି ନିର୍ଣ୍ଣୟ

ନିର୍ଭର ନିଜ ଉପରେ ।


ଅଭିମାନ ରୂପେ ଅବତୀର୍ଣ୍ଣ କର୍ଣ୍ଣ 

ପ୍ରତୀକ ଅହଙ୍କାର ର

ସର୍ବ ବିଦ୍ୟା ଜାଣି ଆତ୍ମ ବଡିମା ରେ

ସ୍ୱୟଂ ବୀର ଶ୍ରେୟସ୍କର

ଅର୍ଜୁନଙ୍କ ଠାରୁ ବଡ ବୀର ଭାବେ

ବିବେଚନା କରି ନିଜେ

ଠିକ୍-ଭୁଲ୍,ଧର୍ମ-ଅଧର୍ମ ବିଚାର

ଦୁରେଇ ଗଲା ସହଜେ

ବେଳେବେଳେ ଆତ୍ମକୈନ୍ଦ୍ରିକ ଭାବରେ

ଅନ୍ୟ ପ୍ରତି ତୁଛ ଭାବ

ନିଜ ଅହଙ୍କାର କରାଏ ବିପଥ

ବିଜୟ ନୁହେଁ ସମ୍ଭବ ।


ଅର୍ଜୁନ ପ୍ରତିଭାଧାରୀ ପୁଣି ସୌମ୍ୟ 

ଶାସ୍ତ୍ର ଶସ୍ତ୍ର ରେ ନିପୁଣ

କୌରବ ପକ୍ଷର ଭୀଷ୍ମ ଦ୍ରୋଣାଚାର୍ଯ୍ୟ

ଅର୍ଜୁନଙ୍କ ପ୍ରିୟଜନ 

ବିନମ୍ରତା ଗୁଣ ବଳରେ ଅର୍ଜୁନ

ପ୍ରିୟପାତ୍ର ସଭିଙ୍କର

ଶତ୍ରୁର ହୃଦୟ ଜିଣିଲେ ବିନମ୍ରେ 

ଯଦିଓ ସେ ଶ୍ରେଷ୍ଠ ବୀର ।


ଜୀବନର କୁରୁକ୍ଷେତ୍ର ପଥ ଧାରେ

ନାୟକ-ଖଳନାୟକ

ସମସ୍ତଙ୍କ ହୃଦେ ଯୋଗ୍ୟତା ନିହିତ

ଦୁର୍ବଳତା ବି ଅନେକ

ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ଅର୍ଜୁନ

ସବୁଠାରୁ ଧୈର୍ଯ୍ୟବାନ

ସତ୍ୟ ମାର୍ଗ ହୁଡ଼ି ଶତ୍ରୁ ଯୁଦ୍ଧେ ରତ

ଶ୍ରୀକୃଷ୍ଣ କଲେ ସ୍ମରଣ

ସତ୍ୟ ଓ ଧର୍ମର ଜୟ ଧ୍ୱନି ଅର୍ଥେ

ଶ୍ରୀକୃଷ୍ଣଙ୍କ ପରାମର୍ଶ

କ୍ରମେ ଯୁଦ୍ଧ କ୍ଷେତ୍ର ହେଲା ଘନୀଭୂତ

ପାଣ୍ତବେ ବିଜୟ ହସ

କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରେ ଗୀତା ଜ୍ଞାନ

କ୍ରମେ ସୃଷ୍ଟି ଗୀତା ଗ୍ରନ୍ଥ

ଜୀବନ ସହିତ ଜଡ଼ିତ ସମସ୍ୟା

ସ୍ପଷ୍ଟ ସମାଧାନ ସୂତ୍ର ।


ଅଲୌକିକ ଜ୍ଞାନ ଶ୍ରୀକୃଷ୍ଣଙ୍କ ମୁଖେ

କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳେ

ଅର୍ଜୁନ ବିଷାଦ ଭାବ ଯେବେ ଜାତ

ଯୁଦ୍ଧ ଅବସର ବେଳେ

ଜୀବନ ଧାରଣର ମାନ ସମ୍ପର୍କେ 

ଦିବ୍ୟ ଜ୍ଞାନ ପ୍ରକାଶିଲା 

ମହାଭାରତର ନିଗୂଢ଼ ରହସ୍ୟ

ଗୀତା ଭାବେ ସୃଷ୍ଟି ହେଲା

ଅର୍ଜୁନଙ୍କ ଦିବ୍ୟଜ୍ଞାନ ପ୍ରାପ୍ତି ପରେ

ବିକାଶ ହେଲା ଚେତନା

ଦିବ୍ୟ ଜ୍ଞାନ ସହ ବିଶ୍ଵ ରୂପ ଦେଖି

ଯୁଦ୍ଧ ପାଇଁ ଦୃଢ଼ ମନା ।


ସ୍ବାସ୍ଥ୍ୟ,ଶିକ୍ଷା,ଧ୍ୟାନ,ଧାରଣା ଓ ଯୋଗ

ପୁଣି କର୍ମ ଧର୍ମ ଭକ୍ତି

ପ୍ରାୟ ଜୀବନର ପ୍ରତ୍ୟେକ ସ୍ତରରେ

ମହାଭାରତର ଉକ୍ତି

ଆଧ୍ୟାତ୍ମିକ ପଥେ ଧର୍ମ ଶାସ୍ତ୍ର ପାଠ 

ପୁଣି ଚିନ୍ତନ ମନନ 

ପ୍ରବଚନ ଧାରେ ମଣିଷ ସମାଜେ

ପୁରାଣ ଶାସ୍ତ୍ର ବର୍ଣ୍ଣନ

ମହାଭାରତର ଅବଦାନ ପ୍ରାୟ

ସମାଜରେ ଅନୁମେୟ

ସାମାଜିକ ଜୀବନର ମହାଭାଷ୍ୟ 

ନାହିଁ ଏଥିରେ ସଂଶୟ ।







Rate this content
Log in

Similar oriya poem from Abstract