STORYMIRROR

Dr Baman Chandra Dixit

Classics

3  

Dr Baman Chandra Dixit

Classics

ମେଞ୍ଚେ ସ୍ୱପ୍ନ

ମେଞ୍ଚେ ସ୍ୱପ୍ନ

1 min
11.9K

ସ୍ୱପ୍ନ ଅନେକ ଆବୋରା ନୟନରେ

ନିଦ ଆସିବାକୁ ତୋର ରାହା ନାହିଁ

ରାତି ବିତି ଯାଏ ବିଛଣା ପଚାରେ

ଏତେ ଉଚ୍ଚାଟ ଉଛ୍ୱାସ କାହା ପାଇଁ।।


ଏତେ ଚିନ୍ତନ ଏତେ ମନ୍ଥନ

ଏତେ ଉତ୍ତେଜନା ଏତେ ସମ୍ବେଦନା

ଏଡ଼ି ଛାଡି ଯିବା ହୁଡ଼ି ବଢ଼ି ଯିବା

ଏତେ ସହଜ ନୁହଁ ଏ ସମ୍ଭାବନା

ଆଖି ବୁଜି ଦେଲେ ଅନ୍ଧାର ହୁଏନା

ଜଳେ ଜ୍ୱାଳା ଦିକି ଦିକି ରହି ରହି।।


କାଚ କାୟା ତଳେ ଦର୍ପଣ ପଚାରେ

ନିଜ ରୂପ କେବେ ଦେଖିଛ କି

ମାୟା ମୋହ ପ୍ରେମ କମନୀୟ କାମ

ପ୍ରୀତି ପ୍ରଲେପ ଆଲପ ତୋଳିଛ କି

ନିଷ୍ଠା ନିପୁଣତା ନିରନ୍ତର ଚେଷ୍ଟା

ନିମିଳିତ ନେତ୍ର ଦେଖେ ଚେଇଁ ଚେଇଁ।।


ସଞ୍ଜ ଘନେଇଲେ ତାରା ଅନେଇଲେ

"ଆଜି" ଶେଷ ହୁଏ ନାହିଁ ହେଜି ହେଜି

ପୁଣି ସଜ ହୁଏ ପରାଜିତ ସେନା

"କାଲି"ର ବିଜୟ ପଥ ଖୋଜି ଖୋଜି

ଶୁପ୍ତ ଶରୀର କୁ ଆଶ୍ୱସ୍ତ କରେ କି

ଆଖି ପତା ଦୁଇ ରହି ମୁଦି ହୋଇ।।


ତୃଷାର୍ତ୍ତ ଓଠ ର ପିଇବାର ଆଶା

ଟୋପେ ପାଣି କେବେ ବୁଝି ପାରେ ନାହିଁ

ଜଳା ଦୀପାଳିର ଜଳିବାର ନିଶା

ଲେଲିହାନ ଶିଖା କଳି ପାରେ ନାହିଁ

ଶେଷ ଅସ୍ତିତ୍ୱ ହରା ଏ ସାଳିତା ବି

ସୋଇ ରହେ ପୁଣି ଜଳି ଯିବା ପାଇଁ।।


ରଶ୍ମି ପ୍ରଖର ବି ଝାପସା ଦିଶୁଛି

ଦୋଷ ଆଖିର କି ଅବା ପ୍ରକାଶ ର

ନିୟନ୍ତ୍ରଣ ଆର ପଟେ ଆମନ୍ତ୍ରଣ

ପ୍ରତ୍ୟାକ୍ଷାନ ମୁଖବନ୍ଦ ସ୍ୱୀକୃତି ର

ପ୍ରଭାତୀ ତାରକା ଉଙ୍କି ମାରିଲାଣି

ଘାରି ଯାଆ ନିଦ ଦୁଇ ଦଣ୍ଡ ପାଇଁ।।

ସ୍ୱପ୍ନ ଅନେକ ଆବୋରା ନୟନରେ

ନିଦ ଆସିବାକୁ ତୋର ରାହା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics